୩୩ତମ ବାର୍ଷିକ ଅଷ୍ଟଦଣ୍ଡ ମିଳନ ସମାରୋହ ଉଦ୍‌ଯାପିତ : ହଜାର ହଜାର ଭକ୍ତଙ୍କ ସମାଗମ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏପ୍ରିଲ ୦୧ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ମା’ କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ବନ୍ଦ ହୋଇ ରହିଥିଲା । ଏହି ପରିପ୍ରେକ୍ଷୀରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୫ ବର୍ଷ ପୂର୍ତ୍ତି ଅବସରରେ ୩୩ତମ ବାର୍ଷିକ ଅଷ୍ଟଦଣ୍ଡ ମିଳନ ସମାରୋହ ଏପ୍ରିଲ ୧୦ ତାରିଖ ରବିବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି । ଏ ନେଇ ସ୍ଥାନୀୟ ଅଞ୍ଚଳ ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ରବିବାର ସକାଳ ୮ ଘଣ୍ଟା ସମୟରେ ମା’ ପାଟ୍ଟଖଣ୍ଡା ମନ୍ଦିରରେ ୮ ଦଣ୍ଡ ଥଳଙ୍କୁ ବରଣ କରାଯାଇଥିଲା । ଦିବା ଘ.୧୧.୩୦ମି ସମୟରେ ଟାଉନର ମୁଖ୍ୟ ରାସ୍ତାରେ ଧୂଳିଦଣ୍ଡ, ଅପରାହ୍ନ ଘ.୪.୩୦ ମି. ରେ ଟାଉନର ବସଷ୍ଟାଣ୍ଡ ନିକଟ ଓ ପଣସପଡି ବନ୍ଧପାଖରେ ପାଣିଦଣ୍ଡ, ସନ୍ଧ୍ୟାରେ ସବୁଠାରୁ ବିଶେଷ ଆକର୍ଷଣ ବଜାର ଛକରେ ଅଷ୍ଟଦଣ୍ଡର ଏକ ମହା ମିଳନ ଆୟୋଜନ ହୋଇଥିଲା । ରାତ୍ର ୧୧ ଘଟିକାରେ ଝୁଣାଦଣ୍ଡ ପଟୁଆର ସହ ୧୧ ତାରିଖ ସୋମବାର ଦିନ ସକାଳେ ଯାତ୍ରା ସମାପନ ହୋଇଥିଲା । ଏଥିରେ ବାଲିଗୁଡା, ବାରଖମା, ବାଟାଗୁଡ଼ା, ରେବିଙ୍ଗିଆ, ଋତୁଙ୍ଗିଆ, ମେଲସିକିଆ, ଡାକା ଏବଂ କତେରିଭଟ୍ଟା, ଅଞ୍ଚଳର ଦଣ୍ଡ ନୃତ୍ୟ ଦଳ ଯୋଗ ଦେଇ ନିଜ ନିଜର ଦଣ୍ଡ ପରିବେଷଣ କରିଥିଲେ । ଏହି ଅଷ୍ଟ ଦଣ୍ଡ ସମାରୋହ ଅବସରରେ ଟାଉନର ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ମା’ ଦକ୍ଷିଣକାଳୀ ହାଟ ବେପାରୀ ସଂଘ ତରଫରୁ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଅର୍ଣ୍ଣଭୋଗର ବ୍ୟବସ୍ଥା କରିଥିବା ବେଳେ ସତ୍ୟ ସାଇ ସେବା ସମିତି, ବେହେରା ହାଟ ବ୍ୟବସାୟୀ ସଂଘ, ଜକିସାହି କମିଟି ଭଳି ବିଭିନ୍ନ ସ୍ବେଛାସେବୀ ନିଜସ୍ୱ ଭାବେ ପଣା ବଣ୍ଟନ କରିଥିଲେ । ହଜାର ହଜାର ଭକ୍ତଙ୍କ ସମାବେଶକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ବିଭାଗ ତରଫରୁ ସମଗ୍ର ଅଞ୍ଚଳରେ କଡା କଡ଼ି ପାଟ୍ରୋଲିଂର ବ୍ୟବସ୍ଥା କରାଯାଇଥିବାରୁ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିଲା । ଆସନ୍ତା ବର୍ଷକୁ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ବର୍ଷ ପୂର୍ତ୍ତି ଅବସରରେ ୩୪ତମ ବାର୍ଷିକ ୧୭ ଶମ୍ଭୁଙ୍କ ମିଳନ ଉତ୍ସବ ଆୟୋଜନ କରିବା ପାଇଁ ସମିତି ତରଫରୁ ନିଷ୍ପତି ନିଆଯାଇଛି । ଏଥିରେ ଅଞ୍ଚଳର ସମସ୍ତ ନାରୀ ସଂଘ, ଯୁବକ ସଂଘ, ସ୍ବେଛାସେବୀ ତଥା ସମିତିର ସମସ୍ତ ସଦସ୍ୟଙ୍କ ସହଯୋଗରେ ସଫଳତାର ସମାପନ ହୋଇଥିଲା ।

Leave A Reply

Your email address will not be published.