ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସ୍ଵାସ୍ଥ୍ୟସେବା ଭଳି ଅନେକ ସମସ୍ୟାକୁ ନେଇ ସରକାର କୋଟି କୋଟି ଟଙ୍କାର ଯୋଜନା କରୁଥିବା ଡିମ୍ଡିମ ପିଟୁଛନ୍ତି । କିନ୍ତୁ ତାହା ଫେଲ ମାରିଛି ସଇଁନ୍ତଲା ବ୍ଳକରେ । ସୂଚନା ମତେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ୨୨ଟି ପଞ୍ଚାୟତର ଲୋକେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଦୁଃଖର ବିଷୟ ଯେ ପ୍ରାୟ ହଜାର ହଜାର ଲୋକେ ଡାକ୍ତରଖାନାକୁ ଆସିଥାନ୍ତି, ହେଲେ ୩ ଜଣ ଡାକ୍ତରଙ୍କ ମଧ୍ୟରୁ ଜଣେ ଡାକ୍ତର ଏହି ଡାକ୍ତରଖାନାର ଦାୟିତ୍ୱରେ ଅଛନ୍ତି । ତେବେ ଡାକ୍ତରଖାନାରେ ଆଉ ୫ଟି ଏମବିବିଏସ ଡାକ୍ତର ପଦଵୀ ଖାଲି ପଡ଼ିଛି । ଅଞ୍ଚଳବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଦିନକୁ ଦିନ କରୋନା ମହାମାରୀ ରୂପ ଧାରଣ କରି ସାରିଲାଣି ଏବଂ ସଇଁନ୍ତଲା ଡାକ୍ତରଖାନାକୁ ରୋଗୀ ମଧ୍ୟ ବହୁତ ଆସୁଥିବା ବେଳେ ରୋଗୀଙ୍କ ସମସ୍ୟା ବୁଝିବାକୁ କେହି ନାହାନ୍ତି । ଏପଟେ ଲମ୍ବା ଲାଇନ୍ ଲାଗି ୨ରୁ ୩ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ତେଣୁ ରୋଗୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ସଇଁନ୍ତଲା ମୁଖ୍ୟ ଚିକିତ୍ସାଳୟକୁ ବହୁ ନେତା ଅଫିସର ଆସିଥାନ୍ତି, କିନ୍ତୁ ରୋଗୀର ସମସ୍ୟାକୁ ବୁଝିବା ପାଇଁ ଚେଷ୍ଟା କରୁନାହାନ୍ତି । ଉକ୍ତ ଚିକିତ୍ସାଳୟରେ ଡାକ୍ତରଙ୍କ ନିଯୁକ୍ତି ଦିଆଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।
ପ୍ରକାଶ ଥାଉକି ଯେ ବଲାଙ୍ଗିର ଜିଲ୍ଲାରେ ୧୧୫ ଜଣ ଡାକ୍ତରଙ୍କ ଆବଶ୍ୟକତା ରହିଛି । କିନ୍ତୁ କେବେ ଡାକ୍ତରଙ୍କ ସମସ୍ୟା ପୂରଣ ହେବ, ତାହାକୁ ନେଇ ଏବେ ଚର୍ଚ୍ଚା । ଏନେଇ ବଲାଙ୍ଗିର ସିଡିଏମଓ ଡ଼ା. ଭୀମ ସାହୁଙ୍କୁ ପଚାରିବାରୁ ଡାକ୍ତରର ଅଭାବ ସଇଁନ୍ତଲା ବ୍ଳକରେ ନୁହଁ ବଲାଙ୍ଗିର ଜିଲ୍ଲାରେ ସବୁଆଡେ଼ ଅଛି । ଏହି ସମସ୍ୟାକୁ ନେଇ ପ୍ରତ୍ୟେକ ମାସରେ ରିପୋର୍ଟ ମଧ୍ୟ ଦିଆ ଯାଉଥିବା କହିଛନ୍ତି । ତେବେ ଆଗାମୀ ଦିନରେ ଡାକ୍ତର ସମସ୍ୟାର ସମାଧାନ କରା ନଗଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର କୁମାର ଠାକୁର ଚେତାବନୀ ଦେଇଛନ୍ତି । ରାଜ୍ୟ ସରକାର ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।