ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ତ୍ରିସ୍ତରୀୟ ନିର୍ବାଚନରେ ଅନେକ ଜାଗାରେ ବିଭିନ୍ନ ସମସ୍ୟା ତଥା ଭୋଟ ବର୍ଜନ ଦେଖିବାକୁ ମିଳୁଛି । ଏହିଭଳି ଏକ ଘଟଣା ନୁନିଆପାଲି ପଂଚାୟତ ଅମରାମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ଠାରୁ ପ୍ରକାଶ ଯେ, ତାଙ୍କ ଗ୍ରାମର ସ୍କୁଲ ଉଠିଯାଇଥିବା ଅଭିଯୋଗ କରି ଦୀର୍ଘଦିନ ହେଲା ସ୍କୁଲରେ ତାଲା ପକାଇ ଆସନ୍ତା ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ନିଷ୍ପତ୍ତି ନେଇଥିଲେ । କିନ୍ତୁ ଗତକାଲି ପୋଲିସ ପ୍ରଶାସନ, ଉପଜିଲ୍ଲାପାଳ, ତହସିଲଦାରଙ୍କ ଉପସ୍ଥିତିରେ ସ୍କୁଲର ତାଲା ଭାଙ୍ଗି ବୁଥ କରିବା ପାଇଁ ନିଷ୍ପତ୍ତି ନେଇ ସେଠାରେ ଭୋଟ ଗ୍ରହଣ କେନ୍ଦ୍ର କରିଥିଲେ । ତେବେ ଉକ୍ତ ଗ୍ରାମର ଭୋଟରମାନେ ଭୋଟ କେନ୍ଦ୍ରକୁ ଭୋଟ ଦେବା ପାଇଁ ନଯାଇ ଭୋଟ ବର୍ଜନ କରିଥିଲେ । ଗାମବାସୀଙ୍କର ଦାବୀ ହେଉଛି କେଉଁ ଗାଇଡ୍ଲାଇନ୍ ବଳରେ ସ୍କୁଲକୁ ବନ୍ଦ କରିଦିଆଯାଇଛି । ସ୍କୁଲ ନାହିଁ ତ’ ଭୋଟ ନାହିଁ । ଗ୍ରାମବାସୀଙ୍କ ଠାରୁ ପ୍ରକାଶ ସ୍କୁଲ ବନ୍ଦ ହୋଇଯିବା ଜାଣିବା ପରେ ବ୍ଲକ କର୍ମଚାରୀଙ୍କ ଜରିଆରେ ସରକାରଙ୍କୁ ବାରମ୍ବାର ଅଭିଯୋଗ ସତ୍ବେ କୌଣସି ସରକାରୀ କର୍ମଚାରୀ ସରକାରୀ କ୍ଷେତ୍ରରେ ଆମ୍ଭଙ୍କୁ ସହଯୋଗ କରୁନାହାନ୍ତି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ଉକ୍ତ ବିଷୟରେ ଆଗଲପୁର ତହସିଲଦାର ପ୍ରତିକ୍ରିୟା ରଖିଛନ୍ତି ଯେ, ଆମ୍ଭେ ସ୍କୁଲ ଖୋଲି ନାହିଁ ଭୋଟ ପାଇଁ ଭୋଟ କେନ୍ଦ୍ର କରିଛୁ । ସ୍କୁଲ ଉଠିଯିବା ବିଷୟରେ ତହସିଲଦାର କହିଛନ୍ତି ଯେ ମୁଁ ସ୍କୁଲ ରହିବ କି ଉଠିଯିବ କିଛି କହିପାରିବି ନାହିଁ । ଉକ୍ତ ବିଷୟରେ ଶିକ୍ଷାବିଭାଗ କହି ପାରିବେ ବୋଲି ପ୍ରକାଶ କରିଛନ୍ତି । ସେଠାରେ ଉପସ୍ଥିତ ଆଗଲପୁର ଫାଣ୍ଡି ଅଧିକାରୀ ମଧ୍ୟ କିଛି ମନ୍ତବ୍ୟ ଦେବା ପାଇଁ ମନା କରିଦେଇଥିଲେ ।