oom

ଅହମଦ ନଗରରୁ ବାହାରିଥିବା ସଦଭାବନା ସାଇକେଲ ଶୋଭାଯାତ୍ରା ଦଳଙ୍କୁ ବରଗଡରେ ସମ୍ବର୍ଦ୍ଧନା

jsmm

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ମହାରାଷ୍ଟ୍ରର ଅହମଦ ନଗରରୁ ବଙ୍ଗଳାଦେଶର ନୌଖାଲୀକୁ ବାହାରି ଥିବା ସଦ୍‌ଭାବନା ସାଇକେଲ ଶୋଭାଯାତ୍ରା ଦଳକୁ ଆଜି ବରଗଡଠାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଶୋଭାଯାତ୍ରା ଦଳ ରାୟପୁରରୁ ସୋହେଲା ଦେଇ ଆଜି ବରଗଡ ସହରରେ ପ୍ରବେଶ କରିଥିବା ବେଳେ ସେମାନଙ୍କୁ ଟିଭିଏସ ମୋଟର୍ସ ସମ୍ମୁଖରେ ସ୍ଵାଗତ କରାଯିବା ସହ ସେମାନଙ୍କୁ ସହର ଦେଇ ସ୍ଥାନୀୟ ଟାଉନ ହଲକୁ ପାଛୋଟି ନିଆଯାଇଥିଲା । ସେଠାରେ ଏକ ସାଧାରଣ ସଭା ସ୍ଥାନୀୟ ଲାୟନ୍ସ କ୍ଲବର ସଭାନେତ୍ରୀ ଅନୀତା ଲାଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଓ ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ଉଭୟ ଅତିଥି ଶ୍ରୀ ଆଚାର୍ଯ୍ୟ ଓ ଶ୍ରୀ ଷଡ଼ଙ୍ଗୀ ଏହି ଶୋଭାଯାତ୍ରା ଦଳଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ଶାନ୍ତି ଓ ଭ୍ରାତୃ ଭାବ ପ୍ରତିଷ୍ଠା ପାଇଁ ସେମାନଙ୍କ ଏହି ସଂକଳ୍ପ ଓ ଅଭିଯାନକୁ ସାଧୁବାଦ୍ ଜଣାଇଥିଲେ । ଏହି ଶୋଭାଯାତ୍ରା ଦଳର ମୁଖ୍ୟ ଡ. ଗିରିଶ କୁଲକର୍ଣି ତାଙ୍କର ଏହି ଯାତ୍ରାର ଉଦ୍ଧେଶ୍ୟ ଓ ବର୍ତ୍ତମାନ ଯାଏ କରିଥିବା ଯାତ୍ରାର ଅଭିଜ୍ଞତା ଉପରେ ଆଲୋକପାତ କରିଥିଲେ । ଡ. କୁଲକର୍ଣି କହିଥିଲେ ଯେ, ଆଜି ଭାରତ ବର୍ଷ ନିଜର ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ବଙ୍ଗଳାଦେଶ ନିଜର ସ୍ଵାଧୀନତାର ସ୍ଵର୍ଣ୍ଣ ଜୟନ୍ତୀ ପାଳନ କରୁଛି, ଏହି ସମୟରେ ଆମେ ଭାବିଲୁ ଯେ ଦେଶରେ ବିଭିନ୍ନ ରାଜ୍ୟର ବିଭିନ୍ନ ବିଷୟରେ ସମାଜରେ କାର୍ଯ୍ୟ କରୁଥିବା ୧୦୦ ଜଣ ସ୍ୱେଚ୍ଛାସେବୀ ଏକତ୍ରିତ ହୋଇ ୩୦୦ କି.