ପ୍ରେମ ବିବାହ ପରେ ସ୍ତ୍ରୀକୁ ବନ୍ଧକ ରଖି ଜେଲ୍‌ ଗଲା ସ୍ୱାମୀ

ପାଟଣାଗଡ, (ଗୋରେଖନାଥ ବରିହା) : ପ୍ରେମ ବିବାହ ପରେ ସ୍ତ୍ରୀକୁ ବନ୍ଧକ ରଖି ଜେଲ୍‌ ଗଲା ସ୍ୱାମୀ । ସୂଚନା ଅନୁସାରେ ବେଲପଡ଼ା ଥାନା ସୁଲେକେଲା ଗ୍ରାମର ରାଜେଶ ରଣା ନିକଟସ୍ଥ ଗାଁର ଜଣେ ଯୁବତୀଙ୍କୁ ଭଲପାଉଥିଲେ । ଉଭୟ ପରିବାରର ସହମତି ପରେ ବିବାହ ହୋଇଥିଲା । ରୀତିନୀତି ଅନୁସାରେ ଝିଅକୁ ବାହା ହୋଇ ଘରକୁ ଆଣିଥିଲା ରାଜେଶ । ହେଲେ ବିବାହର ୧୫ ଦିନ ପରେ ବୁଲିଯିବାକୁ ନେଇ ନିଜ ସ୍ତ୍ରୀକୁ ରାଜସ୍ଥାନରେ ଜଣଙ୍କ ପାଖରେ ୧ ଲକ୍ଷ ୮୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିବା ନେଇ ଅଭିଯୁକ୍ତକୁ ଗିରଫ ସହ ଉକ୍ତ ବିବାହିତାଙ୍କୁ ପୋଲିସ ଉଦ୍ଧାର କରିଛି । ୧ ଲକ୍ଷ ୮୦ ହଜାର ଟଙ୍କାରେ ନିଜ ସ୍ତ୍ରୀଙ୍କୁ ପୂର୍ବରୁ ଯୋଜନା ବଦ୍ଧ ଭାବେ ବିକ୍ରି କରି ଦେଇଥିବା ବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୫ ତାରିଖ ଝିଅର ବାପା ଶଙ୍ଖଧର ରଣା ବେଲପଡ଼ା ଥାନାରେ ଝିଅ ନିଖୋଜ ହେବା ନେଇ ଏତଲା ଦେଇଥିଲେ । ନିଖୋଜ ମାମଲାର ତଦନ୍ତ କରୁ କରୁ ପୁଲିସ ରାଜେଶକୁ ଥାନାକୁ ନେଇ ତଦନ୍ତ କରି ସବୁ ଜାଣିପାଡିଥିଲା । ନିଜ ସ୍ତ୍ରୀକୁ ବିକି ଦେଇଥିବା କଥା କହିବା ପରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍‌ ରାଜସ୍ଥାନ ମଂଜୋଲା, ଶିଫଲାକୁ ଯାଇ ସେଠାରୁ ଝିଅକୁ ଉଦ୍ଧାର କରିଥିଲା । ହେଲେ ଗାଁ ଲୋକେ ଝିଅ ଛାଡ଼ିବାକୁ ନାରାଜ ଥିଲେ । ପରେ ସେଠିକାର ପୁଲିସର ସହାୟତାରେ ଝିଅ ଉଦ୍ଧାର ହୋଇଥିଲା । ଏ ନେଇ ପୁଲିସ ରାଜେଶ ବିରୋଧରେ ଦଫା-୪୨୦, ୩୭୦, ୩୭୨ ଲଗାଇ କୋର୍ଟଚାଲାଣ କରିଛି । ଘଟଣାଟି ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.