ରାଜ୍ୟସ୍ତରୀୟ ଗୀତିନାଟ୍ୟ ମହୋତ୍ସବର ପ୍ରଥମ ସଂଧ୍ୟାରେ କର୍ଣ ବଧ ପରିବେଷିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାର ସୁପ୍ରସିଦ୍ଧ ନାଟ୍ୟକାର ତଥା ନିଜ ଲୋକାଭିମୁଖୀ ରଚନା ଦ୍ୱାରା ସମାଜରେ କୁସଂସ୍କାର, ନିଶା ସେବନ ଓ ଅନ୍ଧ ବିଶ୍ୱାସ ଭଳି ବ୍ୟାଧିର ଦୂରୀକରଣ ପାଇଁ ନିଜ କାଳଜୟୀ ରଚନା ଦ୍ୱାରା ଗଣକବି ଉପାଧିରେ ବଭ଼ିୂଷିତ ବୈଷ୍ଣବ ପାଣିଙ୍କ ୧୩୯ତମ ଜନ୍ମଜୟନ୍ତୀ ଅବସରନର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଦୁଇଦିନ ବ୍ୟାପୀ ଅକ୍ଟୋବର ୨୭ ଓ ୨୮ରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ “ଗୀତିନାଟ୍ୟ ମହୋତ୍ସବ” ଅନୁଷ୍ଠିତ ହେଉଛି । ଗତକାଲି ପ୍ରଥମ ସନ୍ଧ୍ୟାରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୋଠପଦାର ବିନାୟକ କ୍ଲବର ସଦସ୍ୟମାନଙ୍କ ଦ୍ୱାରା କର୍ଣଙ୍କ ବଧ ଗୀତିନାଟ୍ୟ ପରିବେଷିତ ହୋଇଥିଲା । ମହାଭାରତର ଗୁରୁତ୍ୱପୂର୍ଣ୍ଣ ଓ ବଳିଷ୍ଠ ଚରିତ୍ରମାନଙ୍କ ମଧ୍ୟରୁ ଅନ୍ୟତମ ଚରିତ୍ର ଥିବା କର୍ଣଙ୍କ ବଧ ସହ ଜଡ଼ିତ ଥିବା ଆଦ୍ୟ କାରଣଗୁଡିକୁ ଅତିସୁନ୍ଦର ଭାବରେ କଳାକାରମାନେ ପ୍ରଦଶିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପ୍ରଖ୍ୟାତ କଳାକାର ଓ ନିର୍ଦେଶକ ଅଶ୍ରୁମୋଚନ ମହାନ୍ତି ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ରୂପେ ନାଟ୍ୟ କଳାଗ୍ରାମର ମୁଖ୍ୟ ସୁବୋଧ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ, ରାଜ୍ୟ କଳାକାର ସଂଘ ଉପସଭାପତି ଅବନୀ ମିଶ୍ର ଓ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ଜେନା ଯୋଗ ଦେଇଥିଲେ । ଓଡ଼ିଶା ଗ୍ରାମ୍ୟ ଜୀବନ ସହ ଜଡ଼ିତ ଗୀତିନାଟ୍ୟର ମହତ୍ତ୍ୱ ଅନେକ । ଏହା ସାମାନ୍ୟ ଏକ ଶିଳାକୁ ମଧ୍ୟ ଶାଳଗ୍ରାମରେ ରୂପାନ୍ତରିତ କରିବାର କ୍ଷମତା ବହନ କରିଥାଏ ବୋଲି ମଞ୍ଚରେ ଉପସ୍ଥିତ ସମସ୍ତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ରାଜ୍ୟର ନାଟ୍ୟ ଅନୁଷ୍ଠାର ପୁନରୁଥାନ ଓ ସେମାନଙ୍କ ସହ ଜଡ଼ିତ ସମସ୍ତ କଳାକାରଙ୍କୁ ଉପଯୁକ୍ତ ସମ୍ମାନ ସହ ଜୀବିକା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତି ବର୍ଷ ତିନିଦିନ ବ୍ୟାପୀ ରାଜ୍ୟସ୍ତରୀୟ ଗୀତିନାଟ୍ୟ ମହୋତ୍ସବ ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଛି । ପରିଶେଷରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ ସମସ୍ତ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । କୋଭିଡ ନିୟମ ଅନୁପାଳନ ପୂର୍ବକ ଏହି କାର୍ୟ୍ୟକ୍ରମକୁ ଆୟୋଜନ କରାଯିବା ସହ ବିଭାଗର ଫେସବୁକ ଓ ୟୁଟ୍ୟୁବ ମାଧ୍ୟମରେ ଏହାର ସିଧାପ୍ରସାରଣ କରାଯାଇଥିଲା ଓ ଏହି କାର୍ଯ୍ୟକ୍ରମକୁ ଦୂରଦର୍ଶନରେ ମଧ୍ୟ ପ୍ରସାରଣ କରାଯିବା ପାଇଁ ସ୍ଥିର କରାଯାଇଛି ।

Leave A Reply

Your email address will not be published.