ପରିବାର ମଧ୍ୟରେ ହିଁ ଶିଶୁର ସାମଗ୍ରିକ ବିକାଶ ସମ୍ଭବ : ୱାଇସିଡିଏ ବଲାଙ୍ଗିର ଶାଖା ତରଫରୁ ଶିଶୁର ପରିବାରରେ ରହିବାର ଆନନ୍ଦ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଶୁ ପରିବାରଠାରୁ ଦୂରରେ ରହିଲେ ତା’ର ବିକାଶ ପ୍ରକ୍ରିୟାରେ ବାଧା ପହଞ୍ଚେ । ଶିଶୁ ଯତ୍ନ ଅନୁଷ୍ଠାନ ଆଦି ମାଧ୍ୟମରେ ଶିଶୁର ଯତ୍ନ କରାଯାଉଥିଲେ ମଧ୍ୟ ପରିବାର ଭିତରେ ହିଁ ତା’ର ପ୍ରକୃତ ବିକାଶ ସମ୍ଭବ ହୋଇଥାଏ । ଅଭାବ ଅସୁବିଧା ଭିତରେ ତା’ର ବ୍ୟକ୍ତିତ୍ୱର ପ୍ରକୃତ ପରିସ୍ଫୁଟନ ହୋଇଥାଏ । ଏଣୁ ଶିଶୁ ପାଇଁ ଉତ୍ତମ ପରିବାର ଓ ଅଭିଭାବକ ଜରୁରୀ ବୋଲି ମତ ଦେଇଛନ୍ତି ୱାଇସିଡିଏ ବଲାଙ୍ଗିର ଶାଖା ତରଫରୁ ଜଲିଆ ନିକଟରେ ଥିବା ଏ ୩ ୱାର୍ଲ୍ଡ ପରିସରରେ ଶିଶୁର ପରିବାରରେ ରହିବାର ଆନନ୍ଦ ଉତ୍ସବର ଅତିଥି ମାନେ । ୧୦୦ରୁ ଅଧିକ ଶିଶୁ, ସେମାନଙ୍କ ଅଭିଭାବକ, ଶିଶୁ ମଙ୍ଗଳ ସମିତିର କର୍ମକର୍ତ୍ତା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି, ଶିକ୍ଷାବିତ୍, ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ନେଇ ଶିଶୁ ଅଧିକାର ସପ୍ତାହ ପାଳନ ଅବସରରେ ଏହି ମତ ପ୍ରକାଶ ପାଇଛି । ୱାଇସିଡିଏ ବଲାଙ୍ଗିରର ସୁବ୍ରତା ଜେନା, ସୁରେଶ ପ୍ରଧାନ, ଅରୁଣ ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁମାନଙ୍କୁ ଆନନ୍ଦ ସହ ଶିକ୍ଷା ପାଇଁ ମ୍ୟାଜିକ ସୋ, ଚିତ୍ରାଙ୍କନ, ନାଚ ଗୀତ ସହ ଉତ୍ତମ ପରିବାର ସହ ଉତ୍ତମ ଅଭିଭାବକ, ମାତା ପିତାଙ୍କ ଦାୟିତ୍ୱ ତଥା କର୍ତ୍ତବ୍ୟ ସଂପର୍କରେ ଏକ ଆଲୋଚନା କରାଯାଇଥିଲା । ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି, ସଦସ୍ୟ ଡାକ୍ତର ଗୋଦାବରୀଶ ରଥ, ବିରଞ୍ଚି ନାରାୟଣ ବହିଦାର, ସୁନୀତା ତ୍ରିପାଠୀ, ନନ୍ଦିକିଶୋର ସାଣ୍ଢ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଡିସିପିଓ ଲକ୍ଷ୍ମୀ ସିଂ, ଶିକ୍ଷାବିତ୍ ସନାତନ ଠାକୁର, ପୋଷ୍ଟର ମଦର ବିଦ୍ୟୁତ ଖମାରୀ, କେୟାର ଲିଭର ଶିବଶଂକର ପୃଷ୍ଟି, ୱାଇସିଡିଏର ଅରୁଣ ପ୍ରଧାନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଆନନ୍ଦିନୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.