csstore

ଶ୍ରଦ୍ଧା ତରଫରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟାଙ୍ଗଙ୍କ ପାଇଁ ସମର୍ପିତ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧା ଆନୁକୂଲ୍ୟରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନ ସଭାପତି ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ନିଜ ବକ୍ତବ୍ୟରେ କହିଥିଲେ ଯେ, ଭିନ୍ନକ୍ଷମ କେବେବି ଅକ୍ଷମ ନୁହଁନ୍ତି । ସମାଜର ଭିନ୍ନକ୍ଷମଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ବଦଳିଲେ ଓ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିପାରିଲେ ହିଁ ସେମାନଙ୍କ ପ୍ରତି ପ୍ରକୃତ ସେବା ହୋଇପାରିବ । ଅନ୍ୟ ସମ୍ମାନିତ ଅତିଥି ଭାବେ ଏନଆଇଟିର ନିର୍ଦ୍ଦେଶକ ଡଃ ସୀମାଞ୍ଚଳ ପାଣିଗ୍ରାହୀ, ସାମାଜିକ ଅନୁଷ୍ଠାନ ଆସ୍ଥାର ସଂପାଦକ ଆଲୋକ ଜେନା, ଅଗ୍ରଗାମିନୀର ସଂପାଦିକା ତପସ୍ୱିନୀ ବହିଦାର, ପାନପୋଷ ସବଡିଭିଜନର ଏସ୍ଏସ୍ଏସ୍ଓ ସୁନିଲ ନାୟକ, ଆର୍‌ଏସ୍‌ପିର ମହାପ୍ରବନ୍ଧକ ହୀରାଲାଲ ମହାପାତ୍ର, ବିଷ୍ଣୁମୋହନ ମିଶ୍ର ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗଙ୍କ ସଂପର୍କୀତ ତଥା ସେମାନଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ସଂପର୍କରେ ଆଲୋଚନା କରିଥିଲେ । ଅଧ୍ୟକ୍ଷ ଶ୍ରୀ ଚାଟାର୍ଜୀ ସ୍ୱାଗତ ଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ସଂପାଦକ ଶ୍ରୀ ପାଣ୍ଡବ କାର୍ଯ୍ୟକ୍ରମ ସଂପର୍କରେ ଓ ସଂପାଦକୀୟ ବିବରଣୀ ପାଠ କରିଥିଲେ । ପୂର୍ବରୁ ଦିବ୍ୟାଙ୍ଗଙ୍କୁ ନେଇ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରଦ୍ଧାର ଶିକ୍ଷକ ସଂଜୟ କୁମାର ରଣା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.