ଦୀପାଙ୍କ ପ୍ରୟାସରେ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହେଲେ ଶତାଧିକ ପ୍ରବାସୀ ଶ୍ରମିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ୪ଟି ଜିଲ୍ଲାର ପାଖାପାଖି ୧୦୦ ଜଣ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶ ରାଜ୍ୟ ଅନ୍ତର୍ଗତ ତିରୁପତି ଜିଲ୍ଲାର ଏକ ଇଟାଭାଟିକୁ କାମ କରିଯାଇ ନିର୍ୟାତନାର ଶିକାର ହେଉଥିଲେ ଯାହାଙ୍କୁ ସ୍ୱେଚ୍ଛାସେବୀ ଦୀପା ବାରିକଙ୍କ ଉଦ୍ୟମ କ୍ରମେ ଉଦ୍ଧାର କରାଯାଇଛି । ସେମାନେ ବର୍ତ୍ତମାନ ଟ୍ରେନ ଯୋଗେ ଓଡ଼ିଶା ଫେରୁଥିବା ସୂଚନା ମିଳିଛି । ଏଠାରେ ସୂଚନାଯୋଗ୍ୟ ଯେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ପୁଟୁକିଡୁଙ୍ଗୁରୀ ଗ୍ରାମର କିଛି ପ୍ରବାସୀ ଶ୍ରମିକ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲେ । ତାଙ୍କ ସହ ପଡ଼ୋଶୀ ଜିଲ୍ଲା ନୂଆପଡା ଏବଂ ବଲାଙ୍ଗୀରର ମଧ୍ୟ କିଛି ଶ୍ରମିକ ଥିଲେ । ସେଠାରେ ଇତଭାଟି ମାଲିକ କିଛିଦିନ ଭଲ ଭାବରେ କାମ କରେଇବା ପରେ ଅକଥନୀୟ ଅତ୍ୟାଚାର କରିବା ଆରମ୍ଭ କରି ଦେଇଥିଲେ । ସେମାନେ ଜଣେ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ଦୀପା ବାରିକଙ୍କୁ ଯୋଗାଯୋଗ କରିଥିଲେ । ଦୀପା ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆନ୍ଧ୍ରପ୍ରଦେଶ ପୋଲିସଙ୍କୁ ଟ୍ୱିଟର ମାଧ୍ୟମରେ ଯୋଗାଯୋଗ କରିଥିଲେ, ସେମାନେ ତତ୍ପରତା ସହ ତିରୁପତି ପୋଲିସକୁ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାଛଡ଼ା ଓଡ଼ିଶା ଶ୍ରମ ବିଭାଗ କମିଶନର ଥିରୁମାଲା ନାଏକ ମଧ୍ୟ ତିରୁପତି ପୋଲିସ ଏବଂ ଶ୍ରମ ବିଭାଗ ସହ ଯୋଗାଯୋଗ ସାଧନ କରି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଜଣାଇଥିଲେ । ଶନିବାର ଦିନ ସ୍ଥାନୀୟ ପୋଲିସ ବିଭାଗ ଏବଂ ଶ୍ରମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ଶ୍ରମିକ ମାନଙ୍କ ଦୁଃଖ ବୁଝିଥିଲେ । ସେମାନେ ଘରକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଇଚ୍ଛା କରିଥିବାରୁ ସ୍ଥାନୀୟ ପୋଲିସ ଉକ୍ତ ଶତାଧିକ ପ୍ରବାସୀ ଶ୍ରମିକଙ୍କ ପାଇଁ ଟିକେଟ ବ୍ୟବସ୍ଥା କରି ଟ୍ରେନ ଯୋଗେ ପଠେଇଛନ୍ତି । ଦୀପାଙ୍କ ଏହି ପ୍ରୟାସକୁ ଶ୍ରମିକ ମାନେ ଉଚ୍ଚ ପ୍ରଶଂସା କରିବା ସହ ଆଶୀର୍ବାଦ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.