ବରଗଡ଼ ଜିଲ୍ଲାର ଦେବୀ ପୀଠରେ ମା’ଙ୍କ ପୂର୍ଣ୍ଣିମା ପୂଜା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ଶକ୍ତିପୀଠଗୁଡିକରେ ମା’ଙ୍କ ଶାରଦୀୟ ପୂଜାର ଶେଷ କୁମାର ପୂର୍ଣ୍ଣିମା ପୂଜା ଆଜି ଦିନ ତମାମ ଚାଲିଥିବା ପରିଲକ୍ଷିତ ହୋଇଛି । ବରଗଡ଼ ସହର ସ୍ଥିତ ଗ୍ରାମ୍ୟ ଦେବୀ ମା’ ସମଲେଶ୍ଵରୀ ଦେବୀଙ୍କ ମନ୍ଦିରରେ ଆଜି ବିଶେଷ ପୂଜାର୍ଚ୍ଚନା କରାଯାଇ ମା’ଙ୍କୁ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ କରାଯାଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ସଂଧ୍ୟାରେ ବଏଲ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ମା’ ମାନସିକଧାରୀଙ୍କୁ ଆଶୀର୍ବାଦ କରିଥିଲେ । ସେହିପରି ବରାହଗୋଡାସ୍ଥିତ ମା’ ପର୍ରାପାଟ୍‌ଙ୍କ ପୀଠରେ ଦଶହରା ପୂର୍ଣ୍ଣିମା ଅବସରରେ ବିଶେଷ ପୂଜାର୍ଚ୍ଚନା କରାଯାଇ ଥିଲା । ଆଜି ସକାଳୁ ଦିନ ତମାମ ମା’ଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା । ମା’ଙ୍କୁ ଦର୍ଶନ ପାଇଁ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଭାଜପା ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ସୁରେଶ୍ଵର ଶତପଥୀ ପ୍ରମୁଖ ମନ୍ଦିରରେ ପହଞ୍ଚିଥିଲେ । ହାଟପଦା ସ୍ଥିତ ମା’ ଦୂର୍ଗାଙ୍କ ମନ୍ଦିର, ମା’ ଶ୍ୟାମ କାଳୀ ମନ୍ଦିର, ମା’ ଉମା ମାହେଶ୍ୱରୀଙ୍କ ପୀଠରେ ଶାରଦୀୟ ପୂର୍ଣ୍ଣିମା ପୂଜା ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ମନ୍ଦିର କମିଟି ପକ୍ଷରୁ ଭକ୍ତଙ୍କ ମା’ଙ୍କୁ ଦର୍ଶନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.