ଶ୍ରୀମୟୀ ମିଶ୍ର ସ୍ମାର୍ଟ କ୍ଲାସ୍ ରୁମ୍‌ ଉଦ୍‌ଘାଟନ କଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ପରାମର୍ଶରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଅନ୍ତର୍ଗତ ପୋଷ୍ୟ ସ୍କୁଲ ଭାବେ ନିଜେ ପଢ଼ିଥିବା ବଲାଙ୍ଗିର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଆଜି ଏକ ସ୍ମାର୍ଟ କ୍ଲାସ୍ ରୁମକୁ ଉଦଘାଟନ କରିଛନ୍ତି । ଏହା ସହିତ ସ୍କୁଲ ଛାତ୍ରୀମାନଙ୍କୁ ବ୍ୟାଡମିଣ୍ଟନ କିଟ୍ ପ୍ରଦାନ କରିଥିଲେ । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ଉପସ୍ଥିତିରେ ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମ ପରେ ଓଟିଡିସି ଅଧ୍ୟକ୍ଷା ସ୍କୁଲ ପରିଦର୍ଶନ କରିଥିଲେ । ସ୍କୁଲ ଗୃହର ମରାମତି ପାଇଁ ଜିଲ୍ଲାପାଳ ପାଣ୍ଠି ବ୍ୟବସ୍ଥା କରିବା ସହ ୫ଟି ଅନ୍ତର୍ଗତ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ସେହି ସ୍କୁଲରେ ନିର୍ମାଣ ଚାଲିଥିବା ଆଉ ଦୁଇଟି ସ୍ମାର୍ଟ କ୍ଲାସ୍ ରୁମ‌‌‌ ଓ ଇ-ଲାଇବ୍ରେରୀ କାର୍ଯ୍ୟର ସମୀକ୍ଷା କରିଥିଲେ । ପୂର୍ବରୁ ଓଟିଡିସି ପକ୍ଷରୁ ଏହି ସ୍କୁଲରେ ସ୍ଥାପିତ ଏକ ଓ୍ବାଟର କୁଲର ଓ ପ୍ୟୁରିଫାୟାର ମେସିନକୁ ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ଲୋକାର୍ପିତ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ରଣା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷୟିତ୍ରୀ ମାନଙ୍କୁ ସ୍ମାର୍ଟ କ୍ଲାସ୍ ରୁମର ସଠିକ ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ପରାମର୍ଶ ଦେବା ସହ ପିଲାମାନେ କିଭଳି ଡିଜିଟାଲ ଶିକ୍ଷା ପଦ୍ଧତିରେ ଅଧିକ ଉପକୃତ ହୋଇପାରିବେ, ବ୍ୟବସ୍ଥିତ ଢଙ୍ଗରେ ସେଥିପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ । ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ଏହା ପୂର୍ବରୁ ବଲାଙ୍ଗିରର ମନୋହରପୁରସ୍ଥିତ ପୋଲିସ ଉଚ୍ଚ ପ୍ରାଥମିକ ସ୍କୁଲରେ ଏକ ଓ୍ବାଟର କୁଲର ଓ ପ୍ୟୁରିଫାୟାରକୁ ଉଦଘାଟନ କରିଥିଲେ । ସ୍କୁଲ ଛାତ୍ରଛାତ୍ରୀଙ୍କୁ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଣ ନିମନ୍ତେ ଓଟିଡିସି ପକ୍ଷରୁ ଏହି ମେସିନ୍ ଯୋଗାଇ ଦିଆଯାଇଛି । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ମିଶ୍ର ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ପଶ୍ଚିମ ଓଡ଼ିଶା ଗସ୍ତରେ ଯାଇ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.