ପାଟଣାଗଡ଼ ମାୟାବତୀ ନଦୀରେ ବନ୍ୟା : ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟ ବାସଗୃହ ଓ ଅଫିସ ଜଳମଗ୍ନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଲଗାଣ ବର୍ଷାରେ ପାଟଣାଗଡ଼ ସ୍ଥିତ ମାୟାବତୀ ନଦୀରେ ବନ୍ୟା ଜଳରେ ଜଳମଗ୍ନ ହୋଇଯାଇଛି । ବରପଦର ରାସ୍ତାରେ ପାଟଣାଗଡରୁ ବରଗଡ଼କୁ ସଂଯୋଗ କରୁଥିବା ରାଜପଥ ଉପରେ ମାୟାବତୀ ନଦୀ ରହିଛି । ନଦୀରେ ଏକ ବ୍ରିଜ ନିର୍ମାଣ ହୋଇଛି । ନଦୀଜଳ ସଂରକ୍ଷଣ କରିବା ପାଇଁ ବ୍ରିଜ ନିକଟରେ ସ୍ୱିସ୍‌ ଗେଟ୍ କରାଯାଇଛି । ନଦୀକୂଳର ଦକ୍ଷିଣ ପାର୍ଶ୍ଵରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଜଳଯୋଗାଣ ଏବଂ ପରିମଳ ବିଭାଗର କାର୍ଯ୍ୟାଳୟ ଅବସ୍ଥିତ । କର୍ମଚାରୀଙ୍କ ଷ୍ଟାଫ୍ ଗୃହ ସହିତ ଦଶ ବାରଟି ବାସଗୃହ ମଧ୍ୟ ରହିଛି । ସୂଚନାଯୋଗ୍ୟ ଗତ କାଲିଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମାୟାବତୀ ନଦୀରେ ଜଳସ୍ତର ବଢ଼ିବା ହେତୁ ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟ ଜଳ ଘେରରେ ରହିଛି । ଅନ୍ୟପଟେ ଯିବା ଆସିବା ମଧ୍ୟ ବିଛିନ୍ନ ହୋଇପଡ଼ିଛି । ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ପଡ଼ୁ ଥିବାରୁ ଗେଟ୍ ଖୋଲି ହୋଇପାରିନଥିଲା ବେଳେ ଦମକଳ ବାହିନୀ ମଧ୍ୟ ଗେଟ୍ ଖୋଲିବାରେ ସକ୍ଷମ ହୋଇନଥିଲା । ଫଳରେ ଆଜି ସକାଳୁ ନଦୀଜଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନଦୀ କୂଳରେ ଥିବା ଅଫିସ ଏବଂ ଘରକୁ ପାଣି ପଶି ଯାଇଛି । ଆସବାବପତ୍ର, ଗୃହ ଉପକରଣ, ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି । ତୁରନ୍ତ ଉଦ୍ଧାର କାର୍ଯ୍ୟ ସହିତ ରିଲିଫ ସାମଗ୍ରୀ ବଣ୍ଟନ ଏବଂ ଗେଟ୍ ଖୋଲିବା ବ୍ୟବସ୍ଥା କରିବାକୁ ଜନସାଧାରଣରେ ଦାବୀ ହେଉଛି । ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳା ଏବଂ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.