jittmm
sonalika

ପ୍ରଦେଶ କଂଗ୍ରେସ କୃଷକ ସେଲର ମରୁଡି ପରିସ୍ଥିତି ଅନୁଧ୍ୟାନ : ଜଳସେଚନକୁ ନେଇ ମିଥ୍ୟା ପ୍ରତିଶୃତି ଯୋଗୁଁ ମରୁଡି ଶିକାର ହେଉଛି ଚାଷୀ – ରାଜ୍ୟ କୃଷକ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିର ଅଭାବ, ଜଳସେଚନକୁ ନେଇ ଚାଷୀଙ୍କୁ ବାରମ୍ବାର ମିଥ୍ୟା ପ୍ରତିଶୃତି ଦେବା, କୃଷି ଓ ପାଣିପାଗ ବିଭାଗର ଆଗୁଆ ସୂଚନା ଦେବା ସତ୍ୱେ ସରକାର ନିଜ ଆଡୁ ମରୁଡି ମୁକାବିଳାକୁ ନେଇ ତତ୍ପରତା ତଥା ଚାଷୀଙ୍କୁ ସଚେତନ ନ କରାଇବା ଯୋଗୁଁ ରାଜ୍ୟରେ ବାରମ୍ବାର ମରୁଡି ଦେଖାଦେଇଛି । ଏହି ପରିସ୍ଥିତିରେ ବଲାଙ୍ଗିର ଜିଲ୍ଲା ସମସ୍ତ ୧୪ଟି ବ୍ଲକର ଚାଷୀ ଆସନ୍ନ ମରୁଡି ଯୋଗୁଁ ଚାଷୀକୂଳ ହତାସ ହୋଇଗଲେଣି । ଏହି ଭୟାବହ ମରୁଡିରୁ ଚାଷୀଙ୍କୁ ଉଦ୍ଧାର କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିତ୍ତିରେ ମରୁଡିର ମୁକାବିଳା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଆଜି ପ୍ରଦେଶ କଂଗ୍ରେସ କୃଷକ ସେଲର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ବଲାଙ୍ଗିର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ଆହ୍ୱନ କରିଛନ୍ତି ।

ଆଜି ବଲାଙ୍ଗିର ଜିଲ୍ଲାକୁ ମରୁଡି ଅନୁଧ୍ୟାନକୁ ଆସି ଜିଲ୍ଲାର ବିଭିନ୍ନ ବ୍ଲକର ଯଥା ବଲାଙ୍ଗିର, ଲୋଇସିଂହା, ଖପ୍ରାଖୋଲ, ପାଟଣାଗଡ, ବେଲପଡା ଇତ୍ୟାଦି ଅଂଚଳର ଅନେକ ଗାଁକୁ ଯାଇ ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ ଚାଷୀଙ୍କ ଠୁ ଚାଷ ବାବଦରେ ପଚାରି ବୁଝିବା ସହ କ୍ଷେତ୍ର ପରିଦର୍ଶନ କରିଥିଲେ । ଜିଲ୍ଲା ସଭାପତି ଦିଲିପ ବେହେରା, ଜିଲ୍ଲା କିଶାନ ସେଲ ସଭାପତି ସାନନ୍ଦ ମିଶ୍ରଙ୍କ ସହ ଅଂଚଳର ସମସ୍ତ ଚାଷ ଜମି ବୁଲିବା ସମୟରେ ଦେଖାଯାଇଥିଲା ଯେ ପ୍ରାୟତଃ ଚାଷ ଜମି ଖାଲୁଆ ହେଉ କି ଢିପ ହେଉ ଧାନ ଗଛ ମରିବାକୁ ବସିଲାଣି । କିଛି ଅଂଚଳରେ ତ ଚାଷ ଜମିରେ ଚାଷୀମାନେ ଗୃହ ପାଳିତ ପଶୁ ଛାଡି ଦେଇଥିବାର ଦେଖାଯାଇଥିଲା । ଅନେକ ଜାଗାରେ ଚାଷ ଜମି ଫାଟି ଆଁ ହୋଇଗଲାଣି । ଏହି ସବୁ ଚାଷ ଜମି ଅନୁଧ୍ୟାନ ତଥା ଚାଷୀଙ୍କ ସହ ଅପରାହ୍ନ ଘ.୫.୩୦ମି. ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ଅଧ୍ୟକ୍ଷ ଅମିତ କୁମାର ପଟ୍ଟନାୟକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତିକୁ ଟାର୍ଗେଟ କରିବା ସହ ସରକାରଙ୍କ ଆଗରେ ବିଭିନ୍ନ ଦାବୀ ଉପସ୍ଥାପନ କରିଛନ୍ତି । ଦାବୀଗୁଡିକ ହେଲା ୧୪ଟି ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯାଉ, ଖରିଫ ଚାଷ ପାଇଁ ନେଇଥିବା ଋଣ ସମ୍ପୂର୍ଣ୍ଣ ଛାଡ କରିବା ସହ ରବି ପାଇଁ ଏକ ଲକ୍ଷ ଟଙ୍କାର ଋଣ ବିନା ସୁଧରେ ଦିଆଯାଉ । ମରୁଡି ଆକଳନ ପାଇଁ ସରକାର ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଏକ ଟାକ୍ସ ଫୋର୍ସ ଗଠନ କରନ୍ତୁ । ଅଂଚଳରେ ଥିବା ଗଭୀର ନଳକୂପ, ଗୋଷ୍ଠୀ ଉଠା ଜଳସେଚନ ପଏଣ୍ଟକୁ ଶୀଘ୍ର ମରାମତି କରାଯାଉ ।

