ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ମନୋହର ସାଂସ୍କୃତିକ ସଂସଦ, ଭେଡେନ ଆନୁକୂଲ୍ୟରେ ବରଗଡଠାରେ କବି, ଲେଖକ, ନାଟ୍ୟକାର ସ୍ବର୍ଗତ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏ ମାଟିର ବରପୁତ୍ର ପ୍ରଖ୍ୟାତ ସାରସ୍ୱତ ସାଧକ ମଙ୍ଗଳୁ ଚରଣ ବିଶ୍ୱାଳ ଯେତିକି ବଡ଼ ଲେଖକ ଥିଲେ ସେତିକି ବଡ଼ ପାଠକ ମଧ୍ୟ । ଏକାଧାରରେ ଜଣେ ଦରଦୀ ମଣିଷ, ବିଦଗ୍ଧ ପାଠକ, ସଚ୍ଚା ଶିକ୍ଷକ, ହୃଦୟ ଗ୍ରାହୀ ଲେଖକ ଭାବରେ ତାଙ୍କ ଖ୍ୟାତି ଥିଲା ସୁଦୂରପ୍ରସାରୀ । ତାଙ୍କ କବିତାରେ ଗୁଞ୍ଜନ, କାହାଣୀରେ କମ୍ପନ, ନାଟକରେ ଆବେଦନ ଓ ପ୍ରବନ୍ଧରେ ଗଭୀର ଅନୁଶୀଳନ ପାଠକଙ୍କୁ ବିମୋହିତ କରିଥାଏ । ଉଭୟ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ ସେ ଲେଖନୀ ଚାଳନା କରିଥିଲେ ମଧ୍ୟ ମାତୃଭାଷା ସମ୍ବଲପୁରୀ ପ୍ରତି ତାଙ୍କ ରହିଥିଲା ଗଭୀର ଶ୍ରଦ୍ଧାଶୀଳତା ବୋଲି ଅନୁଷ୍ଠିତ ସ୍ମୃତି ସଭାରେ ବକ୍ତା ଗଣ ମତବ୍ୟକ୍ତ କରିଥିଲେ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସଭା କାର୍ଯ୍ୟକୁ ମନୋହର ସାପ୍ସସ୍କୃତିକ ସଂସଦ ଭେଡେନର ସଭାପତି ଉତ୍ପନ୍ନ କୁମାର ଭୋଇଙ୍କ ପୌରାହିତ୍ୟରେ ତଥା ପ୍ରଫେସର କେଶରଞ୍ଜନ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଲୋକ କବି ପଦ୍ମଶ୍ରୀ ଡ଼ .ହଳଧର ନାଗ, ଔପନ୍ୟାସିକ ଧନପତି ମହାପାତ୍ର, ଅଧ୍ୟାପକ ସନ୍ତୋଷ କୁମାର ତ୍ରିପାଠୀ, ଅଧ୍ୟାପକ ମାନଭଞ୍ଜନ ପାଣିଗ୍ରାହୀ, କଥାକାର ତେଜରୁ ବାରିକ, ସାମାଜିକ କର୍ମୀ ରାଜେନ୍ଦ୍ର ହୋତା, ଅଧ୍ୟାପକ ସୁଭାଷ ଚନ୍ଦ୍ର ଭୁଏ, କବି ଉମେଶ ପ୍ରଧାନ, କବି ତରଣୀସେନ ଗୁରୁ, ଅଭିନେତା ରମେଶ ଗୁର୍ଲା, ମାନସ ରଞ୍ଜନ ଦାଶ, ଲକ୍ଷ୍ମଣ ମଲ୍ଲିକ, ଗୁଣନିଧି ଭୋଇ ପ୍ରମୁଖ ଦିବଂଗତ ସାରସ୍ୱତ ସ୍ରଷ୍ଟାଙ୍କ ବହୁମୁଖୀ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ଏହି ସ୍ମୃତି ସଭାରେ ମନୋହର ସାଂସ୍କୃତିକ ସଂସଦ୍ ଭେଡେନ, ସମ୍ବଲପୁରୀ ସାହିତ୍ୟ ପରିଷଦ ବରଗଡ଼, ଲୁ ନାଟ୍ୟ ସଂସଦ ପଦ୍ମପୁର, ଉକିଆ ସାହିତ୍ୟ ସଂସଦ ବରଗଡ଼, ଶ୍ରୀଧର ସାହିତ୍ୟ ସଂସଦ ଦଶମାଇଲ, ବାସପତ୍ରି କଳାପଟା ସାହିତ୍ୟ ସଂହଁରାଟିକ୍ରା, ଭାରତ ବିକାଶ ପରିଷଦ ବରଗଡ଼ ଓ ମୟୁର କଲା ପରିଷଦ ପଧାନ ଟିକ୍ରା ଭେଡେନ ମିଳିତ ଭାବେ ସାମିଲ ହୋଇଥିଲେ । ଶେଷରେ କବି ଗୋପାଳ ଭେସ୍ରା ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post