ନାବାଳିକା ଝିଅମାନଙ୍କୁ ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରାପଡ଼ିଲେ : ଦୁଇ ଚାଲାଣକାରୀ ଅଟକ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ହଦ ଗାଁର ୬ଜଣ ନାବାଳିକାକୁ ଚାଲାଣ ବେଳେ କୁର୍ତ୍ତମଗଡ଼ ଗ୍ରାମବାସୀଙ୍କ ଦ୍ୱାରା ଧରାପଡ଼ି ଅଟକ ଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ୫ହଜାର ଟଙ୍କା ପ୍ରଲୋଭନ ଅର୍ଥ ଦେଖାଇ ଗଞ୍ଜାମ ଜିଲ୍ଲା ତାରାସିଂ ଗ୍ରାମର ଲତା ବେହେରା ନାମକ ଜଣେ ମହିଳା ଓ ପୁରୁଷୋତ୍ତମପୁର ଥାନା ପାଟଣାପଲ୍ଲୀ ଗ୍ରାମର ଜଣେ ପୁରୁଷ ମନୋଜ ସେଠୀ ରବିବାର ସକାଳେ କୋଟଗଡ ଥାନା ହଦ ଗାଁରୁ କୁର୍ତ୍ତମଗଡ଼ ପର୍ଯ୍ୟନ୍ତ ଏକ ଅଟୋରେ ଆଣି ସେଠାରୁ ଯେ କୌଣସି ଯାତ୍ରୀବାହୀ ବସରେ ଚୋରାରେ ନେବା ପାଇଁ ବସକୁ ଅପେକ୍ଷା କରିଥିବା ବେଳେ କୁର୍ତ୍ତମଗଡ ପଞ୍ଚାୟତ ଗାଁ ଲୋକେ କୌଣସି ସୂତ୍ରରୁ ଖବର ପାଇ କାବୁ କରି ପଞ୍ଚାୟତ କାର୍ଯ୍ୟାଳୟକୁ ଆଣି ବିଭାଗୀୟ ଅଧିକାରୀଙ୍କୁ ଖବର ଦେଇଥିଲେ । ଦୀର୍ଘ ସମୟ ଧରି ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ପୋଲିସ ପହଂଚି ନ ଥିଲା । ଖବର ପାଇ ତୁମୁଡ଼ିବନ୍ଧ ବିଡ଼ିଓ ରୀନା ପ୍ରଧାନ ଓ ସିଡିପିଓ ପ୍ରତିମା ପ୍ରଧାନ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ଆୟତ୍ତାଧୀନ କରି ଚାଲାଣକାରୀ ଦ୍ୱୟଙ୍କୁ ଥାନାକୁ ନେଇ ପଚରା ଉଚରା କରିବା ସହ ଉକ୍ତ ୬ ଜଣ ନାବାଳିକାଙ୍କୁ ପ୍ରଶାସନ ତରଫରୁ ସେମାନଙ୍କ ଗ୍ରାମରେ ପହଞ୍ଚାଇବା ବ୍ୟବସ୍ଥା କରିବା ସହ ତଦନ୍ତ ଅବ୍ୟାହତ ଥିବା ଜଣାପଡିଛି ।

Leave A Reply

Your email address will not be published.