ରାଜପୁର ହାଇସ୍କୁଲରେ ସରୋଜିନୀ ପଟ୍ଟନାୟକ ସ୍ମାରକୀ ମେଧାବୀ ସମ୍ମାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଦରମହକୁମା ଛତ୍ରପୁରଠାରୁ ମାତ୍ର ୭ କି.ମି. ଦୂରରେ ପଡେ ରାଜପୁର ଗ୍ରାମ । ବୁଧବାର ରାଜପୁର ହାଇସ୍କୁଲରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀରେ ଟପର ହୋଇଥିବା ଛାତ୍ର ଛାତ୍ରୀଙ୍କୁ ସରୋଜିନୀ ସ୍ମାରକୀ ମେଧାବୀ ସମ୍ମାନ ପ୍ରଦାନ ସହ ଉତ୍ସାହିତ କରାଯାଇଛି । ପ୍ରକାଶ ଥାଉକି, ୧୯୮୯ ମସିହାରେ ସ୍ଥାପିତ ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ରାଜପୁର ହାଇସ୍କୁଲ ଦ୍ୱିତୀୟ ପର୍ଯ୍ୟାୟରେ ଫାଇଭ-ଟି ଯୋଜନାରେ ନୂତନ ପରିବର୍ତ୍ତନଶୀଳ ଭାବେ ରୂପାନ୍ତରୀଣ ହେବାକୁ ଯାଉଥିବା ବେଳେ ଏହି ଶିକ୍ଷାନୁଷ୍ଠାନ ଏବେ ଶିକ୍ଷାକ୍ଷେତ୍ରରେ ଅନେକ ପ୍ରଗତିଶୀଳ ହେବାରେ ଲାଗିଛି । ଏହି ଗ୍ରାମରେ ପ୍ରାଥମିକଶିକ୍ଷା ଲାଭ କରିଥିବା ଏବଂ ଅଧୂନା ଛତ୍ରପୁର ସହରରେ ଅବସ୍ଥାନ କରିଥିବା ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀ କିଶୋର ଚନ୍ଦ୍ର ପଟ୍ଟନାୟକ ଏହି ଗ୍ରାମ ସ୍କୁଲ ପରିଦର୍ଶନରେ ଆସି ଶିଶୁମାନଙ୍କର ମାନସିକ ଓ ବୌଦ୍ଧିକ ଜ୍ଞାନ ଦେଖି ସେ ଖୁସିବ୍ୟକ୍ତ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶ୍ରୀ ପଟ୍ଟନାୟକଙ୍କ ସହଧର୍ମିଣୀ ସ୍ବର୍ଗୀୟ ସରୋଜିନୀ ପଟ୍ଟନାୟକ ଜଣେ ଛାତ୍ରବତ୍ସଳ ଆଦର୍ଶ ଶିକ୍ଷୟିତ୍ରୀ ଥିଲେ । ତାହାଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଏହି ରାଜପୁର ହାଇସ୍କୁଲକୁ ଏକଲକ୍ଷ ଟଙ୍କା ଦାନ ସୂତ୍ରରେ ସମର୍ପିତ କରିଛନ୍ତି । ସେହି ଅର୍ଥର ବ୍ୟାଙ୍କ ସୁଧରେ ପ୍ରତିବର୍ଷ ଶ୍ରେଣୀରେ ଟପର ଥିବା ସର୍ବମୋଟ ତିନିଜଣ ମେଧାବୀ ବିଦ୍ୟାର୍ଥୀଙ୍କୁ ବୃତ୍ତିନାମାରେ ପୁରସ୍କାର ସମ୍ମାନରେ ସମ୍ମାନୀତ କରାଯିବା ଉଦ୍ଦେଶ୍ୟ ନେଇ ଉକ୍ତ ଅର୍ଥର ଏକ ବର୍ଷର ସୁଧରେ ପ୍ରଥମ କରି ତିନିଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ମେଧାବୀ ସମ୍ମାନରେ ସମ୍ମାନୀତ କରାଯାଇଛି । ସୁଶ୍ରୀ ଦୀପିକା ବେହେରା (ଅଷ୍ଟମ), ସାଗର ସେଠୀ (ନବମ), ସୁଶ୍ରୀ ଖୁସି ପ୍ରଧାନ (ଦଶମ) ପ୍ରମୁଖ ବିଦ୍ୟାର୍ଥୀଙ୍କୁ ଯଥାକ୍ରମେ ଏକ ହଜାର ଟଙ୍କା, ପନ୍ଦରଶହ ଟଙ୍କା ଓ ଦୁଇ ହଜାର ପାଞ୍ଚଶହ ଟଙ୍କା ବୃତ୍ତିନାମା ପ୍ରଦାନ କରାଯାଇଛି । ସ୍ବର୍ଗୀୟ ସରୋଜିନୀ ପଟ୍ଟନାୟକଙ୍କ ସ୍ମାରକୀ ମେଧାବୀ ସମ୍ମାନ ସ୍ୱତନ୍ତ୍ର ଉତ୍ସବ ସାମାରୋହରେ ପ୍ରଧାନଶିକ୍ଷକ ଲକ୍ଷ୍ମଣ ତରାଇଙ୍କ ସଭାପତିତ୍ୱରେ ବରିଷ୍ଠ ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନଶିକ୍ଷକ ରଜନୀକାନ୍ତ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁମାନଙ୍କୁ ନୈତିକଶିକ୍ଷା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ମନ୍ମଥ କୁମାର ପାଢ଼ୀ, ଶିକ୍ଷାବିତ କେ.ସତ୍ୟନାରାୟଣ ରେଡ୍ଡୀ, ସ୍କୁଲ ଅବିଭାବକ ସଂଘ ସଭାପତି ରାମହରି ବେହେରା, ସ୍କୁଲ ପରିଚାଳନା ସଭାପତି ରାଧାମୋହନ ଗୌଡ଼, ପ୍ରଶାନ୍ତ କୁମାର ବାରିକ, ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନେ ମିଳିତ ସଙ୍ଗୀତଗାନ କରିଥିବା ସହ ସଂସ୍କୃତ ଶିକ୍ଷକ ଉମାଶଙ୍କର ପୁରୋହିତ ସ୍ୱର ସଂଯୋଜନା କରିଥିଲେ ଏବଂ ବିଜ୍ଞାନ ଶିକ୍ଷକ ସୂର୍ଯ୍ୟନାରାୟଣ ଦାଶ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave A Reply

Your email address will not be published.