ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଲଦୁଲି କଳା ପରିଷଦ ଆନୁକୂଲ୍ୟ ତଥା ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସହଯୋଗିତାରେ ପୁଇଁନ୍ତଳା ସ୍ଥିତ ବୀଣାପାଣୀ ଶିକ୍ଷା ଶୌଧଠାରେ ପଶ୍ଚିମ ଓଡିଶାର ଲୋକନୃତ୍ୟ ଡାଲଖାଇକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବୀଣାପାଣି ଶିକ୍ଷା ଶୌଧର ନିର୍ଦ୍ଦେଶକ ଅଶୋକ ମେହେରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ସଙ୍ଗୀତ ନାଟକ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କଣ୍ଠଶିଳ୍ପୀ ନବୀନ କୁଅଁରଙ୍କ ଡାଲଖାଇ ଉପରେ ଅଲୋକପାତ କରିଥିଲେ । ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, ପଶ୍ଚିମ ଓଡିଶା ଲୋକକଳାରେ ବେଶ ଧନୀ । ଏହାର ଅନ୍ୟତମ ଲୋକନୃତ୍ୟ ଡାଲଖାଇକୁ ନେଇ ଅନେକ ଗବେଷଣା ହୋଇଛି । ଆଦିମ କାଳରୁ ପରିବେଷିତ ହେଉଥିବା ଏହି ଡାଲଖାଇ ଆଜି ମଧ୍ୟ ନିଜର ଆକର୍ଷଣ ଜାରି ରଖିଛି । ଭାଇମାନଙ୍କ ଶୁଭ ମନାସୀ ଆଦିବାସୀ ଭଉଣୀମାନେ ଡାଲଖାଇ ନୃତ୍ୟ କରି ମା’ ଡାଲଖାଇଙ୍କ ପୂଜା ଅର୍ଚ୍ଚନା କରୁଥିବା ଏହି ପରମ୍ପରା ଏବେ କାଳକ୍ରମେ ଭାଇ ଯିଉଁତିଆରେ ପରିଣତ ହେଲାଣି । ଅନ୍ୟପଟେ ନୂତନ ଢଙ୍ଗ ଓ ପାଶ୍ଚାତ୍ୟ ପରମ୍ପରାର ପ୍ରଚଳନ ଡାଲଖାଇ ନୃତ୍ୟ ପରମ୍ପରାକୁ ଦୁର୍ବଳ କରିବାକୁ ବସିଛି । ତେବେ, ଅଂଚଳର ଏହି ନିଆରା ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ଦିଗରେ ଉଦ୍ୟମ ଆବଶ୍ୟକ ବୋଲି କହିଥିଲେ । ମଞ୍ଚାସୀନ ଥିବା ଜଣାଶୁଣା ନାଟ୍ୟ କଳାକାର ଲଳିତ ପୁଝାରୀ, ଦୁଲଦୁଲି କଳା ପରିଷଦର ସଂପାଦକ ବାସୁଦେବ ସା ଓ କୋଶଳ ଫୋକ୍ ଏକାଡେମୀର ସଂପଦାକ ନବଘନ ଦାଶ ଡାଲଖାଇର ମହନୀୟତା, ଏହି ଲୋକକଳାକୁ ବଞ୍ଚାଇ ରଖିବାର ଆବଶ୍ୟକତା ଉପରେ ନିଜସ୍ୱ ମନ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷା ଶୌଧର ଉପାଧକ୍ଷ୍ୟ ମିତ୍ରଭାନୁ ସାହୁ ସମସ୍ତ ଶ୍ରୋତା ଓ ବକ୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।