- ପିନାକୀ ମିଶ୍ର
କୋଉଠି କେମିତି ଅଛୁ
ମୋ ରକ୍ତାଂଶୀ ଧନରେ !
ଶ୍ରଦ୍ଧାର କୋଳରେ
ନା’ ଅବାଞ୍ଛିତ ଅବର୍ଣ୍ଣରୂପରେ
ଦୟାଯୁକ୍ତ ଯତନରେ
ନା’ ଘୃଣିତ ଚକ୍ଷୁର ଅସନାରେ !!
ଟିକେ ତ ହେଲେ ଦିଶୁଥିବୁ ମୋ ପରି
ନତୁବା ନାକ ଓଠ ଆଖି ତୋ ମାଆ ପରି
ତୋତେ ଆଣିଲି
ମୋ ଅବାଧ୍ୟ ଉନ୍ମାଦ ରତିଭୋଗରୁ ,
ତୁ ଆସିଲୁ
ବିଶ୍ବାସଦାୟରେ ଦେହଦେଉଳ ଅର୍ପିଥିବା
ତୋ ମାଆର କୁଆଁରୀଗର୍ଭକୁ
ନାରୀ ଗୋଟେ ଅବଲମ୍ବନ
ଆଶ୍ରା ଲୋଡେ,
ରୂପଲାବଣ୍ୟ ଅଜାଡିଦିଏ
ବଦଳରେ ବନ୍ଧନ ଲୋଡେ,
ଇନ୍ଦ୍ରଧନୁର ଘର ଆଙ୍କେ
ପ୍ରିୟପୁରଷ ଆଖିଆକାଶରେ,
ଆଉ ଭରଷା ଭାଂଗିଗଲେ
ନଈ ଆଡମୁହାଁ, ଫେରେନା ପଛକୁ ।
ତୁ ଆସିବା ଜାଣି
ତୋ ଗର୍ଭଧାରିଣୀକୁ
ଛାଡିଦେଲି ପ୍ରତାରଣାର କୁହେଳିରେ ,
ସେ ଦରଜ ଫେଣ୍ଟିଲା ମଉନସଂଧ୍ୟାରେ
ବାଉଳି ଘେରାଘେରା ବୁଲିଲା ,
କେତେ ନୀରବ ନେହୁରା ତା’ର
ଅଥଚ ମୁଁ ମହୁମାଛି , ସହଜରେ ଉଡିଗଲି ।
ତା’ ଛାଇ ବି ତାକୁ ନିନ୍ଦିଥିବ
ବାଟ ବି ସମ୍ପିଥିବ କେତେ ,
ବାସନ୍ତୀ ଛାତିର ଏତେ ଟାଣ କାହିଁ
ନିଜ ରକ୍ତରତନକୁ ନଈକି ଫିଙ୍ଗିଦେବାକୁ ?
ଦାନ୍ତକାମୁଡି ତୋତେ ଫିଟେଇଥିବ ଫରୁଆରୁ
ଛୁଏଁଇଥିବ ମାଟି
ଦେଖେଇଥିବ ଆକାଶ , ଜହ୍ନ, ଥନ
ଅଥଚ ପାରିନଥିବ ପିତୃତ୍ବ ସନ୍ଧାନ ।
ବଡଟେ ହେବୁଣି ତ ବାବୁ
ମୋ ଯଉବନ ବି ଢଳିଲାଣି
ତୋ ମାଆ ବି ଛଦ୍ମଦୁନିଆଁ ଜାଣିବଣି
ଲମ୍ପଟ ପିଅରକୁ ନିନ୍ଦୁଥା
କ୍ଳାନ୍ତ ଛାଇରେ ବି ଖୋଜୁଥା
ଶୂନ୍ୟକୁ ଅନେଇଁ କିଛି ଲାଭ ନାହିଁ ,
ତୋ ମାଆକୁ
କାମାଂଧଭୋକରେ ଭିଡିଥିଲି ଦିନେ
ଏବେ ତା’ ସନ୍ତାପିତଜ୍ବାଳାରୁ ନିସ୍ତାର ନାହିଁ ।
ବିଷମରୁ ବର୍ତ୍ତିବା ସହଜ
ନିଜ ଅନୁତାପର ଦରଜରୁ
ନିଜକୁ ମୁକୁଳେଇବା ବଡ ଅସହଜ,
ପାପଜର ପିତା ସବୁଠି ଜିତିଲେ ବି
ନିଜଠି ହାରିଥାଏ ।
ମୋ. ନଂ ୯୪୩୮୧୧୮୩୯୭