jayashree

କାଟିଲେ ନୁହେଁ, ପିଆଜ କିଣିଲେ ଆଖିରେ ଲୁହ : ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକିଲେଣି

ପାଟଣାଗଡ, (ଗୋରେଖନାଥ ବରିହା) : ସାଧାରଣତଃ ପିଆଜ କାଟିଲେ ସମସ୍ତଙ୍କର ଆଖିରେ ଲୁହ ଝରିଥାଏ । କିନ୍ତୁ ବର୍ତ୍ତମାନ ବଜାରକୁ ପିଆଜ କିଣିବାକୁ ଗଲେ ଦର ଶୁଣି ସମସ୍ତଙ୍କର ଆଖିରେ ଲୁହ ଝରିବା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ପରିବା ଦର ଅହେତୁକ ବୃଦ୍ଧି ଘଟୁଥିବା ବେଳେ ପାଟଣାଗଡ଼ ବଜାର ସମେତ ବିଭିନ୍ନ ହାଟ ପ୍ରଭୃତି ସ୍ଥାନଗୁଡ଼ିକରେ ସଂପ୍ରତି ଏହାର ଆକାଶଛୁଆଁ ହୋଇଛି । ବଜାରରେ ଆଳୁ କିଲୋ ୩୦ ଟଙ୍କା ଥିବା ବେଳେ ପିଆଜ କିଲୋ ୫୦ ଟଙ୍କା, ଟମାଟୋ ୬୦, ଭେଣ୍ଡି ୪୦, ବାଇଗଣ ୩୦, ପୋଟଳ ୮୦, କଲରା ୪୦ ଟଙ୍କାରେ ପହଞ୍ଚିଛି । ଅନ୍ୟ ପଟେ ଦକ୍ଷିଣ ଭାରତରେ ବନ୍ୟା ପରିସ୍ଥିତି ସୃଷ୍ଟି ଯୋଗୁଁ ଓଡିଶାକୁ ଆସୁଥିବା ପନିପରିବା ଟ୍ରକ୍ ଠିକ୍ ଭାବରେ ଆସି ପାରୁନାହିଁ । ତେଣୁ ପରିବା ଦର ବୃଦ୍ଧି ପାଉଛି ବୋଲି କେତେକ ଦୋକାନୀ ପ୍ରକାଶ କରିଛନ୍ତି । ସେହିପରି ପାଟଣାଗଡ଼ ଡେଲି ମାର୍କେଟରେ ରୋହି ମାଛ କିଲୋ ୨୦୦ ଟଙ୍କା, ଚିକେନ ୧୬୦, ଦେଶି ଚିକେନ ୫୦୦, ମଟନ ୧୦୦୦ ଟଙ୍କା ଥିବା ବେଳେ ଅଣ୍ଡା ଗୋଟା ପ୍ରତି ୭ ଟଙ୍କାରେ ବିକ୍ରି ହେଉଛି । ଖାଉଟି ସାମଗ୍ରୀର ଅହେତୁକ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକ ତ୍ରାହି ତ୍ରାହି ଡାକିଲେଣି ।

Leave A Reply

Your email address will not be published.