oom

ମାତୃଭାଷା ଦିବସ : କୋସଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବୀ

jsmm

ବଲାଙ୍ଗିର (କେପିଏନ୍‌ଏସ୍‌) : ଆଜି ବିଶ୍ୱ ମାତୃଭାଷା ଦିବସ ପାଳନ ଅବସରରେ କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ ତରଫରୁ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ କୋସଲି ମାତୃଭାଷା ଦିବସ ସମାରୋହରେ ପାଳିତ ହୋଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସାଧାରଣ ସଭାରେ ବକ୍ତାମାନେ ସମସ୍ୱରରେ କୋସଲି ଭାଷାର ସାମ୍ବିଧାନିକ ମାନ୍ୟତା ଦାବୀ କରିଥିଲେ । କୋସଲି ଭାଷା ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ଦିଗରେ ରାଜ୍ୟ ସରକାର, ପ୍ରଶାସନ ତଥା ପୂର୍ବ ଓଡ଼ିଶାର ମୁଷ୍ଟିମେୟ ବୁଦ୍ଧିଜୀବୀ ମହଲ ଘୋର ଅନ୍ତରାୟ ସୃଷ୍ଟି କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ । ଅପରପକ୍ଷରେ କେତେକେ ଗୋଷ୍ଠୀ କୋସଲି ଭାଷା ସଂସ୍କୃତି ତଥା କୋସଲି ଅସ୍ମୀତା ଓ ପରିଚିତିକୁ ସଂପୂର୍ଣ୍ଣ କବର ଦେଇ ଦେବାକୁ ହୀନ ଚକ୍ରାନ୍ତ କରୁଥିବା ଦୃଷ୍ଟାନ୍ତ ଦେଇଥିଲେ । କୋସଲି ଭାଷାକୁ ଶୀଘ୍ର ମାନ୍ୟତା ନଦେଲେ ଗଣ ଆନ୍ଦୋଳନ ହେବ ବୋଲି ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା । ଏକାଡେମୀର ସଭାପତି ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତା ସଭାରେ ଅଧ୍ୟକ୍ଷତା କରିଥିଲେ । ପଦ୍ମଶ୍ରୀ ଡ. ନରସିଂହ ପ୍ରସାଦ ଗୁରୁ ମୁଖ୍ୟ ଅତିଥି ଭାବେ ଏବଂ ପଦ୍ମଶ୍ରୀ ଡ. ହଳଧର ନାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାଷା ସଂସ୍କୃତି ଉପରେ ସୁଚିନ୍ତିତ ମନ୍ତବ୍ୟ ଦେଇଥିଲେ । ସମ୍ମାନିତ ବକ୍ତା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, କୋସଲି ଭାଷା ସାହିତ୍ୟ ଗବେଷକ ରାମଭକ୍ତ ଫରିକାର, ଭାଷାକର୍ମୀ ଡ. ସାକେତ ଶ୍ରୀଭୂଷଣ ସାହୁ, ବରିଷ୍ଠ ସାମ୍ବାଦିକ ବିରେନ୍ଦ୍ର କୁମାର ଝାଙ୍କର, ପ୍ରାଧ୍ୟାପିକା ମୀନା ମହାରଣା, କବୟିତ୍ରୀ ଚନ୍ଦ୍ରବତୀ ପାଣ୍ଡେ ପ୍ରମୁଖ କୋସଲି ଭାଷା ସଂସ୍କୃତିର ଉକ୍ରର୍ଷତା ସଂପର୍କରେ ଆଲୋକପାତ କରିଥିଲେ । ସଭା ପ୍ରାରମ୍ଭରେ ଦେବୀ କୋସଲେଶ୍ୱରୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା ଏବଂ କୋସଲ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଶେଷରେ ଗବେଷିକା ସୀମାରାଣୀ ରଥ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମଟିକୁ ଏକାଡେମୀ ସାଧାରଣ ସମ୍ପାଦକ ଗୋରେଖନାଥ ସାହୁ ସଂଯୋଜନା କରିଥିଲେ ।

jittmm
Leave A Reply

Your email address will not be published.