ଅଦୃଶ୍ୟ ଭୂତ କରୁଛି ନାଟ ?……. ଫୋପାଡ଼ୁଛି ଟେକା, ପଥର ସହ ଘରର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ : ପରିବାର ଭୟଭୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନର ବିଜ୍ଞାନ ଯୁଗରେ ଭୂତ କଥା କହିଲେ, ଲୋକେ ଥଟ୍ଟା ପରିହାସ କରନ୍ତି । ସିଧାସଳଖ ଅନ୍ଧବିଶ୍ୱାସ ବୋଲି ମଧ୍ୟ ଭୂତ ପ୍ରେତ ବିଷୟକୁ ଧରିନିଆଯାଏ । କିନ୍ତୁ ଏଭଳି ସମୟରେ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି । ଅଦୃଶ୍ୟ ଭୂତର ଉତ୍‌ପାତ୍‌ରେ ଏକ ପରିବାର ଭୟଭୀତ ହୋଇ ପଡ଼ିଥିବା ବେଳେ ଅଦୃଶ୍ୟ ଭୂତ ଟେକା, ପଥର, ଭଙ୍ଗା ଖପର ଖଣ୍ଡ ସହ ଘରର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଫୋପାଡ଼ୁଥିବାର ଅଭିଯୋଗ ହେଉଛି ।

ବଲାଙ୍ଗିର ସହରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନିକଟସ୍ଥ ଆନନ୍ଦନଗର ନିବାସୀ ଭୁବନେଶ୍ୱର ବାଗଙ୍କ ଘରେ ଏଭଳି ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି । ତାଙ୍କ କହିବା ଅନୁସାରେ ଦୀର୍ଘ ୧୧ ଦିନ ହେଲା ତାଙ୍କ ଘରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ସବୁ ଅନୁଭୂତ ହେଉଛି । ତାଙ୍କ ପରିବାର କହିଲେ ସେ, ତାଙ୍କ ପତ୍ନୀ ଏବଂ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ଗୋଟେ ଝିଅ । ଭୁବନେଶ୍ୱର ବାଗ ଟେମ୍ପୁ ଚାଳନା କରି ପରିବାର ପ୍ରତିପୋଷଣ କରନ୍ତି । ବିଗତ ୧୧ ଦିନ ହେଲା ଘରେ ଘଟୁଥିବା ବିଭିନ୍ନ ଘଟଣାକୁ ନେଇ ସେ ଚିନ୍ତିତ ହୋଇପଡ଼ିଛନ୍ତି । ଭୁବନେଶ୍ୱର କହିଛନ୍ତି ଯେ, ଅଦୃଶ୍ୟରୁ ତାଙ୍କ ପରିବାର ସଦସ୍ୟଙ୍କ ପାଖରେ ଟେକା, ପଥର, ଭଂଗା ଖପର ଖଣ୍ଡ ପଡ଼ୁଛି । ଏପରିକି ତାଙ୍କ କୁନି ଝିଅର ମୁହଁରେ ମଧ୍ୟ ଥରେ ଦୁଇ ଥର ଟେକା ବାଜି ସାମାନ୍ୟ ଖଣ୍ଡିଆ ହୋଇଛି । କେବଳ ଏତିକି ନୁହେଁ, ପରିବାରର ସଦସ୍ୟମାନେ ଘର ବାହାରେ ଥିଲେ ଘରେ ଥିବା ଆଳୁ, କଏନ୍‌ ଆଦି ମଧ୍ୟ ଫୋପାଡ଼ୁଛି ସେହି ଅଦୃଶ୍ୟ ଶକ୍ତି । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର ବିଷୟ ଯେ, ଯିଏ ବି ଏସବୁ ଘଟଣା ଜାଣିବା ପାଇଁ ତାଙ୍କ ଘରେ ପହଂଚୁଛି, ଅଦୃଶ୍ୟ ଶକ୍ତି ତାର ଉପସ୍ଥିତି ଜାହିର୍‌ କରିବା ପାଇଁ କିଛି ନା କିଛି ଘରର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଫୋପାଡ଼ୁଛି । ଯାହା ଫଳରେ କିଛି ଅଦୃଶ୍ୟ ଶକ୍ତି ଏଠାରେ ରହିଛି ବୋଲି ଦେଖଣାହାରୀମାନେ ବିଶ୍ୱାସ କରୁଛନ୍ତି ।

