ଓଡିଶା ମୁଖ୍ୟମନ୍ତ୍ରୀଙ୍କ କରକମଳରେ ସୁବର୍ଣ୍ଣପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବିତରଣ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟ କାର୍ଡ ବିତରଣ ଏବଂ ବିଭିନ୍ନ ବିଭାଗର ୬୭ଗୋଟି ଜନକଲ୍ୟାଣକାରୀ ଯୋଜନାର ଶୁଭ ଉଦ୍‌ଘାଟନ କରିବା ସହିତ ୩୫ଟି ନୂତନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଉପଲକ୍ଷେ ଆଜି ସହର ଉପକଣ୍ଠରେ ନୂତନ ଭାବରେ ନିର୍ମିତ ହୋଇଥିବା ଟାଉନ ହଲରେ କରୋନା କଟକଣା ଅନୁସାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପଦ୍ମନାଭ ବେହେରା ଏବଂ ସୁଶାନ୍ତ ସିଂ ଅତିଥି ଭାବେ ଯୋଗଦାନ କରିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାରେ ୧,୫୩,୯୦୨ ଜଣ ହିତାଧିକାରୀ ନୂଆ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ପାଇବେ । ଏମାନଙ୍କ ମଧ୍ୟରୁ ୬ଟି ବ୍ଲକରେ ଗ୍ରାମ୍ୟଞ୍ଚଳର ୧,୪୫,୧୫୭ ଜଣ ଏବଂ ତିନୋଟି ପୌରାଞ୍ଚଳରେ ୮,୭୪୫ ଜଣ ହିତାଧିକାରୀ ଏହି ଯୋଜନାରେ ଲାଭନ୍ୱିତ ହେବେ । ଏହି କାର୍ଡ ଦ୍ୱାରା ହିତାଧିକାରୀଙ୍କ ପରିବାରର ସବୁ ସଦସ୍ୟଙ୍କ ପାଇଁ ବର୍ଷକୁ ୫ଲକ୍ଷ ଟଙ୍କା ସହାୟତା ରହିଥିବା ବେଳେ ମହିଳାଙ୍କ ପାଇଁ ବର୍ଷକୁ ୧୦ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ରହିଛି । ଆଜି ମଞ୍ଚରେ ମୁଖ୍ୟ ମନ୍ତ୍ରୀଙ୍କ ତରଫରୁ କିଛି ହିତାଧିକାରୀଙ୍କୁ ଏହି ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିଭିନ୍ନ ବିଭାଗରେ ୭୯ କୋଟି ୨୨ଲକ୍ଷ ୧୩ହଜାର ବ୍ୟୟ ଅଟକଳରେ ସମ୍ପୂର୍ଣ୍ଣ ହୋଇଥିବା ୬୭ଗୋଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଏବଂ ୧୪୮,୦୪,୮୨୦୦୦ ବ୍ୟୟ ଅଟକଳରେ ୩୫ ଗୋଟି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଆଭାସୀ ଜରିଆରେ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିବା ଏହିସବୁ ଜନକଲ୍ୟାଣକାରୀ ଯୋଜନା ମଧ୍ୟରେ, ୫ଟି ଅଙ୍ଗନୱାଡି ଗୃହ, ୫ଟି ବ୍ରିଜ୍, ୫ଟି ଗୋଷ୍ଠୀ କେନ୍ଦ୍ର, ଶିକ୍ଷା ବିଭାଗର ୪ଟି କୋଠା, ୩ଟି ବଜାର ଉନ୍ନୟନ, ମିଶନ୍ ଶକ୍ତିର ୨୮ଟି କୋଠା, ଗୋଟିଏ ରାସ୍ତା, ସହରାଞ୍ଚଳ ବିକାଶର ୩ଟି ପ୍ରକଳ୍ପ ଏବଂ ପାନୀୟ ଜଳ ଯୋଗାଣ ବିଭାଗର ୭ଟି ପ୍ରକଳ୍ପ, ଗୋଟିଏ ଆଦର୍ଶ ପୋଖରୀ, ଗୋଟିଏ ସରକାରୀ କ୍ୱାଟର, ଦୁଇଟି କ୍ରୀଡା ପ୍ରକଳ୍ପ ଏବଂ ଦୁଇଟି ପର୍ଯ୍ୟଟନ ବିଭାଗର ପଥପ୍ରାନ୍ତ ସୁବିଧା କେନ୍ଦ୍ର ରହିଛି । ସେହିପରି ୩୫ଟି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ପ୍ରକଳ୍ପ ମଧ୍ୟରେ ରହିଛି ୩ଟି ପୋଲ, ଶିକ୍ଷା ବିଭାଗର ୩ଟି କୋଠା, ସ୍ଵାସ୍ଥ୍ୟ ବିଭାଗର ୨ଟି ପ୍ରକଳ୍ପ, ମିଶନ୍ ଶକ୍ତିର ୧୮ଟି କୋଠା, ୪ଟି