ମି. ସାଇକେଲ ଶୋଭାଯାତ୍ରାରେ ବାହାରି ୫ ରାଜ୍ୟ ଓ ୨ ଦେଶ ପରିଭ୍ରମଣ କରି ଲୋକଙ୍କ ଭିତରେ ସଦଭାବନା ବାର୍ତ୍ତାର ଆଦାନ ପ୍ରଦାନ କରିବୁ ବୋଲି ଏହି ଅଭିଯାନ ମହାରାଷ୍ଟ୍ରର ଅହମଦ ନଗରରୁ ବାହାରି ଆଜି ବରଗଡରେ ପହଞ୍ଚିଛି । ସେ ଆହୁରି କହିଥିଲେ ଯେ, ମହାତ୍ମା ଗାନ୍ଧୀ ଆମକୁ ସ୍ଵାଧୀନତା ଦେଇ ଶାନ୍ତି, ସୌହାର୍ଦ୍ଦ୍ୟ ଓ ଭାଇଚାରାରେ ବସବାସ କରିବାର ସନ୍ଦେଶ ଦେଇଥିଲେ । ଆଜି କିନ୍ତୁ ଆମ ଦେଶରେ ଜାତି, ଧର୍ମ, ବର୍ଣ୍ଣ, ଭାଷା, ପ୍ରାନ୍ତକୁ ନେଇ ବହୁ ଅପ୍ରୀତିକର ପରିସ୍ଥିତି ଉପୁଜିବା ଅତ୍ୟନ୍ତ କ୍ଷୋଭ ଓ ପରିତାପର ବିଷୟ ଅଟେ । ଆମେ ସଦଭାବନା ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ପଥପ୍ରାନ୍ତ ନାଟକ, ସଭା, ଆଲୋଚନା ଚକ୍ର ମାଧ୍ୟମରେ ଜନ ସାଧାରଣଙ୍କୁ ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ପହଞ୍ଚାଇ ଜନ ସାଧାରଣଙ୍କ ମଧ୍ୟରେ ଶାନ୍ତି, ମୈତ୍ରୀ ଓ ଭ୍ରତୃତ୍ଵ ଭାବ ଉଦ୍ରେକ କରିବାକୁ ଚେଷ୍ଟା କରିଛୁ ବୋଲି ଡ. କୁଲକର୍ଣୀ କହିଥିଲେ । ସଭାରେ ଶୋଭାଯାତ୍ରା ଦଳ ଦେଶାତ୍ମବୋଧକ ନାଟକ, ସଙ୍ଗୀତ ପରିବେଷଣ କରିଥିଲେ । ସଭାରେ ସେମାନଙ୍କୁ ଓ ଅତିଥିମାନଙ୍କୁ ଆୟୋଜକ ମାନଂକ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶୋଭାଯାତ୍ରା ଦଳର ଡ.କୁଲକର୍ଣୀ, ଡ. ଅଙ୍କୁର ଆୱରା, ଡ. ମେଘା ମାହାର୍ଥି, ମାରୱାଡି ସମ୍ମେଳନର ସମ୍ପାଦକ କିଶନ ଅଗ୍ରୱାଲ, ବରଗଡ ଚେମ୍ବର ଅଫ୍‌ କମର୍ସର ସଭାପତି ଦିଲୀପ ସାୱଡ଼ିଆ, ମାରୱାଡି ଯୁବା ମଞ୍ଚର ସଭାପତି ଦୌଲତ ପୋଦ୍ଦାର, ଜେଶିଆଇର ସଭାପତି ୟଶ ପଟୱାରି, ମାରୱାଡି ଯୁବା ମଞ୍ଚ ଜାଗୃତି ଶାଖାର ସଭାନେତ୍ରୀ ମଧୁ ଜୈନ, ଲାୟନ୍ସ କ୍ଲବ ରୋସନିର ସଭାନେତ୍ରୀ ରେଖା ଅଗ୍ରୱାଲ, ଇନର ହୁଇଲ କ୍ଲବର ସଭାନେତ୍ରୀ ରିଚା ପିପ୍ଲାନୀ ପ୍ରମୁଖ ମଞ୍ଚାସୀନ ଥିଲେ । ସଭାରେ ସହରର ବହୁ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ଶୋଭାଯାତ୍ରାରେ ସାମିଲ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.