
ବୈପାରୀଗୁଡ଼ା, (କେପିଏନ୍ଏସ୍) : କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକର ରାମଗିରି ପଞ୍ଚାୟତରେ ଖେଳ ସାମଗ୍ରୀ ବଣ୍ଟନକୁ ନେଇ ବିବାଦ ଦେଖାଦେଇଛି । ଯୁବ ସଂଘଗୁଡ଼ିକୁ ନିମ୍ନମାନର ଖେଳ ସାମଗ୍ରୀ ଦିଆଯାଇଥିବା ସହ ୫୦ ହଜାର ଟଙ୍କା ନିଆଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଯୁବ ସଂଘର ସଦସ୍ୟମାନେ । ଅଭିଯୋଗ ଅନୁଯାୟୀ, ବ୍ୟାଙ୍କ ଖାତା ଖୋଲିବା ସମୟରେ ଯୁବ ସଂଘଗୁଡ଼ିକୁ ୫୦ ହଜାର ଟଙ୍କା ମାଗଣାରେ ଦିଆଯିବ ବୋଲି କୁହାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଚେକ୍ରେ ଦସ୍ତଖତ ନିଆଯାଇଥିବା ଯୁବ ସଂଘଗୁଡ଼ିକ ଅଭିଯୋଗ କରିଛନ୍ତି । ଏହା ସହିତ ବଣ୍ଟନ କରାଯାଇଥିବା ଖେଳ ସାମଗ୍ରୀର ଗୁଣବତ୍ତାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ବିଭିନ୍ନ ଯୁବ ସଂଘର ସଦସ୍ୟମାନେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢ଼ୀଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ, ନିମ୍ନମାନର ସାମଗ୍ରୀ ଫେରସ୍ତ ନେଇ ଉନ୍ନତ ଗୁଣବତ୍ତାର ଖେଳ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ଆଶ୍ୱାସନା ଦିଆଯାଇଥିବା ଜଣାପଡ଼ିଛି । ଏବେ ଯୁବ ସଂଘଗୁଡ଼ିକ ଉନ୍ନତମାନର ଖେଳ ସାମଗ୍ରୀ ପାଇବା ସହ ଏହି ଅଭିଯୋଗ ଉପରେ ପ୍ରଶାସନ କ’ଣ ପଦକ୍ଷେପ ନେଉଛି, ତାହାକୁ ଅପେକ୍ଷା କରିଛନ୍ତି ।