ପାଟଣାଗଡରେ ଭାରତ ବନ୍ଦକୁ ବିପୁଳ ସମର୍ଥନ

ପାଟଣାଗଡ଼, (ଗୋରେଖନାଥ ବରିହା) : କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଦ୍ୱାରା ଆହୁତ ଦୁଇ ଦିନିଆଁ ଭାରତ ବନ୍ଦକୁ ମଙ୍ଗଳବାର ପାଟଣାଗଡରେ ବିପୁଳ ଜନସମର୍ଥନ ମିଳିଛି । ବନ୍ଦ ପ୍ରଭାବରେ ପାଟଣାଗଡର ସମସ୍ତ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବୀମା, ପୋଷ୍ଟ ଅଫିସ, କୋର୍ଟ କଚେରୀ, ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଗାଡିଚଳାଚଳ ବାଧା ପ୍ରାପ୍ତ ହୋଇଥିଲା । ଧୂମାଭଟା ଛକଠାରେ ପାଟଣାଗଡ କୋର୍ଡିନେସନ କମିଟି ଅଫ ଟ୍ରେଡ଼ ୟୁନିଅନ ଏଣ୍ଡ ଆସୋସିଏସନ୍‌ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମିକ ଆଇନ ଶ୍ରମ କୋଡ଼କୁ ପ୍ରତ୍ୟାହାର, ବ୍ୟାଙ୍କ ବୀମା ପୋଷ୍ଟ, ରେଲୱେ ପ୍ରଭୃତି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡିକର ଘରୋଇକରଣ ବନ୍ଦ କରିବା, ସରକାରୀ ସଂସ୍ଥା ଗୁଡିକର ଠିକାକରଣ ବନ୍ଦ, ପେଟ୍ରୋଲ ଡିଜେଲ ରୋଷେଇ ଗ୍ୟାସ, ଦର ହ୍ରାସ କରିବା, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ନିୟନ୍ତ୍ରଣ କରିବା ଆଶା, ଅଙ୍ଗନୱାଡି, ପାଚିକା ଶ୍ରମିକମାନଙ୍କୁ ସ୍ଥାୟୀ ନିଯୁକ୍ତି, ସର୍ବନିମ୍ନ ଛବିଶ ହଜାର ଦରମା, ସମାନ କାମକୁ ସମାନ ଦରମା, ଜାତୀୟ ପେନସନ ନିୟମ ବାତିଲ କରି ପୁରୁଣା ପେନସନ ନୀତି ଲାଗୁ କରିବା, ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ କରିବା, ଜୀବନ ରକ୍ଷାକାରୀ ଔଷଧର ଦର କମାଇବା, ଅଣସଂଗଠିତ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ବୀମା ଭୁକ୍ତ କରିବା, ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ, ଦେଶ ବଞ୍ଚାଅ ଜନତା ବଞ୍ଚାଅ ପ୍ରଭୃତି ଦାବୀ ଉପରେ ବିକ୍ଷୋଭକାରୀମାନେ ଆଲୋକପାତ କରିଥିଲେ । ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ବିଭିନ୍ନ ସଂଗଠନର ନେତାମାନେ କଟୁ ସମାଲୋଚନା କରିଥିଲେ । କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଗୁଡିକ ଦ୍ୱାରା ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ଜନସାଧାରଣ ଅତ୍‌ଭୁତପୂର୍ବ ସମର୍ଥନ କରିଥିଲେ । ପାଟଣାଗଡ ମିଳିତ ମଞ୍ଚର ନିରଞ୍ଜନ ବିଶି, ରାଜେଶ ମେହେର, ଦଶରଥ ଦାଶ, ସୁନୀଲ ଗୋୟଲ, ଘନଶ୍ୟାମ ମେହେର, ଦିଲୀପ ଭୋଇ, ଲଳିତ ମଳିକ, ଡିଙ୍ଗର କୁମ୍ଭାର, ଶଙ୍ଖା ଚନ୍ଦନ, ସୌଦାମିନୀ ବଗର୍ତ୍ତୀ, ଲଳିତା ବାଗ, ଉର୍ବଶୀ ସାହୁ, ସଂଗୀତା ହରପାଳ, ମଥୁରା କାଳସାଏ, ଆନନ୍ଦିନୀ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ । ପଶ୍ଚିମାଞ୍ଚଳ ବିଜୁଳି ଶ୍ରମିକ ସଂଘ, ବଢ଼େଇ ମିସ୍ତ୍ରୀ ସଂଘ, ହୀରା ଜିଟିଡ଼ି ୱାର୍କର୍ସ ୟୁନିଅନ, ପୋଷ୍ଟାଲ ଏମ୍ପ୍ଲୟୀ ୟୁନିଅନ, ଆଶା କର୍ମୀ ସଂଘ, ସିଟି ଜେନ କମିଟି, ଅଙ୍ଗନୱାଡି କର୍ମଚାରୀ ସଂଘ, ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ଉଠା ଦୋକାନୀ ସଂଘ, ଏନ୍‌.ଏ.ସି ସଫେଇ କର୍ମଚାରୀ ସଂଘ ଏବଂ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତା ସାମିଲ ଥିଲେ ।

Leave A Reply

Your email address will not be published.