ମନରେଗା ଯୋଜନାରେ ବିନା କାମରେ ୮ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ : ଦୋଷୀ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବରତୁଣ୍ଡା ପଞ୍ଚାୟତରେ ହୋଇଥିବା ମନରେଗା ଯୋଜନାରେ କାମର ଦୁର୍ନୀତି ହୋଇଥିବା ନେଇ ବରତୁଣ୍ଡା ପଞ୍ଚାୟତର ଅଧିବାସୀ ଓ ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ମନରେଗା ଯୋଜନାରେ ଜାଳିଆତି କରି ୮ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିବା ଓ ବିନା କାମରେ ବିଲ୍ କରି ଟଙ୍କା ଆତ୍ମସାତ କରିଥିବା ନେଇ ବହୁ ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏନେଇ ଗତ ତା. ୧୬/ ୮/ ୨୦୨୧ ଦିନ ବରତୁଣ୍ଡା ପଞ୍ଚାୟତର ଅଫିସକୁ ତାଳା ବନ୍ଦ କରିବା ସହ ଶହ ଶହ ଶ୍ରମିକ ମାନେ ଅଫିସ ଆଗରେ ଧାରଣା ଦେଇଥିଲେ । ଧାରଣାର ୪ ଦିନ ପରେ ଅର୍ଥାତ ୧୯/ ୮/ ୨୧ ଦିନ ପାଇକମାଲ ବିଡିଓ ଉପାଂଜଳି ମାଝୀ, ଏବିଡିଓ ଭୀଷ୍ମଦେବ ମାଝୀ, ଏସଡିପିଓ ବିଭୁତି ଭୂଷଣ ଭୋଇ, ଆଇଆଇସି ବିଶ୍ୱଜିତ ମନୋବଧ, ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାଫ ମହମ୍ମଦ ପ୍ରମୁଖ ଧାରଣା ସ୍ଥଳରେ ପହଞ୍ଚି ଶ୍ରମିକ ମାନଙ୍କୁ ବୁଝାସୁଝା କରି ଦୋଷୀ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଲିଖିତ ପ୍ରତିଶୃତି ଦେଇଥିଲେ । ହେଲେ ଆଜିକୁ ୨ ମାସ ବିତିଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଘଟଣାକୁ ଚପାଇ ଦେବାକୁ ସରକାରୀ ସ୍ତରରେ ମଧ୍ୟ ଉଦ୍ୟମ କରାଯାଉଛି ବୋଲି ଶ୍ରମିକ ମାନେ ଗୁରୁତର ଅଭିଯୋଗ ଆଣିଥିବା ବେଳେ ଆସନ୍ତା ୭ ଦିନ ମଧ୍ୟରେ ଶ୍ରମିକ ମାନଙ୍କୁ ପାରିଶ୍ରମିକ ଯୋଗାଇ ଦେବାର ବ୍ୟବସ୍ଥା ଓ ସରକାରଙ୍କ ରାଜକୋଷରୁ ଅର୍ଥ ଆତ୍ମସାତ କରିଥିବା ଦୋଷୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନ ଯାଏ ତେବେ ପାଇକମାଲ ବ୍ଳକ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ ଦାବୀରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପାଇକମାଲ ବିଡିଓଙ୍କୁ ପ୍ରଦାନ କରିଥିଲେ । ସରକାରଙ୍କ ୫ଟି ସବିଚଙ୍କୁ ମଧ୍ୟ ଅବଗତ କରାଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି । ଆଜି ଦାବୀପତ୍ର ପ୍ରଦାନ ସମୟରେ ଦୁର୍ଯ୍ୟୋଧନ ପୁଟା, ମଦନ ଭୁଏ, ଧ୍ରୁବ ମଲ୍ଲିକ, ଦୁଃଶାସନ କୁମ୍ଭାର, ଦୀନମଣି ବରିହା, ନାରାୟଣ ମଲ୍ଲିକ, ରତନ ଧରୁଆ, ଗୋବିନ୍ଦ ବନଛୋର, ପ୍ରଫୁଲ୍ଲ ନାୟକ, ଦୁଲ ସିଂ ମାଝୀ, ପ୍ରଭୁ ଲାଲ ଧରୁଆ, ବସନ୍ତ ଧରୁଆ, ସୌଉକି ବରିହା, ଡମନ ଭୁଏ, ଟିକେଶ୍ଵର ମଲିକ, ନୀରଞ୍ଜନ ଭୁଏ, ବଲଦେବ ଧରୁଆ, ଡିଙ୍ଗର ଧରୁଆ, ବ୍ରଜ ମୋହନ ଧରୁଆ, ମାୟାଧର ଧରୁଆ, ବସନ୍ତ ଧରୁଆ, କୁଶଲ ଧରୁଆ, ବ୍ରଜ ବିଶିଙ୍କ ସମେତ ଅନ୍ୟ ଶ୍ରମିକ ମାନେ ଉପସ୍ଥିତ ଥିଲେ ।