oom

ବାପ ପୁଅ ସମ୍ପର୍କରେ ଅନ୍ଧ ବିଶ୍ୱାସ ବାଧକ ସାଜିଲା

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଆଧୁନିକ ମଣିଷ । ମାନବ ଚନ୍ଦ୍ର ପୃଷ୍ଠରେ ନିଜର ସ୍ଥିତି ଜାହିର କରିବାକୁ ପ୍ରତିଯୋଗିତା ଆରମ୍ଭ କରିଥିବା ବେଳେ ଅନ୍ୟପଟେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ମଣିଷକୁ ସମାଜରୁ ବାସନ୍ଦ କରିବା ଏକବିଂଶ ଶତାବ୍ଦୀର ଆଧୁନିକତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଚିକିତ୍ସା କ୍ଷେତ୍ରରେ ବିଜ୍ଞାନ ଯେତେ ଆଗକୁ ବଢିଥିଲେ ମଧ୍ୟ ସଚେତନତା ଅଭାବରୁ ତୃଣମୂଳ ସ୍ତରର ବା ଗ୍ରାମାଞ୍ଚଳରେ ବସବାସ କରୁଥିବା ମଣିଷ ବିଭିନ୍ନ ସମୟରେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ତଥା ଅସାମାଜିକ ଲୋକଙ୍କ ସମ୍ପର୍କରେ ଆସି ଅକାଳରେ ମୃତ୍ୟବରଣ କରୁଛନ୍ତି । ଚିକତ୍ସା ବିଜ୍ଞାନ ଯେ ମଣିଷକୁ ଜୀବନଦାନ ବ୍ୟତୀତ ଅନ୍ୟ ସବୁକିଛି ଯୋଗାଇ ଦେବାରେ ସମ୍ଭବପର ହୋଇପାରିଛି । ତଥାପି ଗାଁ ଗହଳିରେ ଲୋକମାନେ ସଚେତନତା ଅଭାବରୁ ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଏବେ ବି ଜର୍ଜରୀତ । ଏମିତି ଏକ ଛାତିଥରାଇ ଦେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ପେଟୁପାଲି ଗ୍ରାମରେ । ସୂଚନା ଅନୁସାରେ ଜାତି ସମାଜ ନାଁରେ କିଛି ଅସାମାଜିକ ଲୋକ ରାକ୍ଷସ ସାଜି ଏକ ମାତ୍ର ପୁଅଠାରୁ ରୁଗ୍‌ର ବାପାଙ୍କୁ ଅଲଗା କରାଇ ଜଙ୍ଗଲରେ ଛାଡିବାକୁ ବାଧ୍ୟ କରିଥିଲେ । ସୂଚନା ମୁତାବକ ବରଗଡ଼ ଜିଲ୍ଲା ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ପେଟୁପାଲି ଗ୍ରାମର ହରି ବରିହା(୬୦) ଗତ ଜୁଲାଇ ମାସ ୮ତାରିଖ ସନ୍ଧ୍ୟା ସମୟରେ ଶୌଚ ପାଇଁ ପଦାକୁ ବାହାରି ଥିବା ସମୟରେ କୁକୁର କାମୁଡ଼ିବାର ଶିକାର ହୋଇଥିଲେ । ପରିବାର କହିଲେ ତାଙ୍କର ସ୍ତ୍ରୀ ବସନ୍ତ ବରିହା ଦୀର୍ଘ ୨୦ବର୍ଷ ଆଗରୁ କ୍ୟାନ୍ସର ରୋଗରେ ପୀଡିତ ହୋଇ ମୃତ୍ୟ ବରଣ କରି ସାରିଥିବା ବେଳେ ବର୍ତମାନ ଏକ ମାତ୍ର ପୁଅ ପ୍ରଶାନ୍ତ ବରିହା(୨୪) ବାପାଙ୍କ ଚିକିତ୍ସା କରିବା ପାଇଁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରବର୍ତ୍ତୀ ସମୟରେ ଉନ୍ନତ ମାନର ଚିକତ୍ସା ପାଇଁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସହାୟତରେ ବୁର୍ଲ୍ଲା ବଡ ମେଡିକାଲକୁ ନେଇ ଯାଇଥିଲା । ବୁର୍ଲ୍ଲାରେ ୧୦ ଦିନ ଚିକତ୍ସା ହେବା ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ଘରକୁ ଫେରାଇ ଆଣି ପାଖ ଚିକତ୍ସାଳୟରେ ନିୟମିତ ଭାବରେ ସାଇକେଲ ସାହାଯ୍ୟରେ ନେଇ ଡ୍ରେସିଙ୍ଗ କରୁଥିଲା । କିନ୍ତୁ ଏତିକିରେ ତା’ର ଦୁଃଖ ସରେ ନାହିଁ କ୍ଷତ ସ୍ଥାନକୁ ଅନେକ ଦିନ ବିତିଯାଇଥିବାରୁ କ୍ଷତରେ କେଇ ଗୋଟା ପୋକ ସୃଷ୍ଟି ହୋଇଥିଲା । ଏକଥା ସାଧାରଣରେ ପ୍ରଘଟ ହେବାରୁ ତାଙ୍କ ଜାତି ତଥା ବିଂଝାଲ ସମାଜର ବଡ ପଣ୍ଡାମାନେ ତାଙ୍କୁ ସାମାଜିକ ବାସନ୍ଦ ଭଳି କଠୋର ଦଣ୍ଡରେ ଦଣ୍ଡିତ କରିଥିଲେ ।ଦଣ୍ଡାଦେଶ ପାଇବା ପରେ ନିରୁପାୟ ଏକ ମାତ୍ର ପୁଅ ବାଧ୍ୟ ହୋଇ ଜଙ୍ଗଲରେ ଏକ କୁଡ଼ିଆ ଘର କରି ଛାଡ଼ିଆସିଥିଲା ବାପାଙ୍କୁ । କେବଳ ସେତିକି ନୁହେଁ କାଳେ ସେ ଗାଁ ଭିତରକୁ ଚାଲିଆସିବ ତେଣୁ ସାମାଜିକ ନିଷ୍ଠୁର ନିର୍ଦେଶ କ୍ରମେ ତାଙ୍କର ଗୋଟିଏ ଗଡକୁ ସେଇଠି ବାନ୍ଧି ଦିଆଯାଇଥିଲା । ଅସହାୟ ପୁଅ ପାଖରେ ଥିବା ପୋଡ଼ାଶୀଙ୍କ ଠୁ ମାଗି ଆଣି ପିତାଙ୍କ ପାଖକୁ ଖାଇବା ସାମଗ୍ରୀ ପହଞ୍ଚାଇବା ସଙ୍ଗେ ସଙ୍ଗେ ଟଙ୍କା ଧାର କରି ଜାତିଭାଇଙ୍କୁ ୧୦ହଜାର ଟଙ୍କାର ଏକ ଗାରଡ଼(ଅଣ୍ଡିରା ମେଣ୍ଡା)ସାଙ୍ଗକୁ ୬ଗୋଟି କୁକୁଡ଼ା ସହ ମଦ ମାଂସର ଆସର ଜମାଇ ଭୁଜି ଭାତର ଆୟୋଜନ କରି ପାଖ ପାଞ୍ଚ ଖଣ୍ଡ ଗାଁର ଶତାଧିକ ବ୍ୟକ୍ତିଙ୍କୁ ଖାଇବାକୁ ଦେଇ ଜାତି ଭାଇଙ୍କ ସହିତ ପୁନର୍ବାର ସାମିଲ ହୋଇଥିଲା । ଯେଉଁଥିରେ ତାକୁ ମୋଟ ୨୦ହଜାର ଟଙ୍କା ଖର୍ଚ୍ଚାନ୍ତ ହେବାକୁ ପଡିଥିଲା । ଜଣେ ସଚେତନ ନାଗରିକଙ୍କ ଠୁ ହରି ବରିହାଙ୍କ ଏଭଳି ମର୍ମନ୍ତୁତ କାହାଣୀର ଅଶ୍ରୁଳ ବୟାନ ଶୁଣି ଘଟଣା ସ୍ଥଳକୁ ପହଞ୍ଚି ଥିଲା ‘ସଂକଲ୍ପ ପରିବାର’ ଏବଂ ଜୀବିତ ଅବସ୍ଥାରେ ପୋକ, ପିମ୍ପୁଡି ଗ୍ରାସ କରୁଥିବା ହରି ବରିହାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକତ୍ସାଳୟ, ବରଗଡ଼କୁ ଆଣି ଚିକତ୍ସା କରିବା ପାଇଁ ଭର୍ତି କରିଛନ୍ତି । ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକର ପ୍ରାରମ୍ଭ କାଳରେ ଶିକ୍ଷା, ସଂସ୍କୃତି, ସଭ୍ୟତା, ସଚେତନତାର ଅଗ୍ରଗତି ପାଇଁ ଆମେ ଗର୍ବ ଅନୁଭବ କରୁଥିବା ବେଳେ ଜାତି ସମାଜର ବଡ଼ପଣ୍ଡାମାନେ ଏପର୍ଯ୍ୟନ୍ତ ନିରୀହମାନଙ୍କୁ ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଶାରୀରିକ, ମାନସିକ, ଆର୍ଥିକ ପ୍ରତ୍ୟେକ ଦିଗରେ ବଳାତ୍କାର କବଳିତ କରୁଥିବାର ଏହା ଏକ ନଗ୍ନ ଅମାନବୀୟ ନିଦର୍ଶନ ନୁହେଁ କି ?

jittmm
Leave A Reply

Your email address will not be published.