ସ୍ତ୍ରୀ ମୃତ, ଦିବ୍ୟାଙ୍ଗ ସ୍ୱାମୀ ଅଫିସ ଦୌଡି ନୟାନ୍ତ : ଜନଶ୍ରୀ ବୀମା ଯୋଜନା ବାଟବଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ କୁଡାସିଂହା ଗ୍ରାମର ଦଳିତ ସଂପ୍ରଦାୟର ଜଣେ ଦିବ୍ୟାଙ୍ଗ ଦିଲ୍ଲୀପ ମହାନନ୍ଦ ନିଜର ସ୍ତ୍ରୀଙ୍କ ବୀମା ଟଙ୍କା ପାଇବା ପାଇଁ ଗତ ୩ ବର୍ଷ ଧରି ୩ ଚକିଆ ସାଇକେଲରେ ଅଫିସ ଅଫିସ ଦୌଡି ନୟାନ୍ତ ହୋଇ ପଡିଲେଣି କିନ୍ତୁ ବୀମା ଟଙ୍କା ନ ପାଇ ନିରାଶରେ ବସିଛନ୍ତି । ଘଟଣାରୁ ଜଣାଯାଇଛି ଯେ ଦିଲ୍ଲୀପ ମହାନନ୍ଦଙ୍କ ସ୍ତ୍ରୀ ଅଯୋଧ୍ୟା ମହାନନ୍ଦ ପଦ୍ମପୁର କେନ୍ଦୁପତ୍ର ରେଞ୍ଜରେ କେନ୍ଦୁପତ୍ର ତୋଲାଳି ଭାବେ ବର୍ଷ ବର୍ଷ ଧରି କାମ କରିଥିଲେ । ୨୦୧୨ ମସିହାରୁ ଓଡ଼ିଶା ସରକାର କେନ୍ଦୁପତ୍ର ତୋଲାଳିମାନଙ୍କ ପାଇଁ ଜନଶ୍ରୀ ବୀମା ଯୋଜନା ଲାଗୁକଲେ । ଏଥିରେ ମୃତ୍ୟୁବରଣ କଲେ ୫୦ ହଜାରରୁ ୧ଲକ୍ଷ ଟଙ୍କା ବୀମା ପାଇବାର ବ୍ୟବସ୍ଥା ଅଛି । ଗତ ତା ୧୧/୧୦/୨୦୧୮ ମସିହାରେ ଅଯୋଧ୍ୟା ମହାନନ୍ଦ ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ସ୍ୱାମୀ ଦିଲ୍ଲୀପ ମହାନନ୍ଦ କେନ୍ଦୁପତ୍ର ତୋଲାଳି କାର୍ଡ, ମୃତ୍ୟୁ ସାର୍ଟିଫିକେଟ୍‌ ଓ ଅନ୍ୟାନ୍ୟ କାଗଜ ପତ୍ର ସହ ଜନଶ୍ରୀ ବୀମା ଟଙ୍କା ପାଇବା ସକାଶେ ପଦ୍ମପୁର କେନ୍ଦୁପତ୍ର ରେଞ୍ଜ ଅଫିସରେ ଆବେଦନ କରିଥିଲେ । ଇତି ମଧ୍ୟରେ ୩ବର୍ଷ ବିତି ଯାଇଥିଲେ ମଧ୍ୟ ବୀମା ଟଙ୍କା ଆଜିଯାଏ ପାଇଲେ ନାହିଁ । ୩ ଚକିଆ ସାଇକେଲରେ ପଦ୍ମପୁର ରେଞ୍ଜ ଅଫିସ, ଡିଏଫଓ ଅଫିସ ଦୌଡି ଦୌଡି ଶ୍ରୀ ମହାନନ୍ଦ ନୟାନ୍ତ, ମରିଚିକା ପଛରେ ଦୌଡିବା ଭଳି ତାଙ୍କ ଅବସ୍ଥା । ରେଞ୍ଜର ରମେଶ ସାହୁଙ୍କୁ ପଚାରିଲେ ବୀମା ଟଙ୍କା ମିଲିବ ବୋଲି କହି ଚାଲିଛନ୍ତି ବୋଳି ସେ କହିଛନ୍ତି । ଗରିବ ଦିଲ୍ଲୀପଙ୍କ ପାଖରେ ଯାହା ଟଙ୍କା ଥିଲା, ଧାର କରଜ କରି ଆର୍ଥିକ ଅନାଟନରେ ବୁଡି ରହିଥିବା ବେଳେ ସରକାରଙ୍କ ଜନଶ୍ରୀ ବୀମା ଯୋଜନା ବାଟବଣା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.