ହେମାମାଲିନି ଏବଂ ପ୍ରସୁନ୍ ଯୋଶୀଙ୍କୁ ‘ଇଣ୍ଡିଆନ୍ ଫିଲ୍ମ ପର୍ସନାଲିଟି ଅଫ୍ ଦି ଇୟର’ ପୁରସ୍କାର ମିଳିବ

ନୂଆଦିଲ୍ଲୀ : ୨୦ ରୁ ୨୮ ନଭେମ୍ବର ୨୦୨୧ ପର୍ୟ୍ୟନ୍ତ ଗୋଆରେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ଅନୁଷ୍ଠିତ ହେବ । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି ଯେ, ନଭେମ୍ବର ୨୦ ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ହେମାମାଲିନି ଏବଂ ପ୍ରସୁନ୍ ଯୋଶୀଙ୍କୁ ‘ଇଣ୍ଡିଆନ୍ ଫିଲ୍ମ ପର୍ସନାଲିଟି ଅଫ୍ ଦି ଇୟର’ ପୁରସ୍କାରରେ ସମ୍ମାନିତ କରାଯିବ ।

ଏଥିସହ ସତ୍ୟଜିତ୍ ରାୟ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ମାର୍ଟିନ୍ ସ୍କାର୍ସେସ୍‌ ଏବଂ ହଙ୍ଗେରୀ ଚଳଚ୍ଚିତ୍ର ନିର୍ମାତା ଇଷ୍ଟଭାନ୍ ସ୍ୱାଜ୍‌ବୋଙ୍କୁ ପ୍ରଦାନ କରାଯିବ । ଅନୁରାଗ ଠାକୁର କହିଛନ୍ତି ଯେ, ଚଳିତ ବର୍ଷ ଓଟିଟି ପ୍ଲାଟଫର୍ମ ମଧ୍ୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଅଂଶଗ୍ରହଣ କରିବ ।

ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ଏସିଆର ସର୍ବ ପୁରାତନ ଏବଂ ଭାରତର ସର୍ବ ବୃହତ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଭାବରେ ପରିଗଣିତ । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟ (ଡ଼ିଏଫଏଫ)ଙ୍କ ସହଯୋଗରେ ଏହି ଉତ୍ସବର ଆୟୋଜନ କରାଯାଉଛି ।

jittmm
Leave A Reply

Your email address will not be published.