ବରଗଡ଼, (ଗୋପୀନାଥ ସାହୁ) : ୫ ଶହ ଟଙ୍କା ଦେଇ ନପାରିବାରୁ ଜଣେ ବ୍ୟକ୍ତିଙ୍କୁ ଡାକ୍ତର ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ଗୁଦେରପାଲିର ରିଙ୍କୁ ଦେବତା ପାଇକମାଲ ସ୍ଥିତ ଭଡ଼ା ଘରେ ରହୁଥିବା ବେଳେ ତାଙ୍କ ଦେଢ଼ ବର୍ଷର ପୁଅ ଇସାନ୍ର ବାମପଟ ନାକ ଫୋଡ଼ାରେ ଏକ ଡାଲିମ୍ବ ମଂଜି ପଶାଇ ଦେଇଥିଲା । ଦେବେ ପ୍ରଥମେ ସେ ପାଇକମାଲ ଡାକ୍ତରଖାନାରେ ଦେଖାଇଲେ । କିନ୍ତୁ ସେଠାରେ ନାକ ଚକିତ୍ସା ପାଇଁ ଉପକରଣ ନଥିବାରୁ ଡାକ୍ତର ତାଙ୍କୁ ପଦ୍ମପୁର ପଠାଇ ଦେଇଥିଲେ । ପଦ୍ମପୁରର ଏକ ଘରୋଇ ନର୍ସିଂହୋମ୍ରେ ଡାକ୍ତର ଯଶୋବନ୍ତ ପଟ୍ଟନାୟକଙ୍କୁ ପୁଅକୁ ନେଇ ରିଙ୍କୁ ଦେଖାଇଲେ । ଫିଜ୍ ବାବଦରେ ପ୍ରଥମେ ତାଙ୍କଠାରୁ ୨୦୦ ଟଙ୍କା ନେବା ପରେ ନାକରୁ ଡାଲିମ୍ବ ମଂଜି ବାହାର କରିସାରିବା ପରେ ଆଉ ୫ ଶହ ଟଙ୍କା ଡାକ୍ତର ମାଗିଲେ । ତେବେ ଆଉ ୫ ଶହ ଟଙ୍କା ରିଙ୍କୁଙ୍କ ପାଖରେ ନଥିବାରୁ ତାଙ୍କ ଜଣେ ସଂପର୍କୀୟଙ୍କୁ ଫୋନ୍ କରି ସାହାଯ୍ୟ ମାଗିଲେ । କିନ୍ତୁ ଡାକ୍ତର ଜଣକ ବାରମ୍ବାର ୫ ଶହ ଟଙ୍କା ଦେବାକୁ ବାରମ୍ବାର କହିଲେ । ଯଦିବି ରିଙ୍କୁ ମୋର ଜଣେ ସଂପର୍କୀୟ ଟଙ୍କା ନେଇ ଆସୁଛନ୍ତି, ସେ ଆସିଲେ ଦେବି ବୋଲି କହିଥିଲେ, କିନ୍ତୁ ଡାକ୍ତର ତାଙ୍କ କଥା ଶୁଣି ନଥିଲେ । ‘ତୁ ଏଠାରେ ବସିଥା ଏବଂ ତୋର ଗାଡ଼ି ଚାବି ଦେ’ ଟଙ୍କା ଦେଲାପରେ ନେବୁ’ ବୋଲି ଡାକ୍ତର କହିଥିଲେ । ତେବେ ଡାକ୍ତରଙ୍କ ଏତାଦୃଶ ବ୍ୟବହାରରେ ତାଙ୍କର ମାନହାନୀ ହୋଇଥିବା ଅଭିଯୋଗ କରି ରିଙ୍କୁ ଦେବତା ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଉପଜିଲ୍ଲାପାଳ ପ୍ରାଇଭେଟ୍ ନର୍ସିଂ ହୋମ୍ର ବିଷୟରେ ମୁଁ ହସ୍ତକ୍ଷେପ କରି ପାରିବିନାହିଁ ବୋଲି କହିବାରୁ ଆସନ୍ତା କାଲି ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଭେଟିବାକୁ କହିଛନ୍ତି ରିଙ୍କୁ ଦେବତା ।
Prev Post