କନିଷ୍ଟ ଶିକ୍ଷକ ବିଭିନ୍ନ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ କନିଷ୍ଟ ଶିକ୍ଷକମାନଙ୍କ ପକ୍ଷରୁ ସୋମବାର ବିଭିନ୍ନ ଦାବୀ ନେଇ ଗଂଜାମ ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଓଡ଼ିଶାବର୍ଗ-ଗ (ଚୁକ୍ତିନାମା ନିୟମ ୨୦୧୩) ଅଧିନସ୍ଥ କର୍ମଚାରୀଙ୍କ ପାଇଁ ଗତ ୨୦୧୧ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତିର ସମସ୍ତ ସୁବିଧା ସୁଯୋଗ ଓଡ଼ିଶାର ସମସ୍ତ ଚୁକ୍ତି ଭିତିକ ଶିକ୍ଷକମାନଙ୍କୁ ପ୍ରଦାନ କରିବା ସହ ଚୁକ୍ତିନାମା ୨୦୧୩ରେ ସାମିଲ କରାଯାଉ । କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଅତିକୁଶଳୀ, ତାଲିମପ୍ରାପ୍ତ ହୋଇଥିବାରୁ ଦରମା ସର୍ବନିମ୍ନ ୧୬ ହଜାର କରିବା ସହ ଏହାକୁ ୨୦୧୬ ମସିହାରୁ ଲାଗୁ କରାଯିବା ନିମନ୍ତେ ଦାବୀ କରାଯାଇଛି ।ପ୍ରଥମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଅନ୍ତର୍ଭୂକ୍ତ ହୋଇଥିବା ମଧ୍ୟ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷକମାନେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ପାଉଥିବା ବେଳେ ପ୍ରାଥମିକ ଶିକ୍ଷକମାନଙ୍କ ପ୍ରତି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ଶ୍ରମ ଅଧିକାରୀଙ୍କ ସୁପାରିସ ଅନୁଯାୟୀ ଜଣେ ଅଣ କୁଶଳୀ ଶ୍ରମିକଙ୍କଠାରୁ କମ ପାରିଶ୍ରମିକ ଯାହା ଦିନକୁ ୨୧୭ ଟଙ୍କା ଅନୁଯାୟୀ ମାସିକ ୬୫୧୨ ପ୍ରାପ୍ୟ ମିଳୁଥିବା ଯୋଗୁଁ ଆଜିକାଲି ମହଙ୍ଗା ଯୁଗରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡୁଥିବା ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି । ଏ ନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି । କନିଷ୍ଟ ଶିକ୍ଷକ ସଂଘ ସଭାପତି ପଲ୍ଲବୀ ସଡଙ୍ଗୀ, ସମ୍ପାଦିକା ସ୍ୱାଗତିକା ଦଳାଇ, ହୀନ ଦେଉରୀ, ସାବିତ୍ରୀ ନାୟକ, ରେଖା ସିଂ, ଅମିତାମଣି ନାୟକ, ଝୁନୁ ପାରିକ ପ୍ରମୁଖଙ୍କ ସମେତ ଅନ୍ୟ କନିଷ୍ଟ ଶିକ୍ଷକମାନେ ସ୍ମାରକ ପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.