କାଦୋବେଡା ରିଚେକ ବନ୍‌ଛୋରର ମୃତ୍ୟୁ ଘଟଣା : ଅନୁଧ୍ୟାନ କଲେ ଜିଲ୍ଲା ଭାଜପା ପ୍ରତିନିଧି, ସରକାରୀ ସହାୟତା ପାଇଁ ଆଶ୍ୱାସନା, ତୁରେକେଲା ବ୍ଲକକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବୀ

କଂଟାବାଂଜି, (ମନିଶ କୁମାର ହଂସ) : ରିଚେକ ବନ୍‌ଛୋର ଭାଗ ଚାଷୀର ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ପାଇଁ ଫସଲ ନଷ୍ଟ ସାଙ୍ଗକୁ ସାହୁକାର ମାନଙ୍କ ଋଣ ପରିଷୋଧ ଚିନ୍ତାରେ ଚାଷ ଜମିରେ ହିଁ ନିଜର ଜୀବନ ହାରି ଦେବା ଚଳିତ ବର୍ଷ ଜିଲ୍ଲାର ପ୍ରଥମ ଚାଷୀ ଆତ୍ମହତ୍ୟା । ଏହି ଘଟଣା ପ୍ରସାରିତ ହେବା ପରେ ଶନିବାର ଦିନ ବଲାଙ୍ଗିର ଜିଲ୍ଲା ଭାଜପା ପ୍ରତିନିଧି ଦଳ ସଦଳବଳେ କାଦୋବେଡା ଗାଁକୁ ସ୍ଥିତି ପରଖିବା ପାଇଁ ଯାଇ ପରିବାର ତଥା ଗ୍ରାମବାସୀଙ୍କ ସହ ବିଚାର ବିମର୍ଷ କରିଛନ୍ତି । ସୂଚନା ଅନୁସାରେ ଅବହେଳିତ ଜମିହୀନ ସୁଖବାସୀ ରିଚେକ ଜଂଗଲ ଜମିରେ ଚାଷବାସ କରି ଦୁଇ ପୁଅର ପରିବାର ସହ ନିଜ ପରିବାର ଭରଣ ପୋଷଣ କରୁଥିଲେ । ବର୍ଷକର ଚାଷ ପରିବାର ଭରଣ ପୋଷଣ ପାଇଁ ନିଅଂଟ ହେଉଥିବାରୁ ପ୍ରତି ବର୍ଷ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯିବା ପାଇଁ ମଧ୍ୟ ବାଧ୍ୟ ହୋଇ ଯାଉଥିଲେ । କିନ୍ତୁ ଦୁଇ ବର୍ଷ ହେଲା କରୋନା ମହାମାରୀ ପାଇଁ ଦାଦନ ଖଟି ଯିବା ମଧ୍ୟ ସମ୍ଭବପର ନ ଥିବାରୁ ଚଳିତ ବର୍ଷ ପର ଜମିରେ ଭାଗ ଚାଷୀଭାବେ ବୁଝାମଣା କରି ସାହୁକାର ମାନଙ୍କଠାରୁ ଧାର କରଜ କରି ଚାଷବାସ କରିଥିଲେ । କିନ୍ତୁ ଚଳିତ ବର୍ଷ ମଧ୍ୟ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଚାଷବାସ ସଂପୂର୍ଣ୍ଣ ଉଜୁଡି ଥିବା ବେଳେ ସାହୁକାର ମାନଙ୍କ ଧାର କରଜ ମଧ୍ୟ ପରିଶୋଧ କରିବା ପରିବାର ପାଇଁ ବୋଝ ହୋଇ ପଡିବା ଚିନ୍ତାରେ ବାଧ୍ୟ ହୋଇ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା କରିଥିବା ଚର୍ଚ୍ଚାରୁ ଜାଣିବାକୁ ମିଳିଛି । ପ୍ରକାଶ ଥାଉ କି, ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଘୁନେଶ ପଂଚାୟତ କାଦୋବେଡା ଗାଁର ରିଚେକ ବନଛୋର ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଫସଲ କ୍ଷୟ କ୍ଷତି ସହ ସାହୁକାରଙ୍କ ଋଣ ସୁଝିବା ଚିନ୍ତାରେ ଗୁରୁବାର ଦିନ କୀଟ ନାଶକ ପିଇ ଜମିରେ ହିଁ ପଡିଥିବାର ପରିବାର ବର୍ଗ ରାତିରେ ଜାଣିବାକୁ ପାଇଲେ । ଖବର ଯାଣିବା ପରେ ତତ୍‌କ୍ଷଣାତ ବଲାଙ୍ଗିର ବଡ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ କିନ୍ତୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ତାଙ୍କ ମୃତ ଦେହ ଭୀମ ଭୋଇ ମେଡିକାଲ କଲେଜରେ ବ୍ୟବଛେଦ ପରେ ସାଙ୍ଗରେ ଥିବା ସ୍ତ୍ରୀ ପାର୍ବତୀ ଓ ପୁଅ ପବିତ୍ର ଶୁକ୍ରବାର ସଂଧ୍ୟାରେ ଗାଁକୁ ଆଣି ଶବଦାହ କରିଛନ୍ତି । ଏହି ଘଟଣା ପରେ ଶନିବାର ଦିନ ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ କାଦୋବେଡା ଗାଁକୁ ଯାଇ ରିଚେକର ମୃତ୍ୟୁର କାରଣ ଜାଣିବା ସହିତ ପରିବାର ବର୍ଗଙ୍କ ସହ ବିଚାର ବିମର୍ଷ କରିଛନ୍ତି । ଏପରିକି ଗାଁର ଚାଷ ଜମି ଅନୁଧ୍ୟାନ କରିବା ସହିତ ଚଳିତ ବର୍ଷ ମରୁଡି ଭୟଙ୍କର ସ୍ଥିତି ନେବ ଯଦି ସରକାର ଉଚିତ ପଦକ୍ଷେପ ନ ନିଅନ୍ତି ତେବେ ଚାଷୀ ମହଳ ଅନାହାର ତଥା ଅର୍ଦ୍ଧାହାରରେ ମୃତ୍ୟୁ ବରଣ କରିବା ସହିତ ଅନ୍ୟ ରାଜ୍ୟକୁ ପଳାୟନ ପାଇଁ ବାଧ୍ୟ ହେବେ । ସରକାର ତୁରେକେଲା ବ୍ଲକକୁ ସଂପୂର୍ଣ୍ଣ ମରୁଡି ଘୋଷଣା କରିବା ସହିତ ଚାଷୀଙ୍କୁ ଅଗ୍ରାଧିକାର ଭିତ୍ତିରେ କୃଷି ବୀମା ଦେବା ପାଇଁ ଦାବୀ କରଛନ୍ତି । ଏହି ପ୍ରତିନିଧି ଦଳରେ ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ କୃଷକ ମୋର୍ଚ୍ଚା ସଂପାଦକ ଲକ୍ଷ୍ମଣ ବାଗ, ତୁରେକେଲା ବ୍ଲକ ଭାଜପା ସଭାପତି ହରିଶ୍ଚଦ୍ର ସାହୁ, ଆନନ୍ଦ ସାହୁ, ଅକ୍ଷୟ ମେହେର, ଇଶ୍ୱର ନାଏକ, ଜିଲ୍ଲା ପରିଷଦ ସଭ୍ୟ ପ୍ରସୁଧନ ମାଝି, ଗରିଷ୍ଠ ତାଣ୍ଡି ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.