ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଓ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ଓଡିଆ ଶାସ୍ତ୍ରୀୟ ଭାଷା ଦିବସ ପାଳିତ ହୋଇଯାଇଛି । ସଂଘର ସମ୍ପାଦକ ରାଧାମୋହନ ନାୟକ ଓ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଶ୍ମିରଂଜନ ବୋଇତାଇ ମୁଖ୍ୟ ଅତିଥି ଓ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଓଡିଆ ଶାସ୍ତ୍ରୀୟ ଭାଷା ସଂପର୍କରେ ଆଲୋଚନା କରିଥିଲେ । ଅତିଥିମାନେ କହିଥିଲେ ଯେ, ଶାସ୍ତ୍ରୀୟ ଗୌରବ ଅର୍ଜନ କରିବାରେ ଓଡିଆ ହେଲା ଷଷ୍ଠ ଭାଷା । ପୁଣି ଭାରତୀୟ ଆର୍ଯ୍ୟ ଭାଷା ପରିବାରର ପ୍ରଥମ ଭାଷା । ସ୍ୱକୀୟ ମୌଳିକତା, ରକ୍ଷଣ ଶୀଳତା, ଆହରଣ କ୍ଷମତା, ସୃଜନ ଦକ୍ଷତା ଓ ପ୍ରସାରଣ ଶୀଳତା ଯୋଗୁଁ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି । ସାଂପ୍ରତିକ ସାମାଜିକ କ୍ଷେତ୍ର, ଶିକ୍ଷା କ୍ଷେତ୍ର ଓ ପ୍ରଶାସନିକ କ୍ଷେତ୍ରରେ ଓଡ଼ିଆ ଭାଷା ବ୍ୟବହାର ହ୍ରାସ ପାଇବାରେ ଲାଗିଛି । ଯଦି ପ୍ରତ୍ୟେକ ଓଡିଆ ଭାଷାକୁ କଥିତ ଓ ଲିଖିତ ଭାବେ ବ୍ୟବହାର କରିବେ ତେବେ ଭାଷାର ସୁରକ୍ଷା ଓ ସମୃଦ୍ଧି ହୋଇପାରିବ । ଏହି ଅବସରରେ ମଂଚର ଶ୍ରୀ ମହାପାତ୍ର କହିଲେ ଯେ ଭାଷା ହେଉଛି ଏକ ଜାତିର ଆତ୍ମା । ଗୋଟିଏ ଭୂଖଣ୍ଡର ଅସ୍ମିତା । ମାତୃଭାଷା ହେଉଛି ମଣିଷର ରକ୍ତଗତ ସମ୍ପର୍କ । ଓଡ଼ିଶାରେ ଓଡ଼ିଆ ହେଉଛି ଆମ ମାତୃଭାଷା, ଆମ ରାଜ୍ୟର ଭାଷା, ଆମ ରାଷ୍ଟ୍ର ସ୍ୱୀକୃତ ଶାସ୍ତ୍ରୀୟ ଭାଷା । ମାତୃଭାଷାର ଅପମାନ ମା’ର ଅପମାନ ସହିତ ସମାନ । ଯେଉଁ ଜାତିର ଭାଷା ଉନ୍ନତ ତା ଦେଶ ସେତେ ଉନ୍ନତ । ପରବର୍ତ୍ତୀ ପର୍ଯ୍ୟାୟରେ ଏକ ମନୋଜ୍ଞ କବିତାପାଠ କାର୍ଯ୍ୟକ୍ରମ କବୟିତ୍ରୀ ରଶ୍ମି ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ସଂଗୀତକାର ଶରତଚନ୍ଦ୍ର ପଣ୍ଡା ଭକ୍ତକବି ମଧୁସୂଦନ ରାଓଙ୍କ ସଂଗୀତ ପରିବେଷଣ କରିଥିବା ବେଳେ ବଳରାମ ରାଉଳ, ମୀନକେତନ ପଶାୟତ, ସୁସ୍ମିତା ଚିନ୍ତକ, ସୁପ୍ତି କର, ଉପେନ୍ଦ୍ର କୁମାର ବସ୍ତିଆ, ନିରୁପମା ପତି, ଗୀତାରାଣୀ ବେହେରା, ଅଙ୍ଗୁରବାଳା ପରିଡ଼ା, କୁଞ୍ଜବିହାରୀ ରାଉତ, ଅଶୋକ କୁମାର ପଟ୍ଟନାୟକ, ବ୍ରଜବିହାରୀ ଦାଶ, ପ୍ରଫୁଲ୍ଲ କୁମାର ସାମଲ, ତ୍ରିଲୋଚନ ସ୍ବାଇଁ, ଅଭିରାମ ପ୍ରଧାନ, ରଶ୍ମି ସାହୁ, ବସନ୍ତ ବିଶ୍ଵକର୍ମା ସ୍ୱରଚିତ କବିତାମାନ ପାଠ କରିଥିଲେ । ଏହି ଶାସ୍ତ୍ରୀୟ ଭାଷା ଦିବସରେ ରାଉରକେଲାର ବହୁ ଅନୁଷ୍ଠାନର କର୍ମକର୍ତ୍ତା ବୁଦ୍ଧିଜୀବୀ ପ୍ରଗତି ଉତ୍କଳ ସଂଘର ଅରବିନ୍ଦ ପାତ୍ର, ପ୍ରଦୀପ କୁମାର ପଟ୍ଟନାୟକ, ପରୀକ୍ଷିତ ଗୁରୁ, ଲକ୍ଷ୍ମଣନାଥ ଦାସ, ଧରଣୀଧର ସାମଲ, ଶ୍ରୀଧର ସୁନା, ପ୍ରକାଶ ଚନ୍ଦ୍ର ସେଠୀ, ସତ୍ୟ ନାରାୟଣ ଦାସ, ଅର୍ଜୁନ ସ୍ବାଇଁ, ଭଗବାନ ପରିଡ଼ା, ଗଙ୍ଗାଧର ପୁହାଣ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଇନ୍ଦ୍ରମଣି ମହାପାତ୍ର, ପ୍ରସନ୍ନ କୁମାର ମହାନ୍ତି ଓ ଲକ୍ଷ୍ମଣନାଥ ଦାସ । ପ୍ରାରମ୍ଭରେ ଶ୍ରୀ ନାୟକ ସ୍ବାଗତ ଭାଷଣ ରଖିଥିବା ବେଳେ ଶେଷରେ ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post