csstore

ଭାଇଚାରାର ବାର୍ତ୍ତା ଦେଲା ନୂଆଁଖାଇ ଯୋଟ ଯାଟ୍ କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ଆଉ କେଇ ଦିନ ବାକିଥିବା ବେଳେ ଗରିବ, ଅସହାୟ, ନିଷ୍ପେସିତଙ୍କ ମୁହଁରେ ହସ ଫୁଟେଇବା ପାଇଁ ଅଢ଼ିଆ ଭେଟ ଦେବା କାର୍ଯ୍ୟକ୍ରମ ନୂଆଁଖାଇ ଯୋଟ୍‌ ଯାଟ୍‌ ଅନୁଷ୍ଠିତ ହୋଇଛି । ବରଗଡ଼ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ ଏହି ଯୋଟ୍‌ଯାଟ୍‌ କାର୍ଯ୍ୟକ୍ରମ ସମ୍ବିଧାନ ସୁରକ୍ଷା ମଂଚରେ ଆୟୋଜିତ ହୋଇଥିବା ବେଳେ ୪୦ ଜଣଙ୍କୁ ଅଢ଼ିଆ ଭେଟ ଦିଆଯାଇଥିଲା । ଯେଉଁଥିରେ ନୂଆ ଧାନ, ଚାଉଳ, ଡାଲି, ପନିପରିବା, ନୂଆ ବସ୍ତ୍ର ଦିଆଯାଇଥିଲା । ଏହି ଅବସରରେ କେନ୍ସର ହସ୍ପିଟାଲ ଆନ୍ଦୋଳନର ଅଗ୍ରଣୀ ସଂଗଠନ ଫାଇଟର ଗ୍ରୁପ, ୟୁନାଇଟ ଫୋରମକୁ ସମ୍ମାନିତ କରାଯାଇଥିଲା । ସେହିପରି ସାମାଜିକ ସଂଗଠନ ସଂକଳ୍ପ ପରିବାର କୋଭିଡ ସମୟରେ ଲୋକଙ୍କୁ ସହାୟତା ଯୋଗାଇଥିବାରୁ ସମ୍ମାନିତ କରାଯାଇଥିଲା । ଅନ୍ୟଜଣେ ସମାଜ ସେବୀ କାଶ୍ମୀର ସିଂ ଯିଏ ନିଜ ଜୀବନକୁ ଗୋ ସେବା କାର୍ଯ୍ୟରେ ନିୟୋଜିତ କରିଥିବାରୁ ସମ୍ବିଧାନ ସୁରକ୍ଷା ମଂଚ ପକ୍ଷରୁ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ପ୍ରଫେସର ରବୀନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ସଂସ୍ଥାପକ ପବିତ୍ର ଦେହେରି ଉଦେଶ୍ୟ ଜ୍ଞାପନ କରିଥିଲେ, ଚାଷୀ ନେତା ରମେଶ ମହାପାତ୍ର, ସମାଜ ସେବୀ ଅଲିମ ରିଜବି, ଗୁରୁପ୍ରୀତ ସିଂ, ମରିୟମ ବାର୍ଳା, ବାସମତି ବଂଛୋର, ଅନୁ ଭୋଇ, ସ୍ୱାମୀ ଧ୍ୟାନ ଦୀପକ, ଲକ୍ଷ୍ମଣ ସୁନା, ଅରୁଣ, ସାବିତ୍ରୀ ବାଇ ଫୁଲେ ସଂଗଠନର ଟିକେଶ୍ୱରୀ ଛତର ଓ ଅନ୍ୟମାନେ, ଆମ୍ ଆଦମୀ ପାର୍ଟିର ଭବାନୀ ସାହୁ, ଯଶୋବନ୍ତି ପୋଢ଼, ଆଡ଼ଭୋକେଟ ରମେଶ ପତି ଓ ଅନ୍ୟମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

jayashree
Leave A Reply

Your email address will not be published.