ସାମ୍ବାଦିକ ଲୋକନାଥ ଦଲେଇଙ୍କ ସହ ପୋଲିସର ଅମାନବୀୟ ବ୍ୟବହାର ଘଟଣାର ପ୍ରତିବାଦରେ କଳା ବ୍ୟାଜ ପରିଧାନ ସହ କଳା ଦିବସ ପାଳନ କରି କାର୍ଯ୍ୟାନୁଷ୍ଠାନ ଦାବୀରେ ଉପଖଣ୍ଡ ସାମ୍ବାଦିକ ସଂଘ ଓ ଯୁବ ପତ୍ରକାର ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ନିଳଗିରିର କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଲେଇଙ୍କୁ ପୋଲିସର ଅମାନବୀୟ ଆକ୍ରମଣ ସହ ଗୋଡ଼ରେ ବେଢ଼ି ପକାଇ ମାଡ଼ ମାରିଥିବା ଘଟଣା ସମଗ୍ର ରାଜ୍ୟ ପାଇଁ ଏକ ଲଜ୍ୟାର ବିଷୟ । ଯେଉଁ ସାମ୍ବାଦିକ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ନିଜ ଜୀବନକୁ ଖାତିର ନକରି ଖବର ସଂଗ୍ରହ କରିବାକୁ ପଛଘୁଞ୍ଚା ଦିଏ ନାହିଁ । ଆଜି ସେ ସମଗ୍ର ଦେଶରେ ଅସୁରକ୍ଷିତ । ସାଧାରଣ ଲୋକଙ୍କ ସ୍ବର ସରକାର ପର୍ୟ୍ୟନ୍ତ ପହଞ୍ଚାଇବାରେ ଯିଏ ମୁଖ୍ୟ ଭୂମିକା ଗ୍ରହଣ କରେ ସେ ଆଜି ନିଜ ଉପରେ ହେଉଥିବା ଅନ୍ୟାୟ ବିରୁଦ୍ଧରେ ଲଢିବା ବେଳେ ହେଉଛି ଚାପର ଶିକାର । ଯାହାର ଫଳ ସ୍ୱରୂପ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଆଜି ବିପଦରେ । ପୋଲିସ ସୁରକ୍ଷା ବଦଳରେ ଅମାନୁଷିକ ବର୍ବରତାର ଶିକାର ହେଉଛନ୍ତି ସାମ୍ବାଦିକ । ଏଥିପାଇଁ ନିଳଗିରିର କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଲେଇଙ୍କ ଉପରେ ହୋଇଥିବା ପୋଲିସର ଅମାନୁଷିକ ବର୍ବରତା ଘଟଣାକୁ ଗତକାଲି ପାଟଣାଗଡ଼ ଉପଖଣ୍ଡ ଯୁବ ପତ୍ରକାର ସଂଘ ଓ ସାମ୍ବାଦିକ ପକ୍ଷରୁ କଳାବ୍ୟାଜ ପରିଧାନ କରି କଚେରୀ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭାରେ ଘଟଣାର ଦୃଢ଼ ନିନ୍ଦା କରିବା କରି ଏଥିରେ ସଂପୃକ୍ତ ଥିବା ଥାନା ଅଧିକାରୀଙ୍କୁ ବହିସ୍କାର ଦାବୀରେ ପୋଲିସ ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଦାବୀ କରାଯାଇଥିଲା । ଏହି ପ୍ରତିବାଦ ସଭାରେ ସାମ୍ବାଦିକ ସଂଘ ସଭାପତି ଲକ୍ଷ୍ମୀକାନ୍ତ ମିଶ୍ର ଘଟଣାର ଦୃଢ଼ ନିନ୍ଦା କରିବା ସହ ସଂପୃକ୍ତ ଥିବା ପୋଲିସ ଅଧିକାରୀଙ୍କୁ ବହିସ୍କାର ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ । ସାମ୍ବାଦିକ ସଂଘର ଏହି ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ ସଭାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ ଓ ଜିଲ୍ଲା କୃଷକ ମହାସଭା ସଭାପତି ଯତି ପ୍ରଧାନ ସମର୍ଥନ ଜଣାଇ ସାମ୍ବାଦିକମାନଙ୍କ ସୁରକ୍ଷା ଓ ଦୋଷୀଙ୍କୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ । ଏଥିରେ ଯୁବ ପତ୍ରକାର ସଂଘର ସଭାପତି କରୁଣା କର ବୁଡେକ, ସମ୍ପାଦକ ବିମଳ କୁମାର ବାଗ, ଉପସଭାପତି ଗୋରେଖନାଥ ବରିହା ଉପଦେଷ୍ଟା ଜଗଦୀଶ ଭୋଇ, ଲାବଣ୍ୟ ପୁରୋହିତ ପ୍ରମୁଖ ଉପସ୍ଥିତ ଥିବା ବେଳେ ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ସଦାଶିବ ସରାଫ, ସଂପାଦକ ପ୍ରବିଣ କୁମାର ପୁରୋହିତ, ପ୍ରହଲ୍ଲାଦ ପାଢ଼ୀ, ଲଲିତ କୁମାର ମିଶ୍ର, ସୁବୋଧ ମେହେର, ସୁନୀଲ ଚୋପଦାର, ବିଶ୍ଵାସ ପଟ୍ଟନାୟକ, ରାଜେଶ କୁମାର ଚାନ୍ଦ, ଦିଲିପ ଭୋଇ ପ୍ରମୁଖଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.