ବର୍ଜ୍ୟବସ୍ତୁରୁ ସମ୍ପଦ ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଉପରେ ଆଲୋକପାତ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ
● ବିଭିନ୍ନ ରାଜ୍ୟର ଖଣି ଓ ଶିଳ୍ପ ମନ୍ତ୍ରୀମାନଙ୍କ ଦୁଇ ଦିନିଆ ସମ୍ମିଳନୀରେ ଅଧ୍ୟକ୍ଷତା କଲେ କେନ୍ଦ୍ର ମନ୍ତ୍ରୀ
● ରାଜ୍ୟ ସରକାରଙ୍କ ସହିତ ସକାରାତ୍ମକ ଆଲୋଚନା ପାଇଁ ସନ୍ତୋଷ ବ୍ୟକ୍ତ କଲେ କେନ୍ଦ୍ର ମନ୍ତ୍ରୀ ଫଗନ ସିଂ କୁଲସ୍ତେ
● ସମ୍ମିଳନୀରେ ଇସ୍ପାତ, ଖଣି କ୍ଷେତ୍ରର ବିଭିନ୍ନ ପ୍ରସଙ୍ଗରେ ହେଲା ଆଲୋଚନା
ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟର ଖଣି ଏବଂ ଶିଳ୍ପ ମନ୍ତ୍ରୀମାନଙ୍କର ଏକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଓଡ଼ିଶାରେ ଆୟୋଜିତ ହେଉଥିବା ଏହି ଦୁଇଦିନିଆ ସମ୍ମିଳନୀରେ ଖଣି ସମୃଦ୍ଧ ରାଜ୍ୟମାନଙ୍କରେ ରହିଥିବା ସମ୍ଭାବନା ଉପରେ ବିଚାରବିମର୍ଶ କରାଯାଇଛି । ବିଶେଷ କରି ଖଣି ଲିଜ୍, ପରିବେଶ ମଞ୍ଜୁରି ଏବଂ ବର୍ତ୍ତମାନର ଏବଂ ନୂଆ ଖଣି ପ୍ରକଳ୍ପ ସମ୍ପର୍କରେ ସମ୍ମିଳନୀରେ ଆଲୋଚନା ହୋଇଛି ।
ଏହି ସମ୍ମିଳନୀକୁ ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଉଦଘାଟନ କରିଥିବା ବେଳେ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ, ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମଧ୍ୟପ୍ରଦେଶ ଶିଳ୍ପ ଓ ନିବେଶ ପ୍ରୋତ୍ସାହନ ମନ୍ତ୍ରୀ ରାଜବର୍ଦ୍ଧନ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଏହାବ୍ୟତୀତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଇସ୍ପାତ ମନ୍ତ୍ରଣାଳୟ ଅଧୀନ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଅଧ୍ୟକ୍ଷମାନେ ମଧ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।
ଏହି ସମ୍ମିଳନୀରେ ଖଣି, ବିଶେଷ କରି ଇସ୍ପାତ କ୍ଷେତ୍ର ସହ ଜଡ଼ିତ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରାଯାଇଥିଲା ଏବଂ ଏହା ଉପରେ ଫଳପ୍ରଦ ଆଲୋଚନା ହୋଇଥିଲା ଯାହାକୁ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ପ୍ରତିନିଧିମାନେ ସ୍ୱାଗତ କରିଥିଲେ ।
ଖଣିଜ ଦ୍ରବ୍ୟ ଉତ୍ତୋଳନ ଏବଂ ଇସ୍ପାତ ଉତ୍ପାଦନ ପ୍ରସଙ୍ଗ ଉପସ୍ଥାପନ କରି ଇସ୍ପାତ ମନ୍ତ୍ରଣାଳୟ ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ନୀତିଗତ ସହାୟତା ସମ୍ପର୍କରେ ସୂଚନା ଦେଇଥିଲେ । କାରବାରକୁ ଆଗକୁ ବଢ଼ାଇବା ଲାଗି ରାଜ୍ୟ ସରକାରମାନଙ୍କ ଠାରୁ ଆବଶ୍ୟକ ସହାୟତା ସମ୍ପର୍କରେ ମଧ୍ୟ ସେମାନେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଅବସରରେ କେନ୍ଦ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗର ମୁଖ୍ୟମାନେ ସେମାନଙ୍କ ମତ ଉପସ୍ଥାପନ କରି ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ ଏବଂ ସହଯୋଗକୁ ଆହୁରି ଆଗକୁ ବଢ଼ାଇବା ଲାଗି ସେମାନେ ଆଗ୍ରହୀ ଥିବା ପ୍ରକାଶ କରିଥିଲେ ।
