ରୁଷ ସୈନ୍ୟଙ୍କ ପ୍ରଚଣ୍ଡ ଆକ୍ରମଣରେ ଛାରଖାର ୟୁକ୍ରେନ ରାଜଧାନୀ କିଭ୍‌ ସହର : କିଭ୍‌କୁ ଚାରିପଟୁ ଘେରି ରଖିଛନ୍ତି ରୁଷ ସୈନିକ

ନୂଆଦିଲ୍ଲୀ : ରୁଷ ସୈନ୍ୟଙ୍କ ପ୍ରଚଣ୍ଡ ଆକ୍ରମଣରେ ଛାରଖାର ହୋଇଯାଇଛି ୟୁକ୍ରେନ ରାଜଧାନୀ କିଭ୍‌ ସହର । କିଭ୍‌କୁ ଚାରିପଟୁ ଘେରି ରଖିଛନ୍ତି ରୁଷ ସୈନିକ । ତୁହାକୁ ତୁହା ବୋମା ଓ ମିସାଇଲ୍‌ ମାଡ଼ରେ ହୁ ହୁ ହୋଇ ଜଳୁଛି ସହର । ସହରର ଅସଂଖ୍ୟ ଉଚ୍ଚତମ ଅଟ୍ଟାଳିକାକୁ ମିସାଇଲ୍‌ ମାଡ଼ କରାଯାଇଥିବା ବେଳେ ମାର୍କେଟିଂ ବିଲ୍‌ଡିଂ ଉପରେ ମଧ୍ୟ ଆଜି ସକାଳୁ ବୋମା ମାଡ଼ ହୋଇଥିବା ସୂଚନାରେ କୁହାଯାଉଛି । କିଭ୍‌ ବାହାରେ ରୁଷ ସୈନ୍ୟଙ୍କ ଯୁଦ୍ଧଯାନର ପ୍ରାୟ ୬୪ କିମି.ର ଲମ୍ବା ଲାଇନ୍‌ ସେଟେଲାଇଟ୍‌ ଦ୍ୱାରା ଦେଖିବାକୁ ମିଳୁଛି । ଏଭଳି ସମୟରେ ୟୁକ୍ରେନ୍‌ ସୈନ୍ୟଙ୍କ ଆମ୍‌ ଜନତା ମିଶି ରୁଷ ସୈନ୍ୟଙ୍କୁ ରୋକିବା ପାଇଁ ଅଂଟା ଭିଡ଼ିଛନ୍ତି ୟୁକ୍ରେନୀମାନେ ।

ସୂଚନାଯୋଗ୍ୟ ଯେ, ଗତକାଲି ରୁଷ୍‌ ଓ ୟୁକ୍ରେନ୍‌ର ପ୍ରତିନିଧି ମଣ୍ଡଳୀ ବେଲାରୁଷ୍‌ ସୀମାରେ ଶାନ୍ତି ପାଇଁ କଥାବାର୍ତ୍ତା ହୋଇଥିଲେ ମଧ୍ୟ ଏହା ବିଫଳ ହୋଇଥିବା କୁହାଯାଉଛି । ରୁଷ୍‌ ରାଷ୍ଟ୍ରପତି ପୁତିନ୍‌ ତାଙ୍କ ପରମାଣୁ ଅସ୍ତ୍ରକୁ ପ୍ରୟୋଗ ପାଇଁ ପ୍ରସ୍ତୁତ ରଖିବାକୁ ସଶସ୍ତ୍ର ବାହିନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ସାରା ବିଶ୍ୱରେ ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ବେଶ୍‌ ଉତ୍ତେଜନା ଲାଗି ରହିଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପକ୍ଷରୁ ମଧ୍ୟ ତାଙ୍କ ଦେଶର ସୈନ୍ୟବାହିନୀଙ୍କୁ ପରମାଣୁ ଅସ୍ତ୍ର ସଜେଇ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତ ଏହି ଯୁଦ୍ଧରେ ନିରପେକ୍ଷ ରହିଥିବା ସାରା ବିଶ୍ୱରେ ସ୍ପଷ୍ଟ ହୋଇଯାଇଛି ।

ରୁଷ୍‌ ଓ ୟୁକ୍ରେନ୍‌ ଉଭୟ ପକ୍ଷ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଥିବା ଦେଖିବାକୁ ମିଳିଛି । ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କେ କୌଣସି ପରିସ୍ଥିତିରେ ମଧ୍ୟ ଆତ୍ମସମର୍ପଣ କରିବାକୁ ପ୍ରସ୍ତୁତ ନୁହନ୍ତି । ସୂଚନା ଅନୁସାରେ ମିତ୍ର ରାଷ୍ଟ୍ରମାନଙ୍କଠାରୁ ୟୁକ୍ରେନ୍‌କୁ ଯୁଦ୍ଧ ସହାୟତା ମିଳିବା ଆରମ୍ଭ ହୋଇଯାଇଛି । ଯୁଦ୍ଧର ବିଧ୍ୱଂସ ସାରା ବିଶ୍ୱକୁ ଆତଙ୍କିତ କରି ରଖିଥିବା ବେଳେ ରୁଷ୍‌ର ତାୱଡ୍‌ତୋଡ଼୍‌ ଆକ୍ରମଣକୁ ବିଶ୍ୱ ଦରବାରରେ ନିନ୍ଦା କରାଯାଉଛି ।

Leave A Reply

Your email address will not be published.