ଚାଷୀମାନଙ୍କ ଶସ୍ୟବୀମା ସଠିକ ଓ ନିର୍ଭୁଲ ଭାବରେ ପ୍ରଦାନ କରିବା ସହ ଯେହେତୁ ସମସ୍ତ ବ୍ଲକରେ ଗଜା ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି ପ୍ରଧାନମନ୍ତ୍ରୀ କୃଷିବୀମାର ନିୟମାନୁଯାୟୀ ୩୦% ବୀମାରାଶି ଚାଷୀଙ୍କୁ ପ୍ରଦାନ କରାଯାଉ । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ ନଷ୍ଟ ହେଉଥିବା ଚାଷୀଙ୍କୁ କୃଷି ଇନ୍‌ପୁଟ ସହାୟତା ପ୍ରତି ଏକର ପିଛା କେନ୍ଦ୍ର ୩୦ହଜାର ଓ ରାଜ୍ୟ ୫୦ହଜାର ଟଙ୍କା ପ୍ରଦାନ କରାଯାଉ । ଚାଷୀମାନଙ୍କୁ ରବି ଋତୁ ପାଇଁ ସାର, ବିହନ, ଔଷଧ ଓ ବିଜୁଳି ମାଗଣାରେ ପ୍ରଦାନ କରାଯାଉ । ତା ସହ ଚାଷୀର ପୁଅ ଝିଅମାନଙ୍କର ସ୍କୁଲ ଫିଜ୍‌ ମାଫ କରାଯାଉ । ପ୍ରତ୍ୟେକ ପ୍ରଭାବିତ ଚାଷୀ ଓ କୃଷି ଶ୍ରମିକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ରାସନକାର୍ଡ ଯୋଗାଇ ଦିଆଯାଉ । ଯଦି ଏହି ସବୁ ଦାବୀ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଚାଷୀଙ୍କ ହିତ ପାଇଁ ପୂରଣ ନ କରିବେ ପୁଣି ଆଗାମୀ ଦିନରେ ଚାଷୀମାନଙ୍କୁ ନେଇ ପ୍ରଦେଶ କଂଗ୍ରେସ କୃଷକ ସେଲ ଗାଁରୁ ରାଜଧାନୀ ପର୍ଯ୍ୟନ୍ତ ବିଶାଳ ଆନ୍ଦୋଳନ କରିବ ଏବଂ ସରକାରଙ୍କୁ ଉଚିତ ଜବାବ ଦିଆଯିବ ବୋଲି ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଚେତାବନୀ ଦେଇଛନ୍ତି । ଆଜିର ଏହି ପରିଦର୍ଶନ ସମୟରେ ଅଧ୍ୟକ୍ଷ ଅମିୟ ପଟ୍ଟନାୟକଙ୍କ ସହ ଜିଲ୍ଲା ସଭାପତି ଦିଲିପ ବେହେରା, ଜିଲ୍ଲା କିଶାନ ସେଲ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ଚଗଲା ପରିଚ୍ଛା, ପାଟଣାଗଡ ବିଧାୟକ ପ୍ରାର୍ଥୀ ଇଂ. ରମେଶ ପୁରୋହିତ, ଅନିଲ ମେହେର, ଋଷି ନାଗ, ସାନ୍ତନୁ ସିଂହ, ଲଳିତ ପୁଟେଲ, ସରୋଜ ରଥ, ଗଗନ ନାଥ, ବୁଲୁ ଦାନି, ମନିଷ ମିଶ୍ର, ରାଧେଶ୍ୟାମ ମେହେର, ଯୁଗଲ ସାହୁ, ବିରେନ୍ଦ୍ର ବାରିକ, ଟିକେମନ ବିଶି, ସୁରଭି ରଣା, ଦ୍ୱିତୀୟା ବାଗ, ତୁଳସି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.