କେନ୍ଦ୍ର ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଏହି ଅବସରରେ ‘ବର୍ଜ୍ୟରୁ ସମ୍ପଦ ସୃଷ୍ଟି’ ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ସମ୍ପର୍କରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ । ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ଇସ୍ପାତ ଉତ୍ପାଦନରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ବ୍ୟବହାର ପାଇଁ ରହିଥିବା ସୁଯୋଗକୁ ସନ୍ଧାନ କରିବା ଲାଗି ବିଭିନ୍ନ କମ୍ପାନୀ ଗବେଷଣା କରୁଛନ୍ତି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ପ୍ରଭାବୀ ଥଇଥାନ ଏବଂ ପୁନର୍ବାସ ଉପରେ ଗୁରୁତ୍ବାରୋପ କରିଥିଲେ । ସେ କହିଥିଲେ ଯେ ଯେଉଁ କମ୍ପାନୀମାନେ ସକାରାତ୍ମକ ଭାବେ ସାମାଜିକ ପୁଞ୍ଜିର ଲାଭ ଉଠାଇବାକୁ ସକ୍ଷମ ଏବଂ ସ୍ଥାନୀୟ ଲୋକଙ୍କ କଲ୍ୟାଣ ପାଇଁ ସର୍ବଦା ପ୍ରସ୍ତୁତ ରହିଥାନ୍ତି ସେମାନେ ଦୀର୍ଘକାଳୀନ ଭିତ୍ତିରେ ଅଧିକ ଲାଭ ପାଇଥାନ୍ତି । ଅନୁରୂପ ଭାବେ, ଏହି କ୍ଷେତ୍ରରେ ସମସ୍ତ ଅଂଶୀଦାରମାନଙ୍କୁ ସମାନ ସୁବିଧାସୁଯୋଗ ମିଳିପାରିଲେ ଭାରତ ଏହି କ୍ଷେତ୍ରରେ ଆଗକୁ ବଢ଼ିପାରିବ ବୋଲି ସେ କହିଥିଲେ । ଏହି ଲକ୍ଷ୍ୟ ଦିଗରେ ଅଗ୍ରସର ହେବାକୁ ହେଲେ ଦ୍ବିତୀୟକ ଇସ୍ପାତ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ଏକ ନୀତିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ସମ୍ମିଳନୀରେ ପ୍ରାୟ ୫ ଘଣ୍ଟା ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସମସ୍ତ ପକ୍ଷ ସେମାନଙ୍କର ମତାମତ ଦେଇଥିଲେ ଏବଂ ଆଲୋଚନାରେ ଉପସ୍ଥାପନ ହୋଇଥିବା ବିଷୟବସ୍ତୁ ପ୍ରତି ଧ୍ୟାନ ଦିଆଯିବା ତଥା ସମସ୍ୟାର ଆବଶ୍ୟକ ସମାଧାନ ଉପରେ ସେମାନେ ଜୋର ଦେଇଥିଲେ । ଏହି ଆଲୋଚନାକୁ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ସ୍ୱାଗତ କରିଥିଲେ ।
ଆଲୋଚନା ଅବସରରେ ମଧ୍ୟପ୍ରଦେଶ ସରକାରଙ୍କ ଶିଳ୍ପ ଏବଂ ନିବେଶ ପ୍ରୋତ୍ସାହନ ମନ୍ତ୍ରୀ ରାଜବର୍ଦ୍ଧନ ସିଂ ତାଙ୍କ ସରକାର ନିବେଶ ପାଇଁ ଯୋଗାଇ ଦେଉଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ଶିଳ୍ପ ବିକାଶ ପାଇଁ ମଧ୍ୟପ୍ରଦେଶ ନିକଟରେ ଯଥେଷ୍ଟ ଜମି, କଞ୍ଚା ମାଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ ରହିଛି । ମଧ୍ୟପ୍ରଦେଶ ସରକାର ରାଜ୍ୟରେ ନିବେଶ ପାଇଁ ସଠିକ ଇକୋସିଷ୍ଟମର ବ୍ୟବସ୍ଥା କରିଥିବା ଶ୍ରୀ ସିଂ କହିଥିଲେ । କୋଣାର୍କରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିବାରୁ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ, ରାଜ୍ୟରେ ଖଣିଜ ଉତ୍ତୋଳନ ପାଇଁ ପୂର୍ବରୁ ଅନୁକୂଳ ପରିବେଶ ରହିଛି ।