ପୌର ନିର୍ବାଚନ ସଂପର୍କିତ ଆଦର୍ଶ ଆଚରଣ ବିଧିର ଅନୁପାଳନ ଉପରେ ରାଜନୈତିକ ଦଳ ମାନଙ୍କ ସହ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲାରେ ପୌର ନିର୍ବାଚନ ସଂପର୍କିତ ଆଦର୍ଶ ଆଚରଣ ବିଧିର ଅନୁପାଳନ ଉପରେ ରାଜନୈତିକ ଦଳମାନଙ୍କ ସହ ଏକ ବୈଠକ ଜିଲ୍ଲାପାଳ ଚଂଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସାଧାରଣ ପର୍ୟ୍ୟବେକ୍ଷକ ଗଂଗାଧର ନାୟକ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ପିଡ଼ି ଡିଆର୍‌ଡିଏ ସୁଶାନ୍ତ କୁମାର ସିଂ, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ସାଏ, ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ପାଟଣାଗଡ଼ ଉପଜିଲ୍ଲାପାଳ ଡ.ବିଜୟାନନ୍ଦ ସେଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲୀପ କୁମାର ପଟେଲ, ସମସ୍ତ ନିର୍ବାଚନ ଅଧିକାରୀ, ପୌର ପରିଷଦ ଓ ଏନ୍‌ଏସି.ର ନିର୍ବାହୀ ଅଧିକାରୀଙ୍କ ସମେତ ଭାରତୀୟ ଜାତୀୟ କଂଗ୍ରେସ, ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି, ଆମ୍‌ ଆଦମୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ ଭିଲେଜର୍ସ ଇଣ୍ଡିଆ ପାର୍ଟି ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ପୌର ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଏବଂ ନିର୍ବାଚନ ସଂପର୍କିତ ଆଦର୍ଶ ଆଚରଣ ବିଧିର ସଠିକ୍‌ ଅନୁପାଳନ ଉପରେ ସମସ୍ତ ରାଜନୈତିକ ଦଳ ତଥା ପ୍ରାର୍ଥୀମାନେ ଉପଯୁକ୍ତ ଧ୍ୟାନ ଦେବାକୁ ଜିଲ୍ଲାପାଳ ଶ୍ରୀ ରାଣା ପରାମର୍ଶ ଦେଇଥିଲେ । ପ୍ରଚାର ତଥା ଶୋଭାଯାତ୍ରା ସମୟରେ ହସପିଟାଲ କିମ୍ବା ସ୍ୱାସ୍ଥ୍ୟକେନ୍ଦ୍ର, ପାଠପଢ଼ା କିମ୍ବା ପରୀକ୍ଷା ସମୟରେ ବିଦ୍ୟାଳୟ ଗୁଡ଼ିକରେ ଯେପରି ବ୍ୟାଘାତ ନହୁଏ ସେଥିପ୍ରତି ରାଜନୈତିକ ଦଳମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ସାଧାରଣ ପର୍ୟ୍ୟବେକ୍ଷକ ଶ୍ରୀ ନାୟକ ପୌର ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଦିଗରେ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ସହଯୋଗ କରିବା ସହ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଦତ୍ତ ଆଦର୍ଶ ଆଚରଣ ବିଧିର ସଠିକ୍‌ ଅନୁପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ କୁଶଲକର ଆଦର୍ଶ ଆଚରଣ ବିଧିକୁ ପାଳନ କରିବା ତଥା ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଦିଗରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ପିଡ଼ି (ପ୍ରଶାସନ) ଡ.ଗୁଣନିଧି ନାୟକ ବଲାଙ୍ଗିର ଜିଲ୍ଲାରେ ପୌର ନିର୍ବାଚନ ସଂପର୍କିତ ସମସ୍ତ ତଥ୍ୟ ଉପସ୍ଥାପନ କରିବା ସହ ପୌର ନିର୍ବାଚନ ସଂପର୍କିତ ଆଦର୍ଶ ଆଚରଣ ବିଧିର ସମସ୍ତ ଦିଗ ଉପରେ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରିଥିଲେ । ସଭା ଓ ଶୋଭାଯାତ୍ରା, ପ୍ରଚାର ଭୋଟଗ୍ରହଣ ଦିନ ଭୋଟ ଗ୍ରହଣ କେନ୍ଦ୍ର ପାଇଁ ରହିଥିବା ନିୟମାବଳୀ, ଲାଉଡ଼୍‌ ସ୍ପିକର୍‌ର ବ୍ୟବହାର ପାଇଁ ଥିବା ନିୟମାବଳୀ, ଯାନବାହାନ ବ୍ୟବହାର, ନିର୍ବାଚନ ଖର୍ଚ୍ଚ ଆଦି ସଂପର୍କରେ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଦତ୍ତ ନିୟମାବଳୀ ସଂପର୍କରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ବୈଠକରେ ଅବଗତ କରାଯାଇଥିଲା ।

Leave A Reply

Your email address will not be published.