ଅଟଳ ଇନୋଭେସନ ମିଶନର ଅବଧି ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

• ୧୦ହଜାର ଅଟଳ ଟିଙ୍କରିଂ ଲ୍ୟାବ; ୧୦୧ଟି ଅଟଳ ଇନକ୍ୟୁବେସନ ସେଣ୍ଟର; ୫୦ ଅଟଳ କମ୍ୟୁନିଟୀ ଇନୋଭେସନ ସେଣ୍ଟର ପ୍ରତିଷ୍ଠା କରାଯିବ
• ଅଟଳ ନ୍ୟୁ ଇଣ୍ଡିଆ ଚ୍ୟାଲେଞ୍ଜ ମାଧ୍ୟମରେ ୨୦୦ ଷ୍ଟାର୍ଟଅପ୍କୁ ସହାୟତା ପ୍ରଦାନ କରାଯିବ
• ୨୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରାଯିବ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅଟଳ ଇନୋଭେସନ ମିଶନ (ଏଆଇଏମ)କୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏଆଇଏମ ଦେଶରେ ଏକ ନବସୃଜନ ସଂସ୍କୃତି ଏବଂ ଉଦ୍ୟମଶୀଳତା ସହ ଜଡ଼ିତ ଇକୋସିଷ୍ଟମ ବିକଶିତ କରିବା ଦିଗରେ ନିଜର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ପାଇଁ କାମ କରିବ । ଏଆଇଏମ ଦ୍ବାରା ଏହି କାର୍ୟ୍ୟ ନିଜର ବିଭିନ୍ନ କାର୍ୟ୍ୟକ୍ରମ ମାଧ୍ୟମରେ ସମ୍ପାଦନ କରାଯିବ ।
ଏଆଇଏମ ମାଧ୍ୟମରେ ନିମ୍ନ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରାଯିବ :
• ୧୦ହଜାର ଅଟଳ ଟିଙ୍କରିଂ ଲ୍ୟାବ (ଏଟିଏଲ) ପ୍ରତିଷ୍ଠା କରିବା,
• ୧୦୧ ଅଟଳ ଇନକ୍ୟୁବେସନ ସେଣ୍ଟର (ଏଆଇସି) ପ୍ରତିଷ୍ଠା କରିବା,
• ୫୦ଟି ଅଟଳ କମ୍ୟୁନିଟୀ ଇନୋଭେସନ ସେଣ୍ଟର (ଏସିଆଇସି) ପ୍ରତିଷ୍ଠା କରିବା
ଏବଂ
• ଅଟଳ ନ୍ୟୁ ଇଣ୍ଡିଆ ଚାଲେଞ୍ଜ ମାଧ୍ୟମରେ ୨୦୦ ଷ୍ଟାର୍ଟଅପ୍କୁ ସହାୟତା ପ୍ରଦାନ କରିବା ।

