ରିଜର୍ଭ ପୋଲିସ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶାସ୍ତ୍ରୀୟ ଭାଷା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରିଜର୍ଭ ପୋଲିସ୍ ଲାଇନ୍ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ଓଡିଆ ଶାସ୍ତ୍ରୀୟ ଭାଷା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡିଆ ଶାସ୍ତ୍ରୀୟ ଭାଷା ସଂପର୍କରେ ଆଲୋଚନା କରିଥିଲେ । ଅତିଥିମାନେ କହିଥିଲେ ଯେ, ଶାସ୍ତ୍ରୀୟ ଗୌରବ ଅର୍ଜନ କରିବାରେ ଓଡିଆ ହେଲା ଷଷ୍ଠ ଭାଷା । ପୁଣି ଭାରତୀୟ ଆର୍ୟ୍ୟ ଭାଷା ପରିବାରର ପ୍ରଥମ ଭାଷା । ସ୍ବକୀୟ ମୌଳିକତା, ରକ୍ଷଣ ଶୀଳତା, ଆହରଣ କ୍ଷମତା, ସୃଜନ ଦକ୍ଷତା ଓ ପ୍ରସାରଣ ଶୀଳତା ଯୋଗୁଁ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି । ସାଂପ୍ରତିକ ସାମାଜିକ କ୍ଷେତ୍ର, ଶିକ୍ଷା କ୍ଷେତ୍ର ଓ ପ୍ରଶାସନିକ କ୍ଷେତ୍ରରେ ଓଡ଼ିଆ ଭାଷା ବ୍ୟବହାର ହ୍ରାସ ପାଇବାରେ ଲାଗିଛି । ଯଦି ପ୍ରତ୍ୟେକ ଓଡିଆ ଭାଷାକୁ କଥିତ ଓ ଲିଖିତ ଭାବେ ବ୍ୟବହାର କରିବେ ତେବେ ଭାଷାର ସୁରକ୍ଷା ଓ ସମୃଦ୍ଧି ହୋଇପାରିବ । ସଭାପତିତ୍ୱ ଅଭିଭାଷଣ ସହ ସଭାପତି ଶ୍ରୀମତୀ ଜେନା କହିଲେ ଯେ ଭାଷା ହେଉଛି ଏକ ଜାତିର ଆତ୍ମା । ଗୋଟିଏ ଭୂଖଣ୍ଡର ଅସ୍ମିତା । ମାତୃଭାଷା ହେଉଛି ମଣିଷର ରକ୍ତଗତ ସମ୍ପର୍କ । ଓଡ଼ିଶାରେ ଓଡ଼ିଆ ହେଉଛି ଆମ ମାତୃଭାଷା, ଆମ ରାଜ୍ୟର ଭାଷା, ଆମ ରାଷ୍ଟ୍ର ସ୍ବୀକୃତ ଶାସ୍ତ୍ରୀୟ ଭାଷା । ମାତୃଭାଷାର ଅପମାନ ମା’ର ଅପମାନ ସହିତ ସମାନ । ଯେଉଁ ଜାତିର ଭାଷା ଉନ୍ନତ ତା ଦେଶ ସେତେ ଉନ୍ନତ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷୟିତ୍ରୀ ଦେବଜାନୀ ବାରିକ, ନିବେଦିତା ମହାନ୍ତି, ପାର୍ବତୀ ଟପ୍ନୋ, ଗାୟତ୍ରୀ ବେହେରା, ସ୍ବୟଂପ୍ରଭା ଦାସ, ଜ୍ୟୋସ୍ନାରାଣୀ ପାତ୍ର, ପ୍ରତିମା ବେହେରା ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ ଦେବଜାନୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.