ମମିତା ମେହେର ହତ୍ୟାକାଣ୍ଡ : ପୀଡିତ ପରିବାର ବର୍ଗଙ୍କୁ ଭେଟିଲେ ନରସିଂହ

  • ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଉତ୍ତରଦାୟୀ – ନରସିଂହ
  • ନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀଙ୍କ ଇସ୍ତଫା ଦେବା ଜରୁରି- ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ତୁରେକେଲା ବ୍ଲକ ଝରନି ସ୍ଥିତ ମୃତ ମମିତା ମେହେରଙ୍କ ଘରକୁ ଯାଇ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ତା’ ସହ ସେ ଏହି ଘଟଣାର ପୂର୍ବାପର ପ୍ରସଙ୍ଗ ଉପରେ ମୃତକଙ୍କ ମା’ ବାପା ଓ ବଡବାପାଙ୍କ ସହ ଟିକି ନିଖି ଆଲୋଚନା କରିଛନ୍ତି । ପୀଡିତ ପରିବାର ବର୍ଗ ଶ୍ରୀ ମିଶ୍ରଙ୍କୁ ଅଭିଯୋଗ କରିଛନ୍ତି ଯେ, ମମିତାଙ୍କୁ ନ୍ୟାୟ ଦେବାକୁ ହେଲେ ଉକ୍ତ ଘଟଣାରେ ସଂପୃକ୍ତ ସମସ୍ତ ଛୋଟ ବଡ ବ୍ୟକ୍ତିଙ୍କୁ ତଦନ୍ତ ପରିସରକୁ ଅଣାଯିବା ଆବଶ୍ୟକ । କିନ୍ତୁ ଘଟଣା ସମ୍ବନ୍ଧୀୟ ଏକ ଅଡିଓ ଟ୍ୟାପ ପରିବାର ବର୍ଗ ପୋଲିସକୁ ଦେଇଥିବା ସତ୍ୱେ ଏଦିଗରେ କୌଣସି ତଦନ୍ତ ଆରମ୍ଭ ନକରିବା ଆଶ୍ଚର୍ଯ୍ୟଜନକ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି । ଘଟଣା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପୋଲିସ ସମ୍ପୂର୍ଣ୍ଣ ଦାୟୀ । ତେଣୁ ନିରପେକ୍ଷ ତଦନ୍ତ ପାଇଁ ଘଟଣାରେ ସଂପୃକ୍ତ ମନ୍ତ୍ରୀଙ୍କ ଇସ୍ଥାପା ନିହାତି ଆବଶ୍ୟକ । ପିଡିତା ଓ ପରିବାର ବର୍ଗଙ୍କ ନ୍ୟାୟ ପାଇବା ଦିଗରେ କଂଗ୍ରେସ ଦଳ ସମସ୍ତ ଉଦ୍ୟମ କରିବ ବୋଲି ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଏହି ଘଟଣା ଏକ ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟାକାଣ୍ଡ ମନେ ହୁଏ । ଶିକ୍ଷାନୁଷ୍ଠାନ ଭଳି ଏକ ପବିତ୍ର ଗୃହରେ ଖୋଦ୍ ଶିକ୍ଷାନୁଷ୍ଠାନର ସଭାପତି ଗୋବିନ୍ଦ ସାହୁ ଯୌନକଳେଙ୍କାରୀ ସହ ଘୃଣ୍ୟ ହତ୍ୟା ଅପରାଧରେ ଜଡିତ ଥିବା ଧିରେ ଧିରେ ସ୍ପଷ୍ଟ ହେଉଛି । ତା’ ସହ ଅନେକ ବଡ ବଡିଆଙ୍କ ଗୋବିନ୍ଦ ସାହୁଙ୍କ ପ୍ରତି ଅନୁକମ୍ପା ରହିଥିବା ମଧ୍ୟ ଜଣାପଡୁଛି । ଅନେକ ଘଟଣାର ସିବିଆଇ ତଦନ୍ତ ଦାବୀ କରୁଛନ୍ତି । ‘କିନ୍ତୁ ମୁଁ ସେମାନଙ୍କୁ ମନେ ପକାଇ ଦେବାକୁ ଚାହେଁ ଯେ, ରାଜ୍ୟର ବିଜେଡି ସରକାର ଓ କେନ୍ଦ୍ରର ବିଜେପି ସରକାରଙ୍କ ଭିତରି ଘନିଷ୍ଟତା ଖୁବ ପୁରୁଣା । ଅନେକ ବାର ବିଜେଡି ସରକାର କେନ୍ଦ୍ର ସରକାର ପ୍ରତି ତାର ଆନୁଗତ୍ୟ ପ୍ରମାଣିତ କରିଛି । କିଛି ଘଟଣାରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାମାନେ ବିଜେଡି ନେତାଙ୍କୁ ତାର ଅନୁରୁପ ପୁରସ୍କାର ମଧ୍ୟ ଦେଇଥିବା ନଜିର ରହିଛି । ତେବେ ଏହି ଘଟଣାରେ କେନ୍ଦ୍ରିୟ ସଂସ୍ଥା ସିବିଆଇ ଦ୍ୱାରା ତଦନ୍ତ କରାଗଲେ ବିଜେଡି ଅନୁକମ୍ପାମୂଳକ ଭାବେ ସିଧାସଳଖ ଖସି ଯିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ତେଣୁ ଏହି ହତ୍ୟାକାଣ୍ଡର ଅନୁସନ୍ଧାନ ମାନ୍ୟବର ହାଇକୋର୍ଟ କିମ୍ବା ମାନ୍ୟବର ସୁପ୍ରିମକୋର୍ଟଙ୍କ ତଦାରଖରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍‌ଆଇଟି) ଅନୁସନ୍ଧାନ କରାଯିବା ଉଚିତ । କିନ୍ତୁ ଏହା ମୋର ବ୍ୟକ୍ତିଗତ ମତ । ତେବେ ଏହି ହତ୍ୟାକାଣ୍ଡର ତଦନ୍ତକାରୀ ସଂସ୍ଥା କିଏ ହେବ ତାହା ମୃତକଙ୍କ ପରିବାରବର୍ଗଙ୍କ ଇଚ୍ଛା ଓ ଭରଷା ଉପରେ ପର୍ଯ୍ୟବେଶିତ ହେବା ଦରକାର ବୋଲି ନରସିଂହ ସାମ୍ବାଦିକମାନଙ୍କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଆଜିର ଏହି ଗସ୍ତରେ ତାଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଦସ୍ୟ ଉମାଶଙ୍କର ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ଅନିଲ ମେହେର, ରମେଶ ପୁରୋହିତ, ଶୁଭ୍ରାଂଶୁ ମିଶ୍ର, ରାଜ୍ୟ ସଂପାଦକ ମୁକେଶ ଜୈନ, ରାଜିବ ଗାନ୍ଧୀ ପଂଚାୟତି ରାଜ ଅଧ୍ୟକ୍ଷ ଅଜୟ ବାଲି, ସାନନ୍ଦ ମେହେର, ପ୍ରେମ ପ୍ରକାଶ ମିଶ୍ର, ଅଙ୍କିତ ସାହୁ, ସରୋଜ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

11 + seventeen =