ବରିଷ୍ଠ ନାଗରିକଙ୍କ ପ୍ରତି ପ୍ରଶାସନିକ ଉଦାସୀନତା ନେଇ ଉଦ୍‌ବେଗ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଭିନ୍ନ ବରିଷ୍ଠ ନାଗରିକ ସଂଗଠନର ଏକ ସମ୍ମିଳିତ ବୈଠକ ଜଗଦାସ୍ଥିତ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସଭା ଗୃହରେ ଅନୁଷ୍ଠିତ ହେଇଯାଇଛି । ମଞ୍ଚର ଉପଦେଷ୍ଟା ସଂଜୀବ ମହାନ୍ତି ସଭାରେ ଅଧକ୍ଷତା କରି ବରିଷ୍ଠ ନାଗରିକ ସଂଗଠନମାନଙ୍କର କର୍ମକର୍ତ୍ତାମାନଙ୍କୁ ସ୍ୱାଗତ କରିବା ସହିତ ବିଭିନ୍ନ ସମସ୍ୟା ବିଷୟରେ ସୂଚନା ଦେଇଥିଲେ । ହମିରପୁର ଉନ୍ନୟନ ପରିଷଦର ସଭାପତି ସୁମନ ଦତ୍ତ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ରାଉରକେଲାର ସମସ୍ତ ସଂଗଠନ ନିଜ ନିଜ ଭିତରେ ସମନ୍ୱୟ ରକ୍ଷାକରି ନିଜର ସମସ୍ୟାକୁ ପ୍ରଶାସନ ନିକଟରେ ଉପସ୍ଥାପନ କଲେ ଫଳପ୍ରଦ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଛେଣ୍ଡସ୍ଥିତ ସିନିଅର ସିଟିଜେନ୍ସ ଆସୋସିଏସନର ସାଧାରଣ ସମ୍ପାଦକ ପ୍ରଫେସର ଗିରିଜା ଗୋସ୍ୱାମୀ, ରାଉରକେଲା ରିଟାୟାର୍ଡ଼ ଆସୋସିଏସନ୍‌ର ସଭାପତି ପ୍ରଫେସର ଶଙ୍କର ତ୍ରିପାଠୀ, ରାଉରକେଲା ଅବସରପ୍ରାପ୍ତ ପୋଲିସ ଅଫିସର କଲ୍ୟାଣ ଆସୋସିଏସନ୍‌ର ଉପସଭାପତି ରଂଜିତ କୁମାର ଭୋଇ, ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସଭାପତି ପିତାମ୍ବର ନାୟକ, ଉପସଭାପତି ପିତାମ୍ବର ଲେଙ୍କା, ଉପଦେଷ୍ଟା ନୀଳମଣି ପ୍ରଧାନ, ଉପଦେଷ୍ଟା ପ୍ରଫେସର ଡ଼କ୍ଟର କପିଳ ଚରଣ ବାରିକ, କୋଷାଧକ୍ଷ ପ୍ରଫେସର ଦେବେନ୍ଦ୍ର ପାଢ଼ୀ ପ୍ରମୁଖ କର୍ମକର୍ତ୍ତା ବରିଷ୍ଠ ନାଗରିକମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ କରୋନା ପରବର୍ତୀ ସମୟରେ ପ୍ରଶାସନିକ ଶିଥିଳତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବରିଷ୍ଠ ନାଗରିକମାନଙ୍କର ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ବିଭିନ୍ନ ନିୟମ ପ୍ରଣୟନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ତତ୍କାଳୀନ ଏସପି ଡ଼କ୍ଟର ଉମାଶଙ୍କର ଦାସଙ୍କ ନିର୍ଦ୍ଦେଶରେ ଗତ ୨୦୧୭ ମସିହା ନଭେମ୍ବର ୧୪ ତାରିଖ ଦିନ ‘ଆଦର୍ଶ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ର’ ଛେଣ୍ଡ ଥାନା ପରିସରରେ ଏକ ସ୍ୱତନ୍ତ୍ର ଗୃହରେ ଉନ୍ମୋଚିତ ହୋଇଥିଲା । ଏହି କେନ୍ଦ୍ରରେ ଜଣେ ଏସ୍‌ଆଇଙ୍କୁ ନୋଡାଲ ଅଫିସର ହିସାବରେ ଏବଂ ଜଣେ କନେଷ୍ଟବଳଙ୍କୁ ସହଯୋଗୀ ହିସାବରେ ଦାୟିତ୍ୱ ଅର୍ପଣ କରାଯାଇଥିଲା । ପରବର୍ତୀ ସମୟରେ ରଘୁନାଥପାଲି ଥାନା, ଟାଙ୍ଗରପାଲି ଥାନା, ଉଦିତ ନଗର ଥାନାରେ ଏହି କେନ୍ଦ୍ରମାନ ଖୋଲାଯାଇ ବରିଷ୍ଠ ନାଗରିକମାନଙ୍କର ପଞ୍ଜିକରଣ କରାଯାଇ ସେମାନଙ୍କୁ ପରିଚୟପତ୍ର ମାନ ପ୍ରଦାନ କରାଯାଉଥିଲା । ଯେଉଁ ବରିଷ୍ଠ ନାଗରିକମାନେ ପରିବାର ଦ୍ୱାରା ଅବହେଳିତ, ଭଡାଟିଆମାନଙ୍କର ଜୁଲୁମର ଶିକାର ହେଉଥିଲେ ସେ ସବୁକୁ ସମାଧାନ କରିବା ସହିତ ଏକାକୀ ରହୁଥିବା ବରିଷ୍ଠ ନାଗରିକଙ୍କ ପାଖକୁ ନୋଡାଲ ଅଫିସରମାନେ ଯାଇ ତାଙ୍କ ସମସ୍ୟାର ସମାଧାନ କରୁଥିଲେ । ପ୍ରତି ମାସରେ ଅନ୍ତତଃ ଦୁଇଥର ହିସାବରେ ଗୋଟିଏ ମେଡିକାଲ ଟିମ ଡାକ୍ତରଙ୍କ ସହ ଯାଇ ଛେଣ୍ଡ ଥାନା ପରିସରରେ ଥିବା ଉପରୋକ୍ତ ସହାୟତା କେନ୍ଦ୍ରରେ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଔଷଧ ମଧ୍ୟ ପ୍ରଦାନ କରୁଥିଲେ । କରୋନା ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ କେନ୍ଦ୍ରର କାର୍ଯ୍ୟରେ ଶିଥିଳତା ଦେଖା ଦେଇଛି । ସେହିଭଳି ସୁନ୍ଦରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ କମିଟିର କାର୍ଯ୍ୟକ୍ରମରେ ଶିଥିଳତା ମଧ୍ୟ ପରିଲକ୍ଷିତ ହେଉଛି ବୋଲି ବକ୍ତାମାନେ ମତ ରଖିଥିଲେ । ଅବହେଳିତ ଓ ନିର୍ୟାତିତ ବରିଷ୍ଠ ନାଗରିକଙ୍କ ପ୍ରତି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ନିରବତାକୁ ଅନୁଭବ କରି ରାଉରକେଲାର ବରିଷ୍ଠ ନାଗରିକ ସଂଗଠନମାନଙ୍କୁ ନେଇ ଏକ ସମନ୍ୱୟ କମିଟି ଗଠନ ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ କରି ସୁମନ ଦତ୍ତଙ୍କୁ ଏହାର ଆବାହକ ଭାବେ ଦାୟିତ୍ୱ ଅର୍ପଣ କରାଗଲା । ଶ୍ରୀ ଦତ୍ତ ବିଭିନ୍ନ ସଂଗଠନ ସହିତ ଯୋଗାଯୋଗ କରି ସ୍ଥାୟୀ କମିଟି ଗଠନ କରିବା ପାଇଁ ପଦକ୍ଷେପ ନେବା ପାଇଁ ପ୍ରସ୍ତାବ ଗୃହୀତ ହେଲା । ଏହି ବୈଠକକୁ ସୁରକ୍ଷା ମଞ୍ଚର ସାଧାରଣ ସମ୍ପାଦକ ମଧୁସୂଦନ ମହାପାତ୍ର ପରିଚାଳନା କରିଥିବା ବେଳେ ପ୍ରଭାତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅକ୍ରୁର ବାରିକ, ପ୍ରଦୀପ ପତି, ଡି. ଏନ. ପୃଷ୍ଟି, ହୃଷିକେଶ ନାୟକ, ଲଷ୍ମୀଧର ନାୟକ ପ୍ରମୁଖ ବୈଠକରେ ଭାଗ ନେଇଥିଲେ ।

Leave A Reply

Your email address will not be published.