ଦେଓଗାଁ, (ମନୀଷ କୁମାର ସାହୁ) : ତୁଷୁରା ଥାନା ଅନ୍ତର୍ଗତ ବଡ଼ବାହାଲ ଗାଁର ଜଣେ ଭିନ୍ନକ୍ଷମ ଶିକ୍ଷକଙ୍କୁ ସେହି ଗାଁର କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଦୀର୍ଘ ବର୍ଷ ପୂର୍ବରୁ ତୁଷୁରା ଥାନାରେ ଅଭିଯୋଗ ହୋଇଥିଲା । ହେଲେ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଗିରଫ କରି ନ ଥିବାରୁ ଅସନ୍ତୋଷ ଦେଖାଦେଇଛି । ପ୍ରକାଶ ଯେ, ତୁଷୁରା ଥାନା ଅନ୍ତର୍ଗତ ବଡ଼ବାହାଲ ଗାଁର ଭିନ୍ନକ୍ଷମ ଶିକ୍ଷକ କିଶୋର ସାହୁ (୩୫) ବାଇକରେ ତୁଷୁରା ଯାଉଥିବା ବେଳେ ସ୍ଥାନୀୟ କିଛି ଯୁବକଙ୍କ ସହ ତାଙ୍କର ଝଗଡା ହୋଇଥିଲା । ଏହାପରେ ଅଭିଯୁକ୍ତମାନେ ଶିକ୍ଷକ ଜଣଙ୍କୁ ଠେଙ୍ଗାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଫଳରେ ଗୁରୁତର ଆହତ ହୋଇ ପଡ଼ିଥିବା ବେଳେ ତାଙ୍କୁ ଗାଁର କିଛିଲୋକ ଉଦ୍ଧାର କରି ପ୍ରଥମେ ବଲାଙ୍ଗିର ମୁଖ୍ୟ ଡ଼ାକ୍ତରଖାନା ଓ ପରେ ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା । ଏନେଇ ଶିକ୍ଷକ କିଶୋର ସାହୁ ତୁଷୁରା ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇନଥିବାରୁ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଦେଓଗାଁ ବ୍ଲକର ଗୌଡଗୋଠ ପଞ୍ଚାୟତ ବଡବାହାଲ ଗାଁର ଭିନ୍ନକ୍ଷମ ଶିକ୍ଷକ କିଶୋର ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ବେଳେ ଆକ୍ରମଣକାରୀମାନଙ୍କୁ ପୋଲିସ ଏ ପର୍ଯ୍ୟନ୍ତ ଗିରଫ କରିନାହିଁ । ଏପରିକି ଭିନ୍ନକ୍ଷମ ଶିକ୍ଷକ ଜଣକ ମାନବାଧିକାର କମିଶନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଫଳ ଶୁନ୍ ହୋଇଛି ବୋଲି ମତପ୍ରକାଶ ପାଇଛି । ପୋଲିସ ଅପରାଧୀମାନଙ୍କୁ ଘଣ୍ଟ ଘୋଡାଉଥିବା ଭଳି ଅଭିଯୋଗ ହେଉଛି । ତେଣୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜନସାଧାରଣରେ ଦାବୀ ହେଉଛି ।