ଗଞ୍ଜାମ ଜିଲ୍ଲାରେ ଉଭୟ ସମୁଦ୍ର ଓ ଋଷିକୁଲ୍ୟା ନଦୀର ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ

  • ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ବିଜେପି ରାଜ୍ୟନେତା ପ୍ରଶାନ୍ତ କର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଉଭୟ ସମୁଦ୍ର ଓ ଋଷିକୁଲ୍ୟା ନଦୀର ବାଲି ଚୋରା ଚାଲାଣ ହେବାରେ ଲାଗିଛି । ଏହି ଚୋରା ଚାଲାଣରେ ବିଜେଡି ଦଳର ନେତାମାନେ ସଂପୃକ୍ତ ଥିବା ଛତ୍ରପୁର ଭାଜପା ପକ୍ଷରୁ ଅଭିଯୋଗ ହୋଇଛି । ଏପରିକି, ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହାକୁ ପ୍ରଶୟ ଦେଉଥିବା ନେଇ ଗତକାଲି ଛତ୍ରପୁର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଛତ୍ରପୁର ବ୍ଲକର ହଂସପୁର ଓ ବଡମାଧପୁର ନିକଟ ଋଷିକୁଲ୍ୟା ନଦୀରୁ ସର୍ବଦା ବାଲି ଚୋରାଚାଲାଣ ବ୍ୟାପକ ହେବାରେ ଲାଗିଛି । ଏପରିକି, ଆନ୍ଧ୍ରକୁ ଚୋରାଚାଲାଣ ହେଉଥିବା ସେ ଗୁରୁତର ଅଭିଯୋଗ କରିଛନ୍ତି । ଆନ୍ଧ୍ରକୁ ବାଲି ଚୋରାଚାଲାଣ ହେଉଥିବା ବେଳେ କାଁ ଭାଁ ଗାଡି ଜବତ କରାଯାଉଛି । ନଦୀ ପଠାରେ ବାଲିର ଅତ୍ୟଧିକ ଖନନ କରାଯାଉଥିବାରୁ ନଦୀର ଦୁଇ ପାଖ ଆଡିବନ୍ଧ କ୍ଷୟ ହୋଇ ଚାଷଜମିରେ ପାଣି ମାଡୁଛି । ଏପରିକି, ସ୍ଥାନୀୟ ଅଂଚଳରେ ଭୁତଳ ଜଳସ୍ତର କମିଥିବା ସହ କୃତିମ ବନ୍ୟା ପରିସ୍ଥିତି ସୃଷ୍ଠି ହେଉଛି । ଯାହା ଫଳରେ କି, ସ୍ଥାନୀୟ ଅଂଚଳର ହଜାର ହଜାର ହେକ୍ଟର ଚାଷ ଜମି ନଷ୍ଟ ହେବା ସହ ଚାଷୀମାନେ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି । ଉପୁଲାପୁଟି ନିକଟ ଆଇଆର୍‌ଇ ପକ୍ଷରୁ ଖନନ ହୋଇଥିବା ବର୍ଜ୍ୟ ବାଲିକୁ ମଧ୍ୟ ଆନ୍ଧ୍ରକୁ ଚୋରା ଚାଲାଣ ହେଉଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି । ଏ ସଂପର୍କରେ ସ୍ଥାନୀୟ ତହସିଲଦାରଙ୍କୁ ଜଣାଇଥିଲେ ହେଁ ଖବର ନଥିବା କହିଥିବା ଭାଜପା ନେତା ଶ୍ରୀ କର ସୂଚନା ଦେଇଛନ୍ତି । ଏହାକୁ ତୁରନ୍ତ ବନ୍ଦ କରାନଗଲେ ଆଗାମୀ ଦିନରେ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଜୱାଦ ବାତ୍ୟା ଫଳରେ ଗଞ୍ଜାମ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଥିଲା । ଫଳରେ ପାଣି ଚାଷଜମିରେ ଜମି ରହିବା କାରଣରୁ ଧାନ ସହ ବିଭିନ୍ନ ଫସଲ ନଷ୍ଟ ହୋଇଛି । ଏହାର ତଦନ୍ତ କରି ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ ଲାଗି ଭାଜପା ପକ୍ଷରୁ ଦାବୀ ହୋଇଛି । ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇଛି । ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିଲେ ମଧ୍ୟ ତାଙ୍କୁ ରାଜ୍ୟ ସରକାର ଘଂଟ ଘୋଡାଉଛନ୍ତି । ତୁରନ୍ତ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିସ୍କୃତ କରିବା ସହ ଗିରଫ୍ କରିବାକୁ ମଧ୍ୟ ଭାଜପା ପକ୍ଷରୁ ଦାବୀ ହୋଇଛି । ଏହି ଖବରଦାତା ସମ୍ମିଳନୀରେ ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଣ୍ଡା, ଛତ୍ରପୁର ମଣ୍ଡଳ ସଭାପତି ସଂଜିତ୍ କୁମାର ରାଉଳ, ଭିକାରୀପଲ୍ଲୀ ମଣ୍ଡଳ ସଭାପତି ପଦ୍ମ ଚରଣ ପରିଡା, ଅମରେଶ ମହାରଣା, କୃଷକ ମୋର୍ଚ୍ଚାର ଜିଲ୍ଲା ଉପସଭାପତି ଗଣପତି ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.