ଯୁବ ହଷ୍ଟେଲସ ରାଉରକେଲା ଶାଖାର ଡଃ ବି ଆର୍ ଆମ୍ବେଦକରଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ଆନୁକୂଲ୍ୟରେ ସମ୍ବିଧାନ ପ୍ରଣେତା ଡଃ ବି ଆର୍ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଯୁବ ହଷ୍ଟେଲସର ଉପସଭାପତି ପ୍ରତାପ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବହୁ ସଭ୍ୟ ସଭ୍ୟା ଯୋଗ ଦେଇ ସମ୍ବିଧାନ ପ୍ରଣେତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ସମ୍ପାଦକ ନିରଞ୍ଜନ ସାମଲ ଡଃ ଆମ୍ବେଦକରଙ୍କ ସଂଘର୍ଷମୟ ଛାତ୍ର ଜୀବନରୁ କିପରି ବିଭିନ୍ନ ମହଲରୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଦେଶର ପ୍ରଥମ ପି.ଏଚ.ଡି ହେବାର ସୋଭାଗ୍ୟ ଅର୍ଜନ କରିବା ସହିତ ଦେଶର ପ୍ରଥମ ଆଇନ ମନ୍ତ୍ରୀ ହୋଇପାରିଥିଲେ ତାହାର ଅବତାରଣା କରିଥିଲେ । ଆର୍ ଏସ୍‌ପିର ମହାପ୍ରବନ୍ଧକ ଦେବାଶିଷ ମହାନ୍ତି, ନୀଳମଣି ମହାପାତ୍ର ଓ ପ୍ରକାଶ ଚନ୍ଦ୍ର ମିଶ୍ର, ପି ବି ସାଜି ଓ ନୀଳମଣି ପରିଡ଼ା ପ୍ରମୁଖ ଯୋଗଦେଇ ଡଃ ଆମ୍ବେଦକର କିପରି ସମାଜର ଅବହେଳିତ ଅନଗ୍ରସର ବର୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ କରିଥିଲେ ଏବଂ ସେଥିରେ ସଫଳତା ହାସଲ କରି ଏକ ଉଦାହରଣ ସୃଷ୍ଟି କରିଥିଲେ ସେ ସମ୍ବନ୍ଧରେ ତାଙ୍କର ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଚିତ୍ରା ମଲ୍ଲିକ, ଲୁସି ଦାସ, ସୁଲୋଚନା ମିଶ୍ର, ଶାନ୍ତି ଦାସ, ମିନତୀ ମହାନ୍ତି, ମିନାକ୍ଷୀ ପାଢ଼ୀ, ରୀନା ମହାନ୍ତି, ସଲିଲ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ସେ କିପରି ବହୁ ସମସ୍ୟାର ସମ୍ମୁଖୀନ ହୋଇ ଭାଙ୍ଗି ନ ପଡ଼ି ଦୃଢ଼ ମାନସିକତାର ସହିତ କାମ କରି ମରଣୋତ୍ତର ଭାରତରତ୍ନ ପାଇ ପାରିଥିଲେ ତାହା ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ତଥା ସେ ଚିର ନମସ୍ୟ ହୋଇ ରହିବେ ବୋଲି ମତପ୍ରକାଶ କରିଥିଲେ । ପୂର୍ବରୁ ଉପସଭାପତି ପ୍ରତାପ କୁମାର ସ୍ବାଇଁ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ଶେଷରେ ସମରକାନ୍ତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.