
ଟି୨୦ ବିଶ୍ୱକପ ପାଇଁ ଅଭ୍ୟାସ ମ୍ୟାଚ୍ : ରାହୁଲ ଓ କିଶନଙ୍କ ଚମତ୍କାର ବ୍ୟାଟିଂ ଯୋଗୁଁ ଇଂଲଣ୍ଡକୁ ୭ ୱିକେଟରେ ହରାଇଲା ଭାରତ

ଦୁବାଇ : ଇଂଲଣ୍ଡ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍ରେ ଭାରତ ୭ ୱିକେଟ୍ରେ ବିଜୟୀ ହୋଇଛି । ବୋଲିଂ ବେଳେ ମହମ୍ମଦ ସାମି ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ବ୍ୟାଟିଂ ବେଳକୁ କେଏଲ୍ ରାହୁଲ, ଈଶାନ କିଶନ ଚମତ୍କାର ଖେଳିଥିଲେ । ଭାରତ ଗୋଟିଏ ଓଭର ପୂର୍ବରୁ ୩ ୱିକେଟ୍ ବିନିମୟରେ ୧୯୨ ରନ୍ ସଂଗ୍ରହ କରିଥିଲା । ଟସ୍ ଜିତି ଭାରତ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୧୮୮ ରନ୍ କରିଥିଲା । ଜନି ବେୟାରଷ୍ଟୋ (୪୯ ରନ୍) ମାତ୍ର ୧ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ତାଙ୍କୁ ଯଶ୍ପ୍ରୀତ ବୁମ୍ରା ବୋଲ୍ଡ କରି ଦେଇଥିଲେ । ମୋଇନ ଅଲ୍ଲୀ ୪୩ (୨୦ ବଲ୍, ୪ ଚୌକା, ୨ ଛକା) ରନ୍ରେ ଅପରାଜିତ ରହିଥିଲା ବେଳେ ଲିଅମ ଲିଭିଂଷ୍ଟୋନ୍ ୩୦ ରନ୍ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି (୩/୪୦) ସଫଳତମ ବୋଲର ଥିଲେ । ଯଶପ୍ରୀତ ବୁମରା ଓ ରାହୁଲ ଚହର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଏହାର ଜବାବରେ ଭାରତ ପାଇଁ ପ୍ରାରମ୍ଭିକ ଯୋଡ଼ି କେଏଲ୍ ରାହୁଲ୍ (୫୧, ୨୪ ବଲ୍, ୬ ଚୌକା, ୩ ଛକା) ଏବଂ ଈଶାନ କିଶନ (୭୦, ୪୬ ବଲ୍, ୭ ଚୌକା, ୩ ଛକା) ଦୃଢ଼ ମୂଳଦୁଆ ପକାଇବା ପରେ ରିଷଭ ପନ୍ତ୍ (୨୯, ୧୪ ବଲ୍, ୧ ଚୌକା, ୩ ଛକା) ଏବଂ ହାର୍ଦିକ ପାଣ୍ଡ୍ୟା (୧୬, ୧୦ ବଲ୍, ୩ ଚୌକା) ମ୍ୟାଚ୍ ଶେଷ କରିଥିଲେ। ଛକା ମାରି ପନ୍ତ୍ ମ୍ୟାଚ୍ ଶେଷ କରିଥିଲେ ।