ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ମରୁଡି ଘୋଷଣା ଦାବୀରେ ଆଜି ପ୍ରାୟ ପାଞ୍ଚ ହଜାର ଚାଷୀ ଏକ ରେଲି କରି ମରୁଡି ଘୋଷଣା ଦାବୀ କରିଛନ୍ତି । ସେମାନେ ପଦ୍ମପୁର ଗୋରୁବଜାର ଠାରୁ ବାହାରି ଥାନାଛକ, ଭେଉଁରିଆ ଛକ ପର୍ଯ୍ୟନ୍ତ କୃଷକ ଏକତା ଜିନ୍ଦାବାଦ ଓ ଆମର ଦାବୀ ପୂରଣ ହେଉ ବୋଲି ନାରା ଦେବା ସହିତ ଫ୍ଲାକ୍ସ ବେନର ଧରି ସଭାରେ ବାହାରି ଥିଲେ ଏବଂ ଏକ ସଭାର ଆୟୋଜନ କରିଥିଲେ । ମରୁଡି ଏହି ଅଞ୍ଚଳର ଚାଷୀର ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦେଇଛି । ହେଲେ ସରକାର ଏବେ ଯାଏଁ ସହାୟତା ପ୍ରଦାନ କରି ନାହାନ୍ତି, ଯେଉଁଥି ପାଇଁ ଚିନ୍ତାରେ ଚାଷୀ ।
ହେଲେ ଅନ୍ୟ ପକ୍ଷରେ ଏହି ଉପଖଣ୍ଡକୁ ଲାଗି ରହିଥିବା ଛତିଶଗଡ଼ ସରକାର ମରୁଡିକୁ ଦେଖି, ନୂଆଁଖାଇ ପୂର୍ବରୁ ଏକର ପିଛା ଆଠ ହଜାର ଟଙ୍କା ପ୍ରଦାନ କରି ସାରିଲାଣି । ତେଣୁ ଏହି ଅଞ୍ଚଳର ଚାଷୀ ସରକାର ଉପରେ ନାରାଜ ହୋଇଥିବା ବେଳେ ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାର ଏହି ଉପଖଣ୍ଡ ମରୁଡ଼ି ମାଡ଼ରେ ବାରମ୍ବାର କ୍ଷତି ସହିଛି । ହେଲେ ସେପରି କିଛି ସହଯୋଗ ନପାଇ, ଏଠାକାର ଚାଷୀର ଆର୍ଥିକ ସ୍ଥିତି ଆହୁରି ଦୁର୍ବଳ ହେବାରେ ଲାଗିଛି ଏବଂ ଦାଦନ ଖଟିଯିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ସରକାର ଏହି ଚାଷୀ ମାନଙ୍କୁ ତୁରନ୍ତ ସହଯୋଗ କରିବା ସହିତ ଏହି ଏହି ଅଞ୍ଚଳ ଜଳ ଯୋଗାଣ ବ୍ୟବସ୍ଥା କରିବା ଜରୁରୀ ବୋଲି ଚାଷୀମାନେ ଦାବୀ କରିଛନ୍ତି ।