ଏ ସଂପର୍କରେ ସଂପୃକ୍ତ ଅଂଚଳ ନିବାସୀ ଇସ୍‌ମାୟେଲ୍‌ ଭିକ୍‌ଟର ଆଜି ବଲାଙ୍ଗିର ସହରର ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେବାପରେ ତିନିଜଣ ସାମ୍ବାଦିକ ଘଟଣା ସ୍ଥଳରେ ପହଂଚି ଘଟଣା ସଂପର୍କରେ ପଚାରି ବୁଝିଥିଲେ । ଭୁବନେଶ୍ୱର ବାଗଙ୍କ ପତ୍ନୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଚିତ୍ର ଘଟଣା ସବୁ ତାଙ୍କ ଘରେ ଘଟୁଛି । ଆଜି ସକାଳୁ ଅସନା ହୋଇଥିବା ବାସନ ମଧ୍ୟ ମଜାମଜି ହୋଇ ରୋଷେଇଶାଳରେ ରଖା ହୋଇଥିଲା । ଘର ସାମ୍ନାରେ ମା’ କୁକୁଡ଼ା ସହ ଚରାବୁଲା କରୁଥିବା ଛୋଟ ଛୋଟ କୁକୁଡ଼ା ଚିଆଁ ମଧ୍ୟ ଘର ଛପର ଉପରେ ରହିଥିବା ଦେଖିବାକୁ ମିଳିଥିଲା । ଏସବୁ ଶୁଣି ସାମ୍ବାଦିକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବିସ୍ମୟର ବିଷୟ ଯେ, ସାମ୍ବାଦିକମାନଙ୍କ ଉପସ୍ଥିତିରେ ମଧ୍ୟ ଘର ଭିତରେ ନେଲ୍‌ କଟର୍‌, ପାଉଡ଼ର୍‌ ଡବା, ସେମ୍ପୁ ପାଉଚ୍‌, ନଡ଼ିଆ ତେଲ ବୋତଲ୍‌ ପଡ଼ିଥିଲା । କିନ୍ତୁ କେଉଁପଟୁ ଆସି ଏସବୁ ପଡ଼ୁଛି ଜଣା ପଡ଼ୁନଥିଲା । ଦୀର୍ଘ ଗୋଟିଏ ଘଂଟା କାଳ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରି ସାମ୍ବାଦିକମାନେ ଫେରିଥିଲେ । ପରିବାର ମୁଖିଆ ଭୁବନେଶ୍ୱର ବାଗ କୁହନ୍ତି ଯେ, ଘରର ଜିନିଷପତ୍ର କେତେବେଳେ କେଉଁଠି ରହୁଛି, ତାହା ମଧ୍ୟ ଜଣାପଡ଼ୁନାହିଁ । ସବୁ ଏପଟ ସେପଟ ହୋଇଯାଉଛି । ଏସବୁ କେମିତି ଘଟୁଛି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛୁ ।

ଏ ସଂପର୍କରେ ଇସ୍‌ମାୟେଲ୍‌ ଭିକ୍‌ଟରଙ୍କୁ ପଚାରିବାରୁ ସେ କହିଛନ୍ତି, ଖ୍ରୀଷ୍ଟ ଧର୍ମରେ ମଧ୍ୟ ଭୂତ ପ୍ରେତର ବିଶ୍ୱାସ ରହିଛି । ସେ ନିଜେ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ଏବଂ କୌଣସି ଅଦୃଶ୍ୟ ଶକ୍ତିର ଉପସ୍ଥିତି ସେ ମଧ୍ୟ ଅନୁଭବ କରିଛନ୍ତି । ତେବେ ଆଜି ଅପରାହ୍ନରେ ଖ୍ରୀଷ୍ଟ ଧର୍ମର କେତେଜଣ ପାଷ୍ଟର ଆସି ପୀଡ଼ିତଙ୍କ ଘରେ ସାମୁହିକ ପ୍ରାର୍ଥନା କରିବା ନିଷ୍ପତ୍ତି ନିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।

ଏଭଳି ଏକ ଘଟଣା ଆଜିର ବିଜ୍ଞାନ ଯୁଗରେ ବିଶ୍ୱାସ କରାଯାଇ ନପାରେ । କିନ୍ତୁ ଖାଲି ଘର ଭିତରେ ନାନା ପ୍ରକାର ବିସ୍ମୟ ଘଟଣା ସବୁ ଘଟୁଛି । କେତେବେଳେ ଟେକା, ପଥର, ଭଂଗା ଇଟା ପଡ଼ୁଛି ତ’ ଆଉ କେତେବେଳେ ଘରର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପଡ଼ୁଛି । ଏହି ଘଟଣାକୁ ନେଇ ଆଖପାଖର ଲୋକେ ମଧ୍ୟ ଅବାକ୍‌ ହୋଇ ଯାଇଛନ୍ତି । ବିଭିନ୍ନ ଲୋକଙ୍କ ମୁହଁରୁ ବିଭିନ୍ନ ପ୍ରକାର କଥା ଶୁଣିବାକୁ ମିଳୁଛି । କିଏ ଅଦୃଶ୍ୟ ଭୂତର ନାଟ କହୁଛି ତ’ ଆଉ କିଏ ଅତୃପ୍ତ ଆତ୍ମାର କାର୍‌ନାମା ବୋଲି କହୁଛି । ପୁଣି କିଏ ଏହା ତୁଚ୍ଛା କଥା ବୋଲି ହସରେ ଉଡେ଼ଇ ଦେଉଛି । ଏହାର ପଛରେ ରହିଥିବା ରହସ୍ୟ କ’ଣ ହୋଇପାରେ, ତାହା କେହି ବି ଜାଣି ପାରୁନାହାନ୍ତି । ଏକ ଅଦୃଶ୍ୟ ଶକ୍ତି କିମ୍ବା ତଥାକଥିତ ଭୂତର କାର୍‌ନାମାରେ ଏବେ ତାଜୁବ୍‌ ଆଖପାଖର ମାହୋଲ୍‌ । ଦେଖାଯାଉ, ଆଗକୁ କେଉଁ ରୂପ ନେଉଛି ଏହି ଅଦୃଶ୍ୟ ଘଟଣା ।

Leave A Reply

Your email address will not be published.