ଉପରୋକ୍ତ ସେଣ୍ଟର ପ୍ରତିଷ୍ଠା କରିବା ଏବଂ ହିତାଧିକାରୀମାନଙ୍କୁ ସହାୟତା ଯୋଗାଇ ଦେବାର ଏହି ପ୍ରକ୍ରିୟାରେ ମୋଟ୍‌ ୨,୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ବଜେଟ୍‌ ବ୍ୟୟ କରାଯିବ ।
ମାନନୀୟ ଅର୍ଥ ମନ୍ତ୍ରୀ ୨୦୧୫ ବଜେଟ୍‌ ଅଭିଭାଷଣରେ କରିଥିବା ଘୋଷଣା ଅନୁଯାୟୀ, ନୀତି ଆୟୋଗଙ୍କ ଦ୍ବାରା ଅଟଳ ଇନୋଭେସନ ମିଶନ ପ୍ରତିଷ୍ଠା କରାଯାଇଛି । ଏଆଇଏମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଏବଂ ଉଦ୍ୟୋଗମାନଙ୍କ ସ୍ତରରେ ବିଭିନ୍ନ ଉପାୟ ମାଧ୍ୟମରେ ସାରା ଦେଶରେ ନବସୃଜନ ଏବଂ ଉଦ୍ୟମିତାର ଏକ ଇକୋସିଷ୍ଟମ ପ୍ରସ୍ତୁତ କରିବା ଓ ଏହାକୁ ପ୍ରୋତ୍ସାହିତ କରିବା । ଏଆଇଏମ ମୌଳିକ ଭିତ୍ତିଭୂମି ନିର୍ମାଣ ଏବଂ ସଂସ୍ଥାନ ନିର୍ମାଣ, ଉଭୟ କ୍ଷେତ୍ରରେ ଧ୍ୟାନ କେନ୍ଦ୍ରିତ କରିଛି । ନିମ୍ନରେ ଦିଆଯାଇଥିବା ଉଦାହରଣ ଅନୁରୂପ ଏହା ସ୍ପଷ୍ଟ ହୋଇଛି ଯେ ଏଆଇଏମ ଜାତୀୟ ଏବଂ ବିଶ୍ବ, ଉଭୟ ସ୍ତରରେ ନବସୃଜନ ସହ ଜଡ଼ିତ ଇକୋସିଷ୍ଟମକୁ ସମନ୍ବିତ କରିବା ଦିଗରେ କାମ କରିଛି :
• ଏଆଇଏମ ନବସୃଜନ ଏବଂ ଉଦ୍ୟମିତା କ୍ଷେତ୍ରରେ ସମନ୍ବୟ ଆଧାରିତ ସହଯୋଗ ବିକଶିତ କରିବା ଲାଗି ବିଭିନ୍ନ ଅନ୍ତର୍ଜାତୀୟ ଏଜେନ୍ସିମାନଙ୍କ ସହିତ ଦ୍ବିପାକ୍ଷିକ ସମ୍ପର୍କ ପ୍ରତିଷ୍ଠା କରିଛି ଯେଉଁଥିରେ ରୁଷ୍‌ ସହିତ ଏଆଇଏମ-ଏସଆଇଆରଆଇୟୁଏସ ଛାତ୍ର ନବସୃଜନ ବିନିମୟ କାର୍ୟ୍ୟକ୍ରମ, ଡେନମାର୍କ ସହିତ ଏଆଇଏମ-ଆଇସିଡିକେ (ଇନୋଭେସନ ସେଣ୍ଟର ଡେନମାର୍କ) ୱାଟର ଚ୍ୟାଲେଞ୍ଜ ଏବଂ ଅଷ୍ଟ୍ରେଲିଆ ସହିତ ଆଇଏସିଇ (ଇଣ୍ଡିଆ ଅଷ୍ଟ୍ରେଲିୟାନ୍‌ ସର୍କୁଲାର ଇକୋନୋମି ହ୍ୟାକାଥନ) ସାମିଲ ରହିଛି ।
• ଏଆଇଏମ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଆୟୋଜିତ ଏକ ଇନୋଭେସନ ଷ୍ଟାର୍ଟଅପ୍‌ ଶିଖର ସମ୍ମିଳନୀ-ଇନସ୍ପ୍ରେନର ସଫଳତା ପୂର୍ବକ ଆୟୋଜନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।
• ପ୍ରତିରକ୍ଷା କ୍ଷେତ୍ରରେ ନବସୃଜନ ସହିତ କ୍ରୟକୁ ପ୍ରୋତ୍ସାହନ ଦେଉଥିବା ପ୍ରତିରକ୍ଷା ନବସୃଜନ ସଂଗଠନ ପ୍ରତିଷ୍ଠା କରିବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ଏଆଇଏମ ସହଭାଗିତା ସ୍ଥାପନ କରିଛି ।
ବିଗତ କିଛି ବର୍ଷ ମଧ୍ୟରେ, ଏଆଇଏମ ସାରା ଦେଶର ନବସୃଜନ ଗତିବିଧିକୁ ସମନ୍ବିତ କରିବା ଲାଗି ଏକ ସଂସ୍ଥାଗତ ବ୍ୟବସ୍ଥା ପ୍ରଦାନ କରିବା ଲାଗି କାମ କରିଛି । ନିଜର ବିଭିନ୍ନ କାର୍ୟ୍ୟକ୍ରମ ମାଧ୍ୟମରେ ଏହା ଲକ୍ଷାଧିକ ସ୍କୁଲ ପିଲାମାନଙ୍କ ମଧ୍ୟରେ ନବସୃଜନ ପ୍ରତି ଆଗ୍ରହ ସୃଷ୍ଟି କରିଛି । ଏଆଇଏମ ସମର୍ଥିତ ଷ୍ଟାର୍ଟଅପ୍‌ ସରକାରୀ ଏବଂ ଘରୋଇ ଇକ୍ୟୁଟି ନିବେଶକମାନଙ୍କ ଠାରୁ ୨ ହଜାର କୋଟି ଟଙ୍କାରୁ ଅଧିକ ପରିମାଣର ଅର୍ଥରାଶି ସଂଗ୍ରହ କରିବେ ଏବଂ ଅନେକ ହଜାର ରୋଜଗାର ସୁଯୋଗ ସୃଷ୍ଟି କରିଛି । ଏଆଇଏମ ଜାତୀୟ ହିତ ସହ ଜଡ଼ିତ ବିଭିନ୍ନ ବିଷୟରେ ନବସୃଜନ ଜନିତ ସମସ୍ୟାର ମଧ୍ୟ ସମାଧାନ କରିଛି । ଏଆଇଏମର କାର୍ୟ୍ୟକ୍ରମଗୁଡ଼ିକରେ ୩୪ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ସାମିଲ କରାଯାଇଛି । ଏହା ମାଧ୍ୟମରେ ନବସୃଜନ ସହ ଜଡ଼ିତ ଇକୋସିଷ୍ଟମରେ ଅଧିକରୁ ଅଧିକ ଭାଗିଦାରୀକୁ ପ୍ରୋତ୍ସାହିତ କରି ଭାରତର ଜନସାଂଖ୍ୟିକ ଲାଭାଂଶର ଫାଇଦା ନେବା ପାଇଁ ଲକ୍ଷ୍ୟ ରଖାଯାଇଛି ।
କ୍ୟାବିନେଟ ଦ୍ବାରା ଅବଧି ସମ୍ପ୍ରସାରଣ ମଞ୍ଜୁରି ମିଳିବା ପରେ ନବାସୃଜନ ସମ୍ବନ୍ଧୀୟ ଏକ ସମାବେଶୀ ଇକୋସିଷ୍ଟମ ବିକଶିତ କରିବାର ଦାୟିତ୍ବ ଏବେ ଏଆଇଏମ ଉପରକୁ ଆସିଯାଇଛି । ଫଳରେ ନବସୃଜନ ଏବଂ ଉଦ୍ୟମିତା କାର୍ୟ୍ୟକଳାପ ସହ ଯୋଡ଼ିହେବା ଲଗାତାର ଅଧିକ ସହଜ ହୋଇପାରିବ ।

Leave A Reply

Your email address will not be published.

error: Content is protected !!