
ନୀଳଗିରିରେ ପୋଲିସର ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା : ବରଗଡ଼ରେ ଜାବର ତୀବ୍ର ପ୍ରତିବାଦ, ଜିଲ୍ଲା ସାରା ବିକ୍ଷୋଭ
- କଳା ବ୍ୟାଚ ପରିଧାନ କରି ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ପ୍ରତିବାଦ : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ନୀଳଗିରିରେ ପୋଲିସର ସାମ୍ବାଦିକଙ୍କ ପ୍ରତି ଅମାନବୀୟ ନିର୍ଯ୍ୟାତନା ପ୍ରତିବାଦରେ ଗତକାଲି ବରଗଡ ଜିଲ୍ଲାରେ ସାମ୍ବାଦିକମାନେ ଦୃଢ଼ ପ୍ରତିବାଦ କରିଛନ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସମ୍ବାଦ ଏବଂ କନକ ନ୍ୟୁଜ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ପୋଲିସର ଅମାନବୀୟ ନିର୍ଯ୍ୟାତନା ସହ ଗୋଡ଼ରେ ବେଡି ପକାଇ ବାନ୍ଧିବା ଘଟଣା ସମସ୍ତ ସୀମାକୁ ଅତିକ୍ରମ କରିଛି । ଓଡିଶା ୟୁନିୟନ୍ ଅଫ୍ ଜର୍ଣ୍ଣାଲିଷ୍ଟ ଅନୁବନ୍ଧିତ ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ଼ (ଜାବ) ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦୋଷୀ ପୋଲିସ ଅଧିକାରୀମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛି । ଗତକାଲି ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ପ୍ରତିବାଦ ସ୍ୱରୂପ ବରଗଡ଼ରେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନେ କଳା ବ୍ୟାଚ ପରିଧାନ କରି ବରଗଡ ଗାନ୍ଧୀ ଛକ ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଏକତ୍ରିତ ହୋଇ ତୀବ୍ର ପ୍ରତିବାଦ କରିଥିଲେ । ଜଣେ ସାମ୍ବାଦିକଙ୍କ ପ୍ରତି ଏମିତି କଠୋର ତଥା ଅମାନବୀୟ ଅତ୍ୟାଚାର ସହ ବଡ଼ ଅପରାଧ ଭଳି ବେଡି ପକାଇ ବାନ୍ଧିବା ବିନା କାରଣରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଜିଲ୍ଲାର ସବୁ ସାମ୍ବାଦିକ ଅନୁଷ୍ଠାନ ତୀବ୍ର ନିନ୍ଦା କରିଛନ୍ତି । ୠତକାଲି ସଂଘ ପକ୍ଷରୁ ଉକ୍ତ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ନେବାକୁ ତଥା ରାଜ୍ୟରେ ଯଥା ଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ସମ୍ବନ୍ଧୀୟ ବିଲ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ବରଗଡ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତି କଲ୍ୟାଣୀ ଦାଶଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ରାଜ୍ୟ ସଂଗଠକ ସମ୍ପାଦକ ବିଜୟ କୁମାର ସାହୁ, ଜାବର ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ବରିଷ୍ଠ ସଭ୍ୟ ସୁରେଶ ଦାଶ, ରମଣୀ ରଞ୍ଜନ ବେହେରା, ସରୋଜ କୁମାର ଷଡ଼ଙ୍ଗୀ, ରଞ୍ଜନ ଦେବତା, ବଦ୍ରି ପ୍ରସାଦ ସାହୁ, ପ୍ରଦୀପ ମହାନ୍ତି, ବ୍ୟୁମୋକେଶ କର, ଦୁର୍ଗା ପ୍ରସାଦ ତ୍ରିବେଦୀ ପ୍ରମୁଖ ଯୋଗ ଦେଇଥିଲେ । ଏହା ସହ ବରଗଡ଼ ଜିଲ୍ଲାର ୧୨ଟି ଯାକ ବ୍ଲକରେ ଜାବ ସଂଗଠନର ସଦସ୍ୟମାନେ ନିଜ ନିଜ ଅଞ୍ଚଳରେ କଳା ବ୍ୟାଚ ପରିଧାନ କରି ସଂଗ୍ରାମୀ ପୀଠରେ ପ୍ରତିବାଦ ଦିବସ କରିଛନ୍ତି ।