ରାସ୍ତା, ସହରାଞ୍ଚଳ ବିକାଶର ୩ ଟି ପ୍ରକଳ୍ପ ଏବଂ ପାନୀୟ ଜଳ ଯୋଗାଣ ବିଭାଗର ୨ଟି ପ୍ରକଳ୍ପ । ସଭାକୁ ସମ୍ବୋଧନ କରି ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଲେ ଯେ ସମଗ୍ର ରାଜ୍ୟ ତଥା ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ସ୍ଵଚ୍ଛ ଶାସନ କାଳରେ ସର୍ବାଙ୍ଗୀନ ଉନ୍ନତି ପଥରେ ଆଗେଇ ଚାଲିଛି । ବର୍ତ୍ତମାନ ଜିଲ୍ଲାରେ ଅନେକ ଗୁଡିଏ ଜନ କଲ୍ୟାଣକାରୀ ଯୋଜନା ଆଗେଇ ଚାଲିଛି ଏବଂ ଏସବୁ ରୂପାୟନ କରିବାରେ ଅର୍ଥର କୌଣସି ଅଭାବ ରହିବ ନାହିଁ । ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ଏବଂ ଯୋଜନା ରୂପାୟନ ବିଭାଗ ପଦ୍ମନାଭ ବେହେରା କହିଲେ ଯେ ସମଗ୍ର ଦେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସିତ ଓଡିଶା ରାଜ୍ୟ ଅନେକ କ୍ଷେତ୍ରରେ ନୂତନ କିର୍ତ୍ତୀମାନ ସ୍ଥାପନ କରିବା ସହିତ ଜନସାଧାରଣଙ୍କ ଜୀବନ ଧାରଣରେ ଅନେକ ଉନ୍ନତି ଆଣି ପାରିଛି । ଭବିଷ୍ୟତରେ ମଧ୍ୟ ଜିଲ୍ଲାବାସୀଙ୍କ ଉନ୍ନତି କଳ୍ପେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସହିତ ସମନ୍ଵୟ ରକ୍ଷା କରି ସୁବର୍ଣ୍ଣପୁରରେ ଅନେକ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯିବ । ଶେଷରେ ମନ୍ତ୍ରୀ ସୁଶାନ୍ତ ସିଂ, ମୁଖ୍ୟମନ୍ତ୍ରୀ ତଥା ସମସ୍ତ ଅତିଥି, ଉପସ୍ଥିତ ଜନସାଧାରଣ ତଥା ସାମ୍ବାଦିକମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଆଜିର ଉଦ୍‌ଘାଟିତ ହୋଇଥିବା ବିଜୁପଟ୍ଟନାୟକ ସୁଇମିଙ୍ଗ ପୁଲ ନିଶ୍ଚିତ ଭାବରେ ଜିଲ୍ଲା ପାଇଁ ଏକ ବିଶେଷ ଉପହାର । ୪.୭୪ କୋଟି ବ୍ୟୟ ଅଟକଳରେ ନିର୍ମିତ ଏହି ସନ୍ତରଣାଗାର ଜିଲ୍ଲାରେ ସନ୍ତରଣ ଏବଂ ଜଳକ୍ରୀଡା ପ୍ରେମୀଙ୍କ ପାଇଁ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିବ । ଆଜିକାର ଏଇ ସଭାରେ ମନ୍ତ୍ରୀମାନେ ୭ ଜଣ ମହିଳା ହିତାଧିକାରୀଙ୍କୁ ବିଜୁ ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କରିବା ସହିତ ମିଶନ ଶକ୍ତି ଯୋଜନାରେ ଜିଲ୍ଲାରେ ବ୍ୟାଙ୍କ ସୁବିଧା ନଥିବା ୧୯ ଗୋଟି ପଞ୍ଚାୟତର ମହିଳା ସ୍ଵୟଂ ସହାୟକ ଦଳଙ୍କୁ ବ୍ୟାଙ୍କିଙ୍ଗ ମେଶିନ ପ୍ରଦାନ କରିଥିଲେ । ଆଜିକାର ସଭାର ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୀତାରାମ ଶତପଥୀ ଏବଂ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପନ୍ନ ହୋଇଥିବା ବେଳେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ମହିଳା ସ୍ୱୟଂ ସହାୟକ ଦଳର ମା’ମାନେ, ନେତୃ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ବିଶେଷ, ବରିଷ୍ଠ ନାଗରିକ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.