ନବକାକଳୀ ପତ୍ରିକାର ସ୍ୱନକ୍ଷତ୍ର ଦିବସ ପାଳିତ : ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତଙ୍କୁ ନବକାକଳୀ କବିତାଶ୍ରୀ ସମ୍ମାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗତସିଂହପୁରରୁ ପ୍ରକାଶିତ ହେଉଥିବା ନବକାକଳୀ ପତ୍ରିକାର ୨୭ତମ ସ୍ୱନକ୍ଷତ୍ର ଦିବସ ପାଳନ ସହ ରାଜ୍ୟସ୍ତରୀୟ କବି ସମ୍ମିଳନୀ, ସମ୍ବର୍ଦ୍ଧନା ଓ ପୁସ୍ତକ ଲୋକାର୍ପଣ ଉତ୍ସବ କେଳି କାଞ୍ଚନ ରତ୍ନାକର ପାଠାଗାର ଓ ବଣମଲ୍ଲୀ ସାହିତ୍ୟ ସଂସଦ ତରଫରୁ ଅନୁଷ୍ଠିତ ହୋଇଯାଇଛି । ମହେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ପୌରହିତ୍ୟ ଓ ସାଧାରଣ ସଂପାଦକ ସ୍ୱପ୍ନିଳ କବି ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉମାକାନ୍ତ ନାୟକ, ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ପିନାକୀ ମିଶ୍ର ପ୍ରମୁଖ ଯୋଗଦେଇ ସାହିତ୍ୟର ସମ୍ମାନ ରକ୍ଷା ସହ ଉତ୍ତମ ମାନର ସାହିତ୍ୟ ସୃଷ୍ଟି ପାଇଁ ଗୁରୁତ୍ୱାରୋପ କରିଥିଲେ । କଳ୍ପନା ବିବାଳ ଓ ମାତୃପ୍ରସାଦ ଶତ୍ରୁଜିତଙ୍କ ସଂଯୋଜନାରେ କବିତା ଆସରକୁ ଦେବେନ୍ଦ୍ର ନାଥ ନାୟକ ଉଦ୍‌ଘାଟନ କରିଥିଲେ । ସ୍ୱରଚିତ କବିତା ଆବୃତ୍ତିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପରୀକ୍ଷିତ ମହାନ୍ତି, ଗୀତାଞ୍ଜଳୀ ଦାସ ଓ ପୁରୁଷୋତ୍ତମ ଦାସଙ୍କୁ କାନ୍ତି ବାନାର୍ଜୀ ସ୍ମୃତି ସମ୍ମାନ ସ୍ୱରୂପ ନଗଦ ଅର୍ଥ, ମାନପତ୍ର ଓ ଅଙ୍ଗବସ୍ତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ଅଧିବେଶନ ସଂପାଦକ ଡଃ ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ସାହିତ୍ୟ ଆସରରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡଃ ଅଭୟ କୁମାର ବାରିକ ମୁଖ୍ୟ ଅତିଥି, ଇଂ.ଡଃ.ତୋଫାନ୍ ଜେନା ମୁଖ୍ୟବକ୍ତା ଓ ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ୍ ସନ୍ଧ୍ୟା ରାଓ ଯୋଗଦେଇ ନବକାକଳୀ ଅନୁଷ୍ଠାନ ସହ ସଂପର୍କ ଓ ସାରସ୍ୱତ ସାଧନା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଉରକେଲାର ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତଙ୍କୁ ନବକାକଳୀ କବିତାଶ୍ରୀ ସମ୍ମାନ, ପଣ୍ଡିତ ନାଗୁଚରଣ ଦେବତା, ଅନିତା ପାଣି, ଉମାକାନ୍ତ ରଥ, ଅଭିନେତ୍ରୀ ଧାରା ଶ୍ରାବଣୀ ମହାପାତ୍ର, ସାମ୍ବାଦିକ ସୁମନ୍ତ କୁମାର ଦାସ, ସାମ୍ବାଦିକ ମହେଶ୍ୱର ତ୍ରିପାଠୀ, ବ୍ୟଙ୍ଗକବି ଲକ୍ଷ୍ମୀଛଡାଙ୍କ ସମେତ ୨୭ ଜଣଙ୍କୁ ନବକାକଳୀର ବିଭିନ୍ନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହ ନବକାକଳୀର ମକର ବିଶେଷାଙ୍କ, କୃଷ୍ଣଚନ୍ଦ୍ର ନନ୍ଦଙ୍କ ଜ୍ଞାନ ସରଣୀ, ଫକୀର ଚରଣ ମାର୍ଥାଙ୍କ ଗୀତିନାଟ୍ୟ ବାଣା ପରାଜୟ ଓ ସୀତା ବନବାସ ପୁସ୍ତକ ଲୋକାର୍ପିତ ହୋଇଥିଲା । ପ୍ରାରମ୍ଭରେ ପଣ୍ଡିତ ନରେନ୍ଦ୍ର ନାଥ ତ୍ରିପାଠୀ ବେଦଧ୍ୱନୀରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସଂପାଦକ ଡଃ. ତ୍ରିପାଠୀ ସ୍ୱଗେତ ଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଦ୍ୱିତୀୟ ଅଧିବେଶନରେ ଆଷାଢ ପତ୍ରିକାର ସଂପାଦକ ପିତାମ୍ବର ମହାପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ଅନୁଷ୍ଠାନର ସହସଂପାଦିକା ମନୋରମା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆରତୀ ତ୍ରିପାଠୀ, ଅଭୀପ୍ସା ତ୍ରିପାଠୀ, କ୍ଷେତ୍ରବାସୀ ପତି, ସୌମ୍ୟରଂଜନ ତ୍ରିପାଠୀ, ଇଂ. ହୃଷୀକେଶ ଷଡଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.