ଭୁବନେଶ୍ୱର, (କେପିଏନ୍ଏସ୍) : ସ୍ପେନ୍ର ଭିଟୋରିଆଠାରେ ଆୟୋଜିତ ସ୍ପାନିସ୍ ପାରା ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ପ୍ରମୋଦ ଭଗତ ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୩ଟି ବର୍ଗ ସିଙ୍ଗଲ୍ସ, ଡବଲ୍ସ ଏବଂ ମିକ୍ସଡ୍ ଡବଲ୍ସରେ ଚାମ୍ପିଅନ୍ ହୋଇ ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିଛନ୍ତି । ସେହିପରି ଦୀପରଞ୍ଜନ ବିଶୋୟୀ ପୁରୁଷ ଡବଲ୍ସରେ ମହମ୍ମଦ ଅରୱାଜଙ୍କୁ ସାଥି କରି ବ୍ରୋଞ୍ଜ ପଦକ ଜିତିଛନ୍ତି ।
ଗତକାଲି ଅନୁଷ୍ଠିତ ମିକ୍ସଡ୍ ଡବଲ୍ସ ଫାଇନାଲ୍ରେ ପ୍ରମୋଦ ଓ ପଲକ କୋହଲି ଯୋଡ଼ି ୧୪-୨୧, ୨୧- ୧୧, ୨୧-୧୪ରେ ରୁଥିକ ରଘୁପତି ଓ ମାନଷୀ ଜୋଶି ଯୋଡ଼ିଙ୍କୁ ପରାଜିତ କରିଥିଲେ । ଏହାପରେ ଡବଲ୍ସ ଫାଇନାଲ୍ରେ ପ୍ରମୋଦ ଓ ମନୋଜ ସରକାର ଯୋଡ଼ି ୨୧- ୧୯, ୧୧-୨୧, ୨୧-୧୧ରେ ସୁକାନ୍ତ କଦମ ଓ ନିତେଶ କୁମାର ଯୋଡ଼ିଙ୍କୁ ହରାଇଥିଲେ । ଶେଷରେ ସିଙ୍ଗଲ୍ସରେ ମଧ୍ୟ ପ୍ରମୋଦ ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଥିଲେ । ସେ ଫାଇନାଲ୍ରେ ୧୭-୨୧, ୨୧-୧୭, ୨୧-୧୭ରେ ନିତେଶଙ୍କୁ ପରାସ୍ତ କରିଥିଲେ ।