ସ୍ୱଚ୍ଛ ଭାରତ ମିଶନ-୧କୁ ଗିଲି ଦେଇ ଥିବା ଅଭିଯୋଗ : ଏବେ ୨ର ପାଳି, ବର୍ଷ ବର୍ଷ ଧରି ଅଚଳ ନଳକୂପରେ ସୋକପିଟ ନିର୍ମାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଦୁର୍ନୀତିର ଗନ୍ତାଘର ସାଜିଛି କହିଲେ ଅତ୍ୟୁକ୍ତି ହେବ ନାହିଁ କାରଣ ବ୍ଲକ ସାରା ହେଉଥିବା କାମ କେବଳ ଓଉପଚାରିକତା ପୂରଣ ଉଦ୍ଦେଶ୍ୟରେ ହେଉଛି । ପରୋକ୍ଷ ଭାବରେ କହିବାକୁ ଗଲେ କେବଳ ସରକାରୀ ଆର୍ଥିକ ଅନୁଦାନର ବାଟମାରଣା ପାଇଁ ହିଁ ସତେ ଯେମିତି ସରକାରୀ କଳ ଲାଗି ପଡ଼ିଛନ୍ତି । ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ସ୍ୱଚ୍ଛ ଭାରତ ମିଶନ-୧ର ଶୁଭାରମ୍ଭ କରାଯାଇଥିଲା ଯାହାର ମୂଳ ଉଦ୍ଦେଶ୍ୟ ଥିଲା ଦେଶକୁ ସ୍ୱଚ୍ଛ କରିବା ଏଥିପାଇଁ ବିଭିନ୍ନ ପଦକ୍ଷେପ ମାନେ ମଧ୍ୟ ଗ୍ରହଣ କରାଯାଇଥିଲା । ପ୍ରତି ଘରେ ଶୌଚାଳୟ ନିର୍ମାଣ ପାଇଁ ୧୨ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଥିଲା କିନ୍ତୁ ବିଜେପୁର ବ୍ଲକରେ ଅଧିକାଂଶ ଘରେ ବର୍ତ୍ତମାନ ଶୌଚାଳୟ ନ ଥିବା ବେଳେ କାଗଜ କଲମରେ କିନ୍ତୁ ପ୍ରାୟ ସମସ୍ତ ଘରେ ଶୌଚାଳୟ ଥିବା ଦର୍ଶାଯାଇଛି ବୋଲି ଅଭିଯୋଗ ହେଉଛି । ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଛି ତଥାକଥିତ ଠିକାଦାରମାନଙ୍କ ସହାୟତାରେ ସମସ୍ତ ଘରେ ପାଇଖାନା ନିର୍ମାଣ କରିବା ପାଇଁ ଏକପ୍ରକାର ଚୁକ୍ତି କରିଥିଲେ । ୫ – ୭ ହଜାର ଟଙ୍କା ଖର୍ଚ୍ଚ କରି କେବଳ ଫୋଟୋ ଉଠେଇବା ନିମନ୍ତେ ଶୌଚାଳୟ ନିର୍ମାଣ କରି ବଳକା ଟଙ୍କାକୁ ନିଜ ଭିତରେ ବାଣ୍ଟି ଖାଉଥିଲେ ବୋଲି ଅଭିଯୋଗ ହେଉଛି । ବର୍ତ୍ତମାନ ଉକ୍ତ ବାବୁଜଣକ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି କିନ୍ତୁ ବିଜେପୁର ବ୍ଲକ ସାରା କୋଟି କୋଟି ଟଙ୍କା ହଡ଼ପ କରିସାରିଛନ୍ତି ଯାହାକି ଫେରିବା ଅସମ୍ଭବ ବୋଲି ମତ ପ୍ରକାଶ ପାଇଛି । ବର୍ତ୍ତମାନ ସେହି ପାରମ୍ପରିକ ରୀତିରେ ସ୍ୱଚ୍ଛ ଭାରତ ମିଶନ -୨ ଗତବର୍ଷ ଠାରୁ ଆରମ୍ଭ ହୋଇଛି ଯାହା ମଧ୍ୟ କେବଳ ଔପଚାରିକତା ପାଇଁ କାମ କରାଯାଉଥିବା ପରିଲକ୍ଷିତ ହେଉଛି ଯାହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ଲିଟିପାଲି ରାସ୍ତାରେ । ସୂଚନା ଅନୁଯାୟୀ ଏହି ରାସ୍ତାରେ ଥିବା ନଳକୂପଟି ବର୍ଷ ବର୍ଷ ଧରି ଅଚଳ ହୋଇପଡ଼ିଛି କିନ୍ତୁ ବର୍ତ୍ତମାନ ପାଣି ନ ଥିଲେ ମଧ୍ୟ ସେଠାରେ ଏକ ସୋକ ପିଟ ବସାଯାଇଛି ଯାହାକୁ ଦେଖି ଲୋକେ ହାସ୍ୟାସ୍ପଦ କଥା ବୋଲି ଆଲୋଚନା କରୁଛନ୍ତି ଏବଂ ସରକାରୀ ଟଙ୍କା ଆତ୍ମସାଦ କରିବା ପାଇଁ ସରକାରୀ କଳ କେତେ ନିମ୍ନକୁ ଖସିପାରୁଛନ୍ତି ବୋଲି ବିଦ୍ରୁପ କରୁଛନ୍ତି । ସବୁଠାରୁ ଆଶ୍ଚର୍ୟ୍ୟଜନକ କଥା ଯେ ଯୋଖିପାଲି ପଞ୍ଚାୟତରେ ପୂର୍ବରୁ ଯେଉଁସବୁ କାମ ହୋଇଛି ସେଥିରେ ସୂଚନାଫଳକ ମଧ୍ୟ ଦିଆଯାଇନାହିଁ ବୋଲି ଅଭିଯୋଗ ହୋଇଛି । ଗ୍ରାମ ପଞ୍ଚାୟତରେ ନିର୍ମାଣ ହେଉଥିବା ସୋକ ପିଟ ନିର୍ମାଣ ହେଉଥିବା ସମ୍ବନ୍ଧରେ ନୂତନ ସରପଞ୍ଚଙ୍କୁ ମଧ୍ୟ ସୂଚନା ପ୍ରଦାନ କରାଯାଇନାହିଁ କିନ୍ତୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ଅନୁଦାନ ପାଣ୍ଠିରୁ ୩,୧୭,୭୨୬ ଟଙ୍କା ମଞ୍ଜୁର ହୋଇଥିବା ସ୍ପଷ୍ଟ ଭାବରେ ଜଣାପଡୁଛି ବୋଲି ମତ ପ୍ରକାଶ ପାୁଛି । ଏହି ଦୁର୍ନୀତିକୁ ଗ୍ରାମର ସଚେତନ ନାଗରୀକବୃନ୍ଦ ଦୃଢ଼ ନିନ୍ଦା କରିଛନ୍ତି ଏବଂ ସରକାରୀ କାର୍ଯ୍ୟ ଗୁଡିକରେ ସ୍ୱଚ୍ଛତା ଆଣିବା ନିମନ୍ତେ ରାଜ୍ୟ ସରକାରଙ୍କୁ ଦାବୀ କରିଛନ୍ତି ।

Leave A Reply

Your email